ଗଦାଧର ମୃତ୍ୟୁ ମାମଲା : ହତ୍ୟା ନୁହେଁ ଆତ୍ମହତ୍ୟା – ପୁଲିସ

ଭୁବନେଶ୍ବର : ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ ସୋ’‌ ରୁମ୍‌ ସୁରକ୍ଷା କର୍ମୀ ଗଦାଧର ସ୍ବାଇଁ ମୃତ୍ୟୁ ଉପରୁ ରହସ୍ୟ ଖୋଲିଛି ପୁଲିସ। ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ନୁ‌ହେଁ, ବରଂ ଆତ୍ମସମ୍ମାନରେ ବାଧା ଆସିବାରୁ ଗଦାଧର ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଡିସିପି ଅନୁପ କୁମାର ସାହୁ। ସେ ଆତ୍ମହତ୍ୟା କରିବା ପଛରେ ହାତ ଥିବା ବା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଏକରକମ ପ୍ରବର୍ତ୍ତାଇଥିବା ଅଭିଯୁକ୍ତ ଦିବାକର ଭୂୟାଁ ଓରଫ୍‌ ବୁବୁନାକୁ ପୁଲିସ ଗିରଫ କରିଛି। ଫଳରେ ଏହି ଘଟଣାକୁ ନେଇ ପ୍ରଥମେ ରୁଜୁ ହୋଇଥିବା ହତ୍ୟା ମାମଲା ଏବେ ‘ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା’କୁ ପରିବର୍ତ୍ତିତ ହୋଇଛି। ରୁଦ୍ଧ କୋଠରିରୁ ଶବ ଜବତ ହେବା, ଜବତ ନୋଟ୍‌ର ହସ୍ତାକ୍ଷର ଗଦାଧରଙ୍କ ହସ୍ତାକ୍ଷର ସହ ମିଶିବା, ବ୍ୟବଚ୍ଛେଦ ରିପୋର୍ଟ, ଫ୍ୟାନ୍‌ରେ ଝୁଲୁଥିବା ଜବତ ଗାମୁଛା, ବୁବୁନାର ବୟାନ, ଛୁରି ଭୁସା ଯାଇଥିବା ଓ ବେକ କଟାଯାଇଥିବା ଶୈଳୀ ଏବଂ ପାଖରୁ ମିଳିଥିବା ନିଶା ଔଷଧକୁ ଆଧାରରୁ ଏହା ଏକ ମାନସିକ ଚାପ ଜନିତ ଆତ୍ମହତ୍ୟା ‌ବୋଲି କହିଛନ୍ତି ଡିସିପି। ତେବେ ତଦନ୍ତ ସରି ନାହିଁ, ବୁବୁନାଙ୍କ ଭଳି ଆଉ କିଏ କିଏ ରହିଛନ୍ତି ତାଙ୍କୁ ଖୋଜା ଯାଉଛି। ଗଦାଧର କାମ କରୁଥିବା ସୋ’ ରୁମ୍‌ର ମାଲିକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ସେ ଯଦି ଗଦାଧରଙ୍କ ଉପରେ ଚାପ ପକାଇଥାନ୍ତି ବା ତାଙ୍କ ସମ୍ମାନହାନି କରିବା ସହ ଆତ୍ମହତ୍ୟାର ଅନ୍ୟତମ କାରଣ ହୋଇଥାନ୍ତି, ତେବେ ସେ ମଧ୍ୟ ଗିରଫ ହୋଇପାରନ୍ତି ବୋଲି ଡିସିପି କହିଛନ୍ତି। ଚୋରା ମାର୍ବଲ କେଉଁଠି ବିକ୍ରି ହେଉଥିଲା, ତା’ର ଏହି ଆତ୍ମହତ୍ୟା ସହ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ କରିବ ପୁଲିସ।

ଡିସିପି କହିଛନ୍ତି ଯେ ବୁବୁନା ଗଦାଧରଙ୍କୁ ପ୍ରଲୋଭିତ କରି ଏଠାରୁ ରାତି ଅଧରେ ମାର୍ବଲ ଚୋରା ଚାଲାଣ କରୁଥିଲା। ଗଦାଧର ଓ ବୁବୁନା ମିଳିମିଶି ଲକ୍ଷେ ୨୦ ହଜାର ଟଙ୍କାର ମାର୍ବଲ ଚୋରି କରି ୪୭ ହଜାରରେ ବିକ୍ରି କରିଥିଲେ। ବୁବୁନା ୪୫ ହଜାର ନେଇଥିବା ବେଳେ ଗଦାଧରଙ୍କୁ ୨ ହଜାର ‌ଦେଇଥିଲା। ମାଲିକ ଜାଣିବା ପରେ ବୁବୁନାକୁ ଚାକିରିରୁ ବାହାର କରି ଦେଇଥିଲେ। ଏହା ପରେ ମଧ୍ୟ ବୁବୁନା ଏଠାକୁ ଆସି ପୁରୁଣା ବେପାରରେ ମାତି ଯାଇଥିଲା। ମାଲିକ ଜାଣିବା ପରେ ଉଭୟ(ବୁବୁନା-ଗଦାଧର)ଙ୍କୁ ସାମ୍ନାସାମ୍ନି କରିବା ପାଇଁ ଚାହିଁଥିଲେ। ଗଦାଧର ଫୋନ୍‌ କରି ବୁବୁନାକୁ ସୋ’ ରୁମ୍‌କୁ ଆସିବା ପାଇଁ ଡାକୁଥିଲେ ମଧ୍ୟ ବୁବୁନା ଆସୁନଥିଲା। ଏଥିରେ ମାନସିକସ୍ତରରେ ଗଦାଧର ଆହତ ହୋଇଥିଲେ। କିଛି ଦିନ ହେବ ସେ ନିଶା ଔଷଧ ଖାଇବା ଆରମ୍ଭ କରିଥିଲେ। ମାନସିକ ଚାପଗ୍ରସ୍ତ ହୋଇ ସେ ପ୍ରଥମେ ଫ୍ୟାନ୍‌‌ରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତଦନ୍ତ ବେଳେ ଫ୍ୟାନ୍‌ରେ ଝୁଲୁଥିବା ଜବତ ଗାମୁଛା ଗଦାଧରଙ୍କର ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ଉଚ୍ଚତା ବହୁତ କମ୍‌ ଥିବାରୁ ତାଙ୍କ ଗୋଡ଼ ତଳେ ଲାଗିଛି। ଶେଷରେ ‌ସେ ନିଜକୁ ଛୁରି ଭୁସିବା ସହ ତଣ୍ଟି କାଟି ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଡିସିପି ଶ୍ରୀ ସାହୁ।

ତେବେ ଘଟଣାସ୍ଥଳର ବୀଭତ୍ସ ଦୃଶ୍ୟ ତଥା ପ୍ରଥମେ ପେଟରେ ନିଜେ ନିଜେ ଛୁରି ଭୁସିବା ସହ ନିଜ ବେକ କାଟି ଆତ୍ମହତ୍ୟା କରିବା ପ୍ରସଙ୍ଗକୁ ନେଇ ଭିନ୍ନ ଏକ ଚର୍ଚ୍ଚା ଜୋର୍‌ ଧରିଛି। ଏତେ ବୀଭତ୍ସ ଭାବେ ଜଣେ ନିଜକୁ କେମିତି ମାରିପାରିବ? ଏହା ପଛରେ ଆଉ କିଛି ରହସ୍ୟ ରହିଛି ବୋଲି ଆଲୋଚନା ହେଉଛି। ପୂର୍ବରୁ କୁଆଖାଇ ନଦୀ ପଠାରେ ଉନ୍ମୟ ପାଢ଼ୀ ମୃତ୍ୟୁ ମାମଲାରେ ମଧ୍ୟ ପୁଲିସ ଏଭଳି ମତ ରଖିଥିଲା। ପ୍ରଥମେ ନିଜକୁ ଛୁରି ଭୁସି ପରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ସେ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ କହିଥିଲା। ପ୍ରଥମେ ରୁଜୁ ହୋଇଥିବା ହତ୍ୟା ମାମଲା ପରେ ଆତ୍ମହତ୍ୟାକୁ ରୂପାନ୍ତରିତ ହୋଇଥିଲା। ଅନୁରୂପ ଢଙ୍ଗରେ ଗଦାଧରଙ୍କ ମୃତ୍ୟୁ ରହସ୍ୟ ଘେରକୁ ଚାଲି ଯାଇଛି।

ସମ୍ବନ୍ଧିତ ଖବର