ଉପହାର ଦୋକାନରେ ଜମୁଛି ଭିଡ଼

ଦିନକ ପରେ ବନ୍ଧୁତ୍ୱ ଦିବସ

ଭୁବନେଶ୍ୱର: ‘ତେରେ ଜେସା ୟାର କାହାଁ’, ‘ତୁ ମୋର ଦୋସ୍ତ, ମୁଁ ତୋର ଦୋସ୍ତ’, ‘ଏମିତି ସାଙ୍ଗ ଟେ ପାଇଛି’ ପରି ଉଭୟ ହିନ୍ଦୀ ଓ ଓଡ଼ିଆ ଗୀତ ବାଜି ଉଠୁଛି ମଲ୍‌, ହୋଟେଲ, କଫି ସପ୍‌ ସହିତ ସାଙ୍ଗମାନଙ୍କ ହୃଦୟରେ। କାରଣ ଆଉ ଦିନକ ପରେ ଅଗଷ୍ଟ ମାସ ପ୍ରଥମ ରବିବାର ଅର୍ଥାତ ବନ୍ଧୁତ୍ୱ ଦିବସ। ଗୋଟିଏ ଭଲ ବନ୍ଧୁ ଥିଲେ ଜୀବନରେ ହସ ଫୁଟି ଉଠେ, ଆଉ ତା’ସହିତ ବିତାଇ ଥିବା ସବୁ ମୂହୁର୍ତ୍ତ ଲାଗେ ମୂଲ୍ୟବାନ ଓ ସ୍ମରଣୀୟ। ସେଥିପାଇଁ ବନ୍ଧୁତ୍ୱ ଦିବସ ଅବସରରେ ଆଜିଠାରୁ ସୋସିଆଲ ମିଡିଆରେ ଛୁଟିଲାଣି ଶୁଭେଚ୍ଛାର ସୁଅ। ନିଜର ପ୍ରିୟ ବନ୍ଧୁଙ୍କ ସହିତ କେମିତି କାଟିବେ ଏହି ଦିନଟି, କେଉଁଠି କି ଯିବେ ଆଉ କ’ଣ କରିବେ। ସେଥିପାଇଁ ଯୋଜନା ପ୍ରସ୍ତୁତ କଲେଣି ସମସ୍ତେ। ଦୂରରେ ରହୁଥିବା ଲୋକମାନେ ନିଜ କର୍ମମୟ ଜୀବନରୁ କିଛି ସମୟ କାଢ଼ି ବନ୍ଧୁମାନଙ୍କୁ ଭେଟିବା ପାଇଁ ଯୋଜନା କରୁଥିବା ବେଳେ କେହି କେହି ଭଲ ହୋଟେଲରେ ଡିନର୍‌ କରିବାକୁ ଭାବିଲେଣି। ଆଉ କେହି କେହି ଲଙ୍ଗ ଡ୍ରାଇଭ୍‌ରେ ଯିବା ପାଇଁ ଯୋଜନା ଆରମ୍ଭ କରିଦେଲେଣି। ଖାଲି ଯୁବପିଢ଼ି ବନ୍ଧୁତ୍ୱ ଦିବସ ପାଇଁ ମସ୍‌ଗୁଲ ନୁହନ୍ତି, ବୟସ୍କମାନେ ମଧ୍ୟ ବନ୍ଧୁମାନଙ୍କ ସହ ନିଜ ପିଲା ଦିନର ପୁରୁଣା ସ୍ମୃତିକୁ ସାଉଣ୍ଟିବାକୁ ପସ୍ତୁତି ଆରମ୍ଭ କଲେଣି।

ଭୁବନେଶ୍ୱରରେ ଯୁବପିଢିଙ୍କ ଉତ୍ସାହକୁ ନଜରରେ ରଖି ବନ୍ଧୁତ୍ୱ ଦିବସ ଅବସରରେ ବଡ଼ ବଡ଼ ଗିଫ୍ଟ ସପ୍‌ଗୁଡ଼ିକରେ ମଧ୍ୟ ଭଳିକି ଭଳି ଉପହାର ବିକ୍ରି ହେଉଛି। ଉପହାର ଦେବା ପାଇଁ ସୁନ୍ଦର ସୁନ୍ଦର ରଙ୍ଗ ବେରଙ୍ଗର କୋଟେସନ୍‌ ଥିବା କଫି ମଗ୍‌ ବିକ୍ରି ହେଉଛି। କଫି ମଗ୍‌ରେ ନିଜ ପ୍ରିୟ ବନ୍ଧୁର ଫଟୋ ଲଗାଇ ତାହାକୁ ଉପହାରରେ ଦିଆଯାଇ ପାରିବ। ଏହାର ମୂଲ୍ୟ ୩୯୯ଟଙ୍କାରୁ ଆରମ୍ଭ। ବନ୍ଧୁଙ୍କୁ ଏହି ଦିନରେ ପ୍ରତିଶ୍ରୁତି ଦେବା ଓ ନେବା ପାଇଁ ମନ କଥା କାଗଜରେ ଲେଖିବା ପାଇଁ ଛୋଟ, ବଡ଼ ସୁନ୍ଦର ବୋତଲ ଓ କାଚ ଜାର୍‌ ବିକ୍ରି ହେଉଛି। ଏହାର ମୂଲ୍ୟ ରହିଛି ୪୦୦ ଟଙ୍କା। ଲାଇଟିଂ ବୋତଲ, କୋଟେସନ୍‌ କାର୍ଡ, ବିଭିନ୍ନ ପ୍ରକାରର ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ, ଟେଡ୍ଡି, ଫ୍ରେଣ୍ଡସିପ୍‌ ଫିତା, ଭ୍ରେସଲେଟ୍‌ ଓ ଫଟୋ ଫ୍ରେମ୍‌ ପରି ଅନେକ ଉପହାର ମିଳୁଛି। ଏହି ସମସ୍ତ ଜିନିଷର ଦାମ୍‌ ୧୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବାଣୀବିହାରରେ ଥିବା ଆର୍ଚିସ ଗ୍ୟାଲେରିର ମାଲିକ ଆଶିଷ ଲୋହିଆ କୁହନ୍ତି, ବନ୍ଧୁତ୍ୱ ଦିବସ ଉପହାର କିଣି ନେବାକୁ ଗତକାଲିଠାରୁ ଆମ ଦୋକାନରେ ଭିଡ଼ ଲାଗିଲାଣି। ଏହି ବର୍ଷ ଭଲ ବେପାର ହେବ ବୋଲି ସେ ଆଶାବାଦୀ। ସୋସିଆଲ୍‌ ମିଡିଆର ବହୁଳ ଉପଯୋଗ ପରେ ବି ଉପହାର, କାର୍ଡର ମାନିଆ କମିନି, ତାହା ଯେ କୌଣସି ଗିଫ୍‌ଟ ସପ୍‌କୁ ଗଲେ ଜଣାପଡ଼ିଯାଉଛି।

ସମ୍ବନ୍ଧିତ ଖବର