ଭୁବନେଶ୍ବର: ମ୍ୟୁଜିୟମ ଛକରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍ ପ୍ରାୟ ୨୦୦ମିଟର ସରକାରୀ ଜମି ଜବରଦଖଲ କରି ସୌନ୍ଦର୍ଯ୍ୟକରଣ କରିଥିଲେ ହେଁ ଏହାକୁ ଭାଙ୍ଗିବାକୁ କେହି ସାହସ କରୁନାହାନ୍ତି। ବିଏମ୍ସି, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଉଚ୍ଛେଦକାରୀ ଟିମ୍ ପ୍ରତ୍ୟେକ ଦିନ କ୍ୟାବିନ୍ ଓ ଚାଳିଆ ଦୋକାନ ଉଚ୍ଛେଦ କରୁଥିଲେ ହେଁ ଏହି ମଲ୍ର ଜବରଦଖଲ ପ୍ରତି ଆଖି ବୁଜି ଦେଇଛନ୍ତି। ଏହି ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଥାଇ ବି କାହିଁକି ଉଚ୍ଛେଦ କରୁନାହାନ୍ତି ସେନେଇ ପ୍ରଶ୍ନ ଉଠିଲାଣି।
ମଲ୍ ସମ୍ମୁଖରେ ସରକାରୀ ଜମି ଉପରେ ହୋଇଥିବା ଜବରଦଖଲକୁ ଭାଙ୍ଗିବାକୁ ଅଗଷ୍ଟ ୧୭ରେ ନିର୍ଦ୍ଦେଶ ହୋଇଥିଲା। ସେହି ନିର୍ଦ୍ଦେଶନାମାରେ ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଉଚ୍ଛେଦକାରୀ ଟିମ୍ ମାଉସୀ ମା’ ଛକରୁ ବିଏମ୍ସି ଅଫିସ ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିଥିଲା। ଏହାପରେ ହଠାତ୍ ଉଚ୍ଛେଦ ବନ୍ଦ ହୋଇଯାଇଥିଲା। ଏପରିକି ମଲ୍ ସମ୍ମୁଖ ସୌନ୍ଦର୍ଯ୍ୟକରଣ ଉଚ୍ଛେଦ କରିବାକୁ ବିଏମ୍ସି ଓ ପୂର୍ତ୍ତ ବିଭାଗର ମିଳିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଥିଲେ ହେଁ ଏହି ଉଚ୍ଛେଦ ହୋଇ ନ ଥିଲା। ବିଏମ୍ସିର ଜୋନାଲ ଡେପୁଟି କମିସନର (ଦକ୍ଷିଣ-ପୂର୍ବ) ଏନେଇ ରିକ୍ୟୁଜିସନ୍ ଦେବା ପରେ ବି ଉଚ୍ଛେଦ ହେଲାନି।
ବିଏମ୍ସି କର୍ତ୍ତୃପକ୍ଷ ଚୁପ୍ଚାପ୍ ରହିଯିବାରୁ ମଲ୍ କର୍ତ୍ତୃପକ୍ଷ ଅଧିକ ସୌନ୍ଦର୍ଯ୍ୟକରଣ କରି ଚାଲିଲେ। ଏହାପରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ତନାଘନା ଆରମ୍ଭ ହୋଇଥିଲା। ବିଏମ୍ସି କର୍ତ୍ତୃପକ୍ଷ ଗତ ୧୩ ତାରିଖରେ କହିଥିଲେ ଯେ, ୭ଦିନ ଭିତରେ ଏହି ଜବରଦଖଲ ଉଚ୍ଛେଦ ହେବ। କିନ୍ତୁ ଆଜିକୁ ୧୦ଦିନ ବିତିଯାଇଥିଲେ ହେଁ କିଛି ନିଷ୍ପତ୍ତି ନିଆଯାଇ ପାରିଲାନି। ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମଲ୍ ସମ୍ମୁଖରେ ହୋଇଥିବା ବେଆଇନ୍ ସୌନ୍ଦର୍ଯ୍ୟକରଣକୁ ଉଚ୍ଛେଦ କରିବା ପାଇଁ ପୂର୍ତ୍ତ ବିଭାଗ ଲେଖିକି ଦେଇଛି। ସେମାନେ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ କରିବାକୁ ଥିବାରୁ ଏହାକୁ ଉଚ୍ଛେଦ କରିବାକୁ କହିଛନ୍ତି। ଏନେଇ ଆସନ୍ତା ୨୬ତାରିଖରେ ବସିବାକୁ ଥିବା କେନ୍ଦ୍ରୀୟ ଉଚ୍ଛେଦ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ଏହାପରେ କେବେ ଉଚ୍ଛେଦ ହେବ ସେନେଇ ନିଷ୍ପତ୍ତି ହେବ।