ମଣ୍ଡପରେ ସମୃଦ୍ଧିର ଦେବୀ

ଭୁବନେଶ୍ୱର : ମା’ ମହିଷା ମର୍ଦିନୀଙ୍କୁ ମେଲାଣି ପରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମଣ୍ଡପ ସଜା ସରିଛି। ଧନ ଓ ସମୃଦ୍ଧିର ଦେବୀଙ୍କୁ ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା ମଧ୍ୟରେ ସ୍ୱାଗତ ପାଇଁ ସହରରେ ପୂଜାମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଛି। ସୁଦୃଶ୍ୟ ତୋରଣ ସାଙ୍ଗକୁ ଝିକିମିକି ଆଲୁଅରେ ସୁସଜ୍ଜିତ ପୂଜା ମଣ୍ଡପ ସହରକୁ ପୁଣି ଥରେ ରଙ୍ଗିନ କରିଛି। ଆସନ୍ତାକାଲି ପୂଜା ମଣ୍ଡପରେ ସନ୍ଧ୍ୟାରେ ମା’ଙ୍କ ପୂଜାର୍ଚନା କରାଯିବ ବୋଲି ବିଭିନ୍ନ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। କେତେକ ପୂଜା ମଣ୍ଡପରେ ମା’ଙ୍କୁ ଅଳଙ୍କାରରେ ସଜବାଜ କରାଯାଉଛି ତ ଆଉ କେଉଁଠି ଆଖି ଲାଖି ରହିବା ଭଳି ତୋରଣ ଓ ସାଜସଜ୍ଜା କରାଯାଇଛି।

ବିଶେଷକରି ବାପୁଜୀନଗର ଗଜଲକ୍ଷ୍ମୀ ପୂଜା କମିଟି ଏଥର ଏଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରିବାର କାର୍ଯ୍ୟକ୍ରମ ରଖିଛି। ସେହିପରି ୟୁନିଟ୍‌ ୯ ଫ୍ଲାଟ୍‌ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପକ୍ଷରୁ ୩୩ମ ପୂଜାରେ ସୁଉଚ୍ଚ ତୋରଣରେ ଆଖିଖୋସା ଅନୁଭବ ଦେଖିବାକୁ ମିଳିବ। ୟୁନିଟ୍‌ ୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ଅନୁଷ୍ଠିତ ପୂଜାରେ ମା’ ରୁପା ମୁକୁଟ ସମେତ ହାର, ବାହୁଟି, ଚୁଡ଼ି, ଅଣ୍ଟାପଟି, କାନପୁଲ ଓ ନାକଗୁଣା ଆଦି ଅଳଙ୍କାରରେ ସଜେଇ ହୋଇ ଦର୍ଶନ ଦେବେ। ସେହିପରି ଲକ୍ଷ୍ମୀସାଗର ଭଗବତ ବାସୁଦେବ ମେଳଣ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ପୂଜାରେ ବି ନିଆରା ଅନୁଭବ ମିଳିବ। ଏଥିସହିତ ୟୁନିଟ୍‌ ୮ସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିବ। କୃଷି ବିହାର ଶିରିପୁର ଏଥର ବି ବିନା ଚାନ୍ଦାରେ ଗଜଲକ୍ଷ୍ମୀ ପୂଜା ଆୟୋଜନ କରୁଥିବା ବେଳେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ବରମୁଣ୍ଡା ଗ୍ରାମସ୍ଥିତ ଲକ୍ଷ୍ମୀ ମଣ୍ଡପ, ଖାରବେଳ ନଗର, ଖଣ୍ଡଗିରି କେସିଏ ପଡ଼ିଆ, ନୟାପଲ୍ଲୀ ୟୁରେକା କ୍ଲବ୍‌ ନିକଟରେ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ବେଶ୍‌ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ଗଜଲକ୍ଷ୍ମୀଙ୍କୁ ନେଇ ଧୀରେଧୀରେ ପୂଜା ମଣ୍ଡପର ସଂଖ୍ୟା ବିସ୍ତତ ହେଉଥିବା ବେଳେ ଆକର୍ଷଣୀୟ ସାଜସଜାରେ ସ୍ୱତନ୍ତ୍ରତା ଆଡ଼କୁ ସହର ଅଗ୍ରସର ହେଉଛି।

କୁମାର ପୂର୍ଣ୍ଣିମାରେ ଜମିବ କୁମାରୀ ବିବାହ
କୁମାର ପୂର୍ଣ୍ଣିମାକୁ ନେଇ କୁଆଁରୀ ଝିଅମାନଙ୍କ ମଧ୍ୟରେ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଥିବା ବେଳେ ରୂପବାନ କାର୍ତିକଙ୍କ ଭଳି ଜୀବନସାଥୀ ପାଇଁ ପ୍ରତୀକ ଭାବେ ସୂର୍ଯ୍ୟ ଓ ଚନ୍ଦ୍ର ପୂଜା ପାଇବେ। ନୂଆ ପୋଷାକରେ ସଜେଇ ହୋଇ ସୂର୍ଯ୍ୟ ପୂଜା ଓ ସନ୍ଧ୍ୟାରେ ଚାନ୍ଦ ପୂଜା କରିବାର ବିଧି ରହିଥିବା ବେଳେ ସହରର ଉପକଣ୍ଠରେ ଏହାକୁ ନେଇ ବେଶ୍‌ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି। ବିଶେଷକରି ତମାଣ୍ଡୋ ଅଞ୍ଚଳର ସାନମହୁରାରେ ଚାନ୍ଦ ପୂଜା ସହ କୁମାରୀ ବିବାହର ଅନନ୍ୟ ଆକର୍ଷଣ କାଲି ଦେଖିବାକୁ ମିଳିବ। ଏଠାରେ ବାଜା, ବାଣ, ରୋସଣି ସହ ଭୋଜିଭାତର ଆୟୋଜନ କରାଯିବ। ମିଛିମିଛିକା ବର କନିଆ ବାହା ହେଉଥିଲେ ହେଁ ସତସତିକା ବାହାଘରର ଆଡ଼ମ୍ବରରେ ସାମିଲ୍‌ ହେବେ ସମଗ୍ର ଅଞ୍ଚଳବାସୀ। ସେହିପରି କୃଷିବିହାର ଶିରିପୁର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମଣ୍ଡପ ପରିସରରେ ଆସନ୍ତା ୮ ତାରିଖରେ କୁମାରୀ ପୂଜାର ପରମ୍ପରା ଆକର୍ଷଣ ସାଜିବ। ଏଥିରେ କୁଆଁରୀ ଝିଅମାନଙ୍କୁ ସୁସଜ୍ଜିତ କରି ମା’ ଗଜଲକ୍ଷ୍ମୀଙ୍କ ସମ୍ମୁଖରେ ତାଙ୍କର ମା’ମାନେ ପୂଜା କରିବା ଦେଖିବାକୁ ମିଳିବ। ସେହିପରି ଆସନ୍ତାକାଲି ବାଲିଅନ’ ପ୍ରଦାନ କରାଯିବ। ଏହି ଅବସରରେ କୁମାର ପୂର୍ଣ୍ଣମୀ ଆଧାରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ୟୁଥ୍‌ର ସମ୍ପାଦକ ଚିତ୍ତରଂଜନ ମହାନ୍ତି ସୂଚନା ଦେଇଛନ୍ତି। ଏହାଛଡ଼ା ବାଲିଅନ୍ତା ଓ ବାଲିପାଟଣା ଭଳି ସହର ଉପକଣ୍ଠର କିଛି ସ୍ଥାନରେ କୁମାରୀ ବିବାହର ଆଡ଼ମ୍ବର ଦେଖିବାକୁ ମିଳିବ।

ଡ.ହରିହର ପଟ୍ଟନାୟକ ପାଇବେ କୁମାରଶ୍ରୀ ସମ୍ମାନ
ଆସନ୍ତା ୬ ତାରିଖରେ ‘ୟୁଥ୍‌’ ପକ୍ଷରୁ ହେବାକୁ ଯାଉଥିବା ସପ୍ତଦଶ ରାଜ୍ୟସ୍ତରୀୟ କୁମାର ଉତ୍ସବ ପାଳନ କରାଯିବ। ଏହି ଅବସରରେ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ କ୍ରୀଡ଼ାବିତ୍‌ ଡ.ହରିପ୍ରସାଦ ପଟ୍ଟନାୟକଙ୍କୁ ‘କୁମାରଶ୍ରୀ ସମ୍ମାନ’ ପ୍ରଦାନ କରାଯିବ।

ଭୋଟପଡ଼ାରେ ପୂଜା ପାଇବେ ଧନଲକ୍ଷ୍ମୀ
ଚନ୍ଦ୍ରଶେଖରପୁର ): ରାଜଧାନୀ ଉପକଣ୍ଠରେ ମଧ୍ୟ ମା’ ଲକ୍ଷ୍ମୀଙ୍କୁ ଆବାହନ କରିବାନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଞେ୍‌ଶ୍ୱର ଷ୍ଟେସନ୍‌ ନିକଟସ୍ଥ ଭୋଟପଡ଼ା ଗ୍ରାମରେ ବହୁ ଆଡ଼ମ୍ବରରେ ମା’ ଧନଲକ୍ଷ୍ମୀଙ୍କୁ ଆବାହନ କରାଯିବ। ଏନେଇ ନିର୍ମିତ ସଦୃଶ୍ୟ ତୋରଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଏହିଅବସରରେ ଗୁରୁବାରଠାରୁ ପୂଜା ପଡ଼ିଆରେ ବିଭିନ୍ନପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସପ୍ତଦିବସବ୍ୟାପି ଚାଲିବାକୁ ଥିବା ଏହି ପୂଜାରେ ପ୍ରତିଦିନ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଇଛି। ଅନୁଷ୍ଠାନର ମୁଖ୍ୟ ଦାସରଥୀ ନାୟକ ଏହି କାର୍ଯ୍ୟକ୍ରମକୁ ନିଜ ସାଥୀ ସଭ୍ୟମାନଙ୍କ ସହ ପରିଚାଳନା କରୁଛନ୍ତି। ସ୍ଥାନୀୟ ଥାନା ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିବ। ଏ ବର୍ଷ ଏଠାରେ ପ୍ରାୟ ୮ ଫୁଟ୍‌ ଉଚ୍ଚତାର ମା’ ଧନଲକ୍ଷ୍ମୀଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଗୁରୁବାର ସକାଳୁ ଗ୍ରାମବାସୀମାନେ ନିକଟସ୍ଥ ନଦୀରୁ କଳସଯାତ୍ରା କରି ମା’ଙ୍କ ନିକଟରେ ସ୍ଥାପନା କରିବେ। ପରେ ସଂଧ୍ୟାରେ ରୀତିନୀତି ଅନୁଯାୟୀ ମା’ ଧନଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯିବ।

ସର୍ବଧର୍ମ ସମନ୍ଵୟରେ ୩ ଦିନ ହେବ ମା’ଙ୍କ ପୂଜା
ଚନ୍ଦ୍ରଶେଖରପୁର : ଗୋଟିଏ ମଣ୍ଡପରେ ଶୋଭାପାଆନ୍ତି ଜଗତଜନନୀ ମା’ ଦୁର୍ଗା ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ୨୦୦୮ମସିହାରୁ ଡିଷ୍ଟ୍ରିକ୍ଟ ସେଣ୍ଟର ଓନରସ୍‌ ଆସୋସିଏସନ୍‌ ସର୍ବଧର୍ମ ସମନ୍ଵୟରେ ତ୍ରିଦିନାତ୍ମକ ଗଜଲକ୍ଷ୍ମୀ ପୂଜା ପାଳନ କରିଆସୁଛି। ଚଳିତବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ଧୂମ୍‌ଧାମରେ ପାଳନ କରାଯାଉଛି। ସର୍ବଧର୍ମର ବାର୍ତ୍ତା ଦେଉଥିବା ଏହି ପୂଜାର ଶୁଭ କଳସ ଏକ ଇସ୍‌ଲାମ୍‌ ଧର୍ମାବଲମ୍ବୀ ପରିବାରରୁ ଆସିଥାଏ। ଗୁରୁବାର ଦିନ ମା’ଙ୍କ ଜଳଯାତ୍ରା ସହିତ ରାତିରେ ପ୍ରାଣପ୍ରତିଷ୍ଠା ଓ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହେବ। ଶନିବାର ଦିନ ମା’ଙ୍କୁ ବିସର୍ଜନ ଦିଆଯିବା ସହିତ ପୂଜା ସମାପନ ହେବ। ଶୁକ୍ରବାର ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଡିଷ୍ଟ୍ରିକ୍ଟ ସେଣ୍ଟର ଏକ ବ୍ୟବସାୟିକ ସ୍ଥାନ ହୋଇଥିବାରୁ ଏଠାରେ ମା’ ଗଜଲକ୍ଷ୍ମୀଙ୍କୁ ଭକ୍ତିର ସହିତ ଆରାଧନା କରାଯାଇଥାଏ। ଶାରଦୀୟ ଦୁର୍ଗାପୂଜାରେ ଶୋଭା ପାଉଥିବା ସବୁ ଧର୍ମର ସଙ୍କେତ ବହନ କରୁଥିବା ଅନନ୍ୟ ତୋରଣ ଲକ୍ଷ୍ମୀପୂଜାରେ ମଧ୍ୟ ଶୋଭା ପାଇବ। ଡିଷ୍ଟ୍ରିକ୍ଟ ସେଣ୍ଟରର ସମସ୍ତ ବାସିନ୍ଦା, ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ସଂସ୍ଥାଗୁଡ଼ିକର ସହଯୋଗ ଓ ଆସୋସିଏସନର ନିଜସ୍ୱ ଉଦ୍ୟମରେ ସ୍ଥାୟୀ ମଣ୍ଡପରେ ମା’ଙ୍କୁ ପୂଜା କରାଯାଉଥିବା କମିଟିର ସମ୍ପାଦକ ସରୋଜକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସମସ୍ତଙ୍କୁ ଭକ୍ତି ଭାବରେ ବାନ୍ଧି ରଖିବ। ବ୍ରହ୍ମପୁରର ପ୍ରସିଦ୍ଧ ଯୋଡ଼ିଶଙ୍ଖ ସହିତ ଘଣ୍ଟୁଆମାନଙ୍କର ଘଣ୍ଟ ନାଦର ତାଳେ ତାଳେ ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ମା’ଙ୍କୁ ମେଲାଣି ଦିଆଯିବ। ନେଇ ସଭାପତି ସଞ୍ଜୟ କୁମାର ସାହାଣୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର