ଗାନ୍ଧୀମାର୍ଗକୁ ନେଇ ଅକଳରେ ପୁଲିସ

ପୁଲିସ କମିସନରଙ୍କ ସହ ଡିଜିଙ୍କ ଆଲୋଚନା, ଉଚ୍ଛେଦ ହେବ ଉଠା ଦୋକାନ

ଭୁବନେଶ୍ୱର : ମହାତ୍ମାଗାନ୍ଧୀ ମାର୍ଗ ଆନ୍ଦୋଳନକାରୀଙ୍କ କବ୍‌ଜାକୁ ଚାଲିଯିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସଂଧ୍ୟାରେ ଡିଜି ଶର୍ମା ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ହାଇକୋର୍ଟରେ ଝୁଲି ଥିବା ମାମଲାର ସମୀକ୍ଷା କରିବାକୁ ପୁଲିସ କମିସନରଙ୍କୁ କୁହାଯାଇଛି। ଏହାଛଡ଼ା କେମିତି ମହାତ୍ମାଗାନ୍ଧୀ ମାର୍ଗ ଜବରଦଖଲମୁକ୍ତ ହେବ, ସର୍ଭିସ ରୋଡ୍‌ରେ ଯେମିତି କ୍ୱାର୍ଟର୍ସ ବାସିନ୍ଦା ସମେତ ଅନ୍ୟମାନେ ଯିବା ଆସିବା କରିପାରିବେ, ସେ ବିଷୟରେ ଜରୁରୀକାଳୀନ ପରିସ୍ଥିତିରେ ପଦକ୍ଷେପ ନେବାକୁ ପୁଲିସ ଡିଜି କହିଛନ୍ତି। ଏହା ଛଡ଼ା କ୍ୱାର୍ଟର୍ସବାସିନ୍ଦାଙ୍କୁ ଯିବା ଆସିବାରେ ଯେଭଳି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ଯୋଜନା ହେଉଛି। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ପୁଲିସ ଡିଜି ଆଶାବ୍ୟକ୍ତ କରିଛନ୍ତି।

ପ୍ରକାଶଥାଉକି, ରାଜଧାନୀର ଅନ୍ୟତ୍ର କେଉଁଠିକୁ ବିକ୍ଷୋଭସ୍ଥଳ ଉଠାଇ ନେବାକୁ ଯୁକ୍ତି ରଖି ୨୦୦୫ ମସିହାରେ ବରିଷ୍ଠ ସାମ୍ବାଦିକ କେ ରବି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ରାଜ୍ୟ ସରକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା। ମାମଲା ରୁଜୁ ହେବାର ୧୩ ବର୍ଷ ବିତିଗଲାଣି। କିନ୍ତୁ ଏଯାଏ ଜନତା ମଇଦାନକୁ ଉଠି ପାରିଲାନି ଆନ୍ଦୋଳନସ୍ଥଳ। ରାଜ୍ୟ ସରକାର ଜାଣିଶୁଣି ଏହି ମାମଲାକୁ ହାଇକୋର୍ଟରେ ଝୁଲାଇ ରଖିଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି।

ବରିଷ୍ଠ ସାମ୍ବାଦିକ କେ ରବି ଅଭିଯୋଗ କରିଛନ୍ତି ଯେ ରାଜଧାନୀର ଅନ୍ୟ କେଉଁଠି ରାସ୍ତାରୋକ ହେଲେ ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଗିରଫ କରି କୋର୍ଟଚାଲାଣ କରୁଛି। କିନ୍ତୁ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବାକୁ ପୁଲିସ ଲାଇସେନ୍ସ ପ୍ରଦାନ କରୁଛି। କେଉଁ ଅଧିକାର ବଳରେ କମିସନରେଟ ପୁଲିସ ଏଭଳି କରୁଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେ ରବି। ମାଇକ୍‌ର ଶବ୍ଦ ଏତେ ଜୋରରେ ହେଉଛି କି ପିଲାମାନେ ଘରେ ପାଠ ପଢ଼ିବା ସମ୍ଭବ ହେଉ ନାହିଁ। ଘରର ଗେଟ୍‌ ସବୁବେଳେ ବନ୍ଦ କରିବାକୁ ପଡ଼ୁଛି। ନଚେତ ବିକ୍ଷୋଭକାରୀମାନେ କ୍ୱାର୍ଟର୍ସ ପରିସର ଭିତରକୁ ଧସେଇ ପଶି ଆସୁଛନ୍ତି। ସୁଲଭ ଶୌଚାଳୟ ଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ରାତିରେ କ୍ୱାର୍ଟସ ଆଗରେ ଝାଡ଼ା, ପରିସ୍ରା କରୁଛନ୍ତି।

ବିକ୍ଷୋଭକାରୀଙ୍କ ଛଡ଼ା ଲୋୟର ପିଏମ୍‌ଜି ଏବେ ଶାଢ଼ି, ଚୁଡ଼ିଠାରୁ ଆରମ୍ଭ କରି ଭାତ, ଡାଲି, ଗାମୁଛା, ଟୋପି, ଲୁଙ୍ଗି, ଗାମୁଛା ଭଳି ଉଠା ଦୋକାନୀଙ୍କ କବ୍‌ଜାରେ। ଯିଏ ଯେଉଁଠି ଯାହା ଖାଇଲା ରାସ୍ତା ଉପରେ ଅଳିଆ ଫିଙ୍ଗି ପାର୍‌। ବିଏମ୍‌ସିର ବି ଏଥି ପ୍ରତି ନିଘା ନାହିଁ। ସତେ ଯେମିତି ଲୋୟର ପିଏମ୍‌ଜିରୁ ଜବରଦଖଲ ଉଚ୍ଛେଦ ନ କରିବାକୁ ବିଏମ୍‌ସି ପଣ କରିଛି।

ସମ୍ବନ୍ଧିତ ଖବର