କଡ଼ା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍‌

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଖେଳ ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା କି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୁଲିସ ଗୁରୁତ୍ବ ଦେଇଛି। ଷ୍ଟାଡିୟମ୍‌ ବାହାର ଓ ଭିତର ଫାଟକରେ ଥିବା ପୁଲିସ କର୍ମଚାରୀଙ୍କୁ ଚେକିଂକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ସବୁ ଗେଟ୍‌ରେ ମେଟାଲ ଡିଟେକ୍ଟର ବ୍ୟବସ୍ଥା କରାଯାଇଛି। ଏପରିକି ଷ୍ଟାଡିୟମ୍‌ ଭିତରେ ମଧ୍ୟ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗ୍ୟାଲେରି ଭିତର, ଷ୍ଟାଡିୟମ୍‌ ଭିତରର ସବୁ ସ୍ଥାନକୁ ଭଲଭାବେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସିସିଟିଭି କ୍ୟାମେରା ଓ ଡ୍ରୋନ୍‌ ମଧ୍ୟ ଷ୍ଟାଡିୟମ୍‌ ଭିତର ଓ ବାହାର ଉପରେ ନଜର ରଖିଛି। ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ୩୦ ଜଣ ଆଗ୍ନିକ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ମୁତୟନ ହେବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପୁଲିସ ଡିଜି, ପୁଲିସ କମିସନର, ଡିସିପି, ୫ଜଣ ଏସ୍‌ପି ପାହ୍ୟାର ଅଧିକାରୀ, ୮୫ଜଣ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀ, ୧୮୫ ଜଣ ଏସିପି, ୪୦ଜଣ ଆଇଆଇସି ଏବଂ ଅନ୍ୟ ଅଫିସର୍‌ଙ୍କୁ ମିଶାଇ ମୋଟ୍ ୪୦୦ଜଣ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ସେହିପରି ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସମେତ ଆଣ୍ଟି ସାବୋଟେଜ୍‌ ସ୍କ୍ବାଡ୍‌, ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍‌, ଏସ୍ଓଜି ଯବାନ, କ୍ୟୁଏଟି, ଇଣ୍ଟେଲିଜେନ୍ସ ମଧ୍ୟ ମୁତୟନ ହୋଇଛନ୍ତି। ଏହାଛଡ଼ା ଷ୍ଟାଡିୟମ୍‌ରେ ପୁଲିସ କଂଟ୍ରୋଲ୍‌ରୁମ୍‌ ଖୋଲା ଯାଇଥିବାବେଳେ। ଷ୍ଟାଡିୟମ୍‌କୁ ସ୍ୱତନ୍ତ୍ର ଭାବେ ଏସ୍ଓଜି କମାଣ୍ଡର ଜଗିବା ସହ ପ୍ରତି ଗ୍ୟାଲେରିରେ ଗୁଇନ୍ଦା ପୁଲିସ ମୁତୟନ ହୋଇଛନ୍ତି। ଆଜି ଷ୍ଟାଡିୟମରେ ପୁଲିସ କମିସନର ସତ୍ୟଜିତ୍ ମହାନ୍ତି ଓ ଡିସିପି ଅନୁପ ସାହୁ ସମସ୍ତ ବିଭାଗର ଅଧିକାରୀଙ୍କୁ ଡାକି ସ୍ବତନ୍ତ୍ର ଭାବେ ବୁଝାଇବା ସହ ନିର୍ଦେଶ ଦେଇଛନ୍ତି। ଫାଇନାଲ୍‌ ପାଇଁ ବହୁ ବିଶିଷ୍ଟ ଅତିଥି, ଖେଳାଳି, ତାରକାଙ୍କ ଯୋଗ ଦେବାର ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ କମିସନରେଟ୍ ପୁଲିସ ସ୍ବତନ୍ତ୍ର ଧ୍ୟାନ ଦେଇଛି। ଏୟାରପୋର୍ଟରୁ ଷ୍ଟାଡିୟମ୍‌ ଯାତାୟାତ ବେଳେ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛିନ୍ତି।

ସମ୍ବନ୍ଧିତ ଖବର