ଅଧା ରାଜଧାନୀ ଉବୁଟୁବୁ, ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ

‘ତିତ୍‌ଲି’ ତାଣ୍ଡବରୁ ବର୍ତ୍ତିପାରିନି ରାଜଧାନୀ। ଘଣ୍ଟା ପ୍ରତି ୩୦ କିମି ପବନରେ କାଁ ଭାଁ ଗଛ ଭାଙ୍ଗିପଡ଼ିଛି। ହେଲେ ଅତିପ୍ରବଳ ବର୍ଷାରେ ବିଗିଡ଼ି ଯାଇଛି ସହରର ଚିତ୍ର। ଯୁଆ‌େଡ଼ ଚାହିଁ‌େଲ ଖାଲି ପାଣି। ୩୩ ଘଣ୍ଟା ଲଗାଣ ବର୍ଷାରେ ଜଳମଗ୍ନ ହୋଇଯାଇଛି ସହର। କେଉଁଠି ରାସ୍ତା ଉପରେ ପାଣି ଢେଉ ଖେଳୁଛି ତ ଆଉ କେଉଁଠି ଲୋକଙ୍କ ଘରେ ପଶିଛି ପାଣି। ବିଏମ୍‌ସି ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିବାରୁ କିଛିଟା ଆଶ୍ବସ୍ତିି ମିଳିଥିଲେ ମଧ୍ୟ ବର୍ଷା ବିତ୍ପାତରୁ ରକ୍ଷାପାଇ ନାହାନ୍ତି ଅଧା ରାଜଧାନୀବାସୀ।

ଭୁବନେଶ୍ବର: ବାତ୍ୟା ‘ତିତ୍‌ଲି’ର ତାଣ୍ଡବକୁ ଦୃଷ୍ଟିରେ ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଛି। ବିଏମ୍‌ସି କମିସନର୍‌ଙ୍କ ବିନା ଅନୁମତିରେ କୌଣସି ବି କର୍ମଚାରୀ ଛୁଟି‌େର ରହିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଗୁରୁବାର ସକାଳ ୮ଟା ୩୦ରୁ ଶୁକ୍ରବାର ସନ୍ଧ୍ୟା ମଧ୍ୟରେ ୧୨୦ ମିମିରୁ ଅଧିକ ବର୍ଷା ହୋଇଛି। ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ହେଲ୍‌ପ ଲାଇନ୍‌ ନମ୍ବରରେ ଏପର୍ଯ୍ୟନ୍ତ ୩୭ଟି ଅଭିଯୋଗ ଆସିଥିଲା। ବିଏମ୍‌ସି ଅପରେସନ୍ସ ସେଣ୍ଟର(ବିଓସି)ରେ ୨୬ ଅଭିଯୋଗ ଆସିଥିବା ବେଳେ ବିଏମ୍‌ସି ଷ୍ଟର୍ମ ୱାଟର କ‌େଣ୍ଟ୍ରାଲ ରୁମ୍‌ରେ ୧୧ଟି ଅଭିଯୋଗ ଗ୍ରହଣ କରାଯାଇଛି। ସହରର ଗୌରୀ ନଗର ସମେତ ଶ୍ରୀରାମ ନଗର ଲେନ୍‌ ୧୦, ଜାଗମରା ମଲ୍ଲିକ କମ୍ପଲେକ୍ସ, ‌େଗୗରୀଶଙ୍କର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ନୟାପଲ୍ଲୀ ବେହେରା ସାହି, ନନ୍ଦନବିହାର, ଜୟଦେବ ବିହାର କର୍ପୋରେସନ୍‌ ଗଳି, ପାଇକ ନଗର, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ, ନାକା ଗେଟ୍‌ ନିକଟ ପଦ୍ମା ଆପାଟର୍ମେଣ୍ଟ ଗଳି, ତିରୁମାଲା ତିରୁପତି କଲ୍ୟାଣ ମଣ୍ଡପ, ଜୟଦେବ ବିହାର, ଭିଏସ୍‌ଏସ୍‌ନଗର, ଚନ୍ଦ୍ରଶେଖପୁରସ୍ଥିତ ଓରଟେଲ୍‌ କାର୍ଯ୍ୟାଳୟ ନିକଟ, କ୍ରିଷ୍ଣା ଗାର୍ଡେନ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର କଲ୍ୟାଣ ମଣ୍ଡପ ନିକଟରେ ୧୪ଟି ପମ୍ପ ନିୟୋଜିତ ହୋଇଥିଲା। ପରିସ୍ଥିତି ଉପରେ ନଜର ରଖିବାକୁ ୨୪ ଘଣ୍ଟିଆ କ‌‌େଣ୍ଟ୍ରାଲ ରୁମ୍‌ ଖୋଲିଛି। ବିଡିଏର ନୋଡାଲ ଅଧିକାରୀ, ରାଜସ୍ବ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ, ଅଗ୍ନିଶମ ବିଭାଗ ଏହି କ‌‌େଣ୍ଟ୍ରାଲ ରୁମ୍‌ରେ ରହିଛି। ସହରର ସମସ୍ତ ୧୩ଟି ସେକ୍ଟର୍‌ର ଅଧିକାରୀ, ଇଞ୍ଜିନିୟରିଂ ଟିମ୍‌, ମନିଟରିଂ ଷ୍ଟାଫ୍‌, ସ୍ଥାନୀୟ ୱାର୍ଡ ଅଫିସର୍‌, କମ୍ୟୁନିଟି ସଂସ୍ଥା, ସଫେଇ କର୍ମଚାରୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି। ପଣ୍ଡା କୁଦିଆକୁ ସ୍ଥାନାନ୍ତର ହୋଇଥିବା ଜଗନ୍ନାଥ ବସ୍ତିବାସିନ୍ଦାଙ୍କୁ ନିକଟସ୍ଥ ମଧୁସୂଦନ ପ୍ରାଥମିକ ବିଦ୍ୟାଳୟରେ ସୁବିଧା ଯୋଗାଇ ଦିଆଯାଇଛି। ଖାଦ୍ୟ ଯୋଗାଇ ଦିଆଯିବା ସହ ମେଡିକାଲ ସୁବିଧା ଉପଲବ୍ଧ କରାଯାଇଛି।

୩୩ ଘଣ୍ଟାରେ ୧୨୦ ମିମି ବର୍ଷା
ମଧୁସୂଦନ ପ୍ରାଥମିକ ବିଦ୍ୟାଳୟରେ ପଣ୍ଡାକୁଦିଆବାସୀ

ପାଣି ଘେରରେ ମନ୍ଦିର
ପୁରୁଣା ଭୁବନେଶ୍ବର: ସ୍ଥାନୀୟ ନୂଆଗାଁର ଅଧିକାଂଶ ଅଞ୍ଚଳରେ ପାଣି ଜମି ରହିବା ସହ ଏକାମ୍ର କ୍ଷେତ୍ରରେ ବୋଇତାଳ ମନ୍ଦିର, ଶିଶିରେଶ୍ବର ମନ୍ଦିର, ମେଘେଶ୍ବର ମନ୍ଦିର, ଗୋସାଗରେଶ୍ବର ମନ୍ଦିରରେ ପାଣି ପଶିଥିବା ବେଳେ ସାମନ୍ତରାପୁର, ଗୌରୀ ଗାର୍ଡେନ୍‌ ଅଞ୍ଚଳ ପାଣି ଘେରରେ ରହିଥିଲା। ବିଏମ୍‌ସି ପକ୍ଷରୁ ଏଠାରେ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲେ ହେଁ ମନ୍ଦିରଗୁଡ଼ିକରେ ଏବେବି ପାଣି ଜମି ରହିଛି। ଶିଶୁ ଭବନ ଛକ, ରଥ ରୋଡ୍‌ ଓ ପଳାସପଲ୍ଲୀ ଅଞ୍ଚଳରେ ରାସ୍ତା ଖୋଳାଯାଇଥିବାରୁ ଲୋକମାନେ ଯାତାୟାତ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ତେବେ ବର୍ଷା ପବନ ଲାଗି ରହିଥିବାରୁ ଗତକାଲିଠାରୁ ଘନଘନ ବିଦ୍ୟୁତ୍ କାଟ ହେଉଛି। ପୁରୁଣା ଭୁବନେଶ୍ବର, ନୂଆଗାଁ, ସୁନ୍ଦରପଦା, ପୋଖରିପୁଟ୍‌, ନାଗେଶ୍ବର ଟାଙ୍ଗୀ, ବଡ଼ଗଡ଼, ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳରେ ବାରମ୍ବାର ବିଜୁଳି କଟୁଥିବା ଲୋକେ ଅଭିଯୋଗ କରିଛନ୍ତି।

ମାଟିରେ ମିଶିଲା ଶତାଧିକ ଘର
ବାଲିଅନ୍ତା: ସାମୁଦ୍ରିକ ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବାଲିଅନ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବର୍ଷାରେ ଅନେକ ଲୋକଙ୍କ ଘର ମାଟିକାନ୍ଥ ଭାଙ୍ଗି ଯାଇଥିବା ବେଳେ ଗୁହାଳ ଭାଙ୍ଗିଯିବା ଯୋଗୁଁ ଗୃହପାଳିତ ପଶୁଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି। ବାଲିଅନ୍ତା ବ୍ଲକରେ ଶତାଧିକ ଲୋକଙ୍କ ମାଟିକାନ୍ଥ ଭାଙ୍ଗି ଯାଇଥିବା ନେଇ ଜନପ୍ରତିନିଧିମାନେ ତହସିଲ ପ୍ରଶାସନକୁ ଜଣାଇଛନ୍ତି। ଅଭିଯୋଗ ଆଧାରରେ ୯ଟି ଯାକ ଆରଆଇ ସର୍କଲର ରାଜସ୍ବ ନିରୀକ୍ଷକ ଓ ସରପଞ୍ଚମାନେ ଗ୍ରାମରେ ପହଞ୍ଚି ଏହାର ତଦନ୍ତ କରୁଛି। ତହସିଲଦାର ଅକ୍ଷୟ ରାଉତ ଓ ବିଡିଓ ରଶ୍ମିରେଖା ପ୍ରଧାନ ପ୍ରମୁଖ ଗ୍ରାମରେ ପହଞ୍ଚି ପରସ୍ଥିତି ଅନୁଧ୍ୟାନ କରିଛନ୍ତି। ଅପରପକ୍ଷେ ସରକଣା ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାର ଏରକଣ୍ଟା ଗ୍ରାମଠାରେ ଧନୁଆ ନଦୀ ଉପରେ ନିର୍ମିତ ବ୍ରିଜ ସ˚ଲଗ୍ନ ଆପ୍ରୋଚ୍‌ ରାସ୍ତା ବାହ୍ୟ ଜଗତରୁ ସ˚ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ବ୍ରିଜ୍ ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ‘ଆମ ସ˚ଗଠନ’ ପକ୍ଷରୁ ସ୍ବେଚ୍ଛାସେବୀମାନେ ଏହାକୁ ଅସ୍ଥାୟୀ ଭାବେ ମରାମତି କରିଥିବା ଜଣାଯାଇଛି। ପବନ ହେବାରୁ ବଡ଼ବଡ଼ ଗଛ ଡାଳ ଭାଙ୍ଗିଯାଇ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି।

ରେଡକ୍ରସ ପକ୍ଷରୁ ରିଲିଫ ବିତରଣ
ଲଗାଣ ବର୍ଷା ପ୍ରଭାବରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଲୋକେ ପାଣି ଘେରରେ ରହିଛନ୍ତି। ରେଡକ୍ରସ ପକ୍ଷରୁ ଆଜି ସେମାନଙ୍କୁ ରିଲିଫ୍‌ ପ୍ରଦାନ କରାଯାଇଛି। ସହର ଉପକଣ୍ଠ ସମ୍ ହସ୍ପିଟାଲ ନିକଟସ୍ଥ ପଣ୍ଡା କୁଦିଆ ବସ୍ତି ଅଞ୍ଚଳର ୪୦୦ ପରିବାରଙ୍କୁ ଚୁଡ଼ା, ଗୁଡ଼, ବିସ୍କୁଟ, ମହମବତି, ଦିଆସିଲି ବିତରଣ କରାଯାଇଛି। ଏଥିସହ ରେଡକ୍ରସ ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୨୦୦ ଖାଦ୍ୟ ପୁଡ଼ିଆ ପଠାଯାଇଛି। ଶନିବାର ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍‌ ପଠାଯିବାର ଯୋଜନା ରହିଛି ବୋଲି ରେଡକ୍ରସ୍‌ ଅବୈତନିକ ସଚିବ ବିନାୟକ ପ୍ରସାଦ ପୃଷ୍ଟି ଓ ଓଡ଼ିଶା ରେଡ୍‌କ୍ରସ୍‌ ଅବୈତନିକ ଯୁଗ୍ମ ସଚିବ ତଥା ଯୁବ ରେଡ୍‌କ୍ରସ୍ ଅଧିକାରୀ ମେଜର କଳ୍ପନା ଦାସ କହିଛନ୍ତି।

ସମ୍ବନ୍ଧିତ ଖବର