‘ତ୍ୟାଗୀ’ ବଖାଣିଲା ଗାନ୍ଧୀଙ୍କ ଜୀବନୀ

ଭୁବନେଶ୍ବର: ‘ତ୍ୟାଗ’ ମଣିଷ ଜୀବନର ଏକ ମହତ୍‌ ଗୁଣ। ‌ମୋହନଦାସ ଯେତେବେଳେ ୭/୮ ବର୍ଷର ହୋଇଥା’ନ୍ତି, ହରିଶ୍ଚନ୍ଦ୍ର ନାଟକ ତାଙ୍କର କୋମଳ ମନକୁ ଗଭୀର ଭାବେ ପ୍ରଭାବିତ କରେ। ନାଟକ ମାଧ୍ୟମରେ ଦେଖିଥିବା ତ୍ୟାଗର ଗୁଣ ତାଙ୍କ ଅଜାଣତରେ ମନରେ ଅଙ୍କୁରିତ ହୁଏ ଓ ସମୟକ୍ରମେ ଏହାର ଶାଖାପ୍ରଶାଖା ମେଲି ମୋହନଦାସଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରେ। ଗାନ୍ଧୀଙ୍କ ଜୀବନୀ ଓ ମୂଲ୍ୟବୋଧକୁ ନେଇ ଭଞ୍ଜ କଳା ମଣ୍ଡପଠାରେ ମଞ୍ଚସ୍ଥ ନାଟକ ‘ତ୍ୟାଗୀ’ ଦର୍ଶକଙ୍କୁ ଗଭୀର ଚିନ୍ତନ ରାଇଜକୁ ଟାଣି ‌ନେଇଥିଲା। ନ୍ୟାସ୍‌ନାଲ ସ୍କୁଲ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ଓ ନାଟ୍ୟ ଚେତନା ପକ୍ଷରୁ ଆୟୋଜିତ ନାଟ୍ୟ କର୍ମଶାଳାରେ ପ୍ରସ୍ତୁତ ଏହି ନାଟକର ରଚନା ସୁବୋଧ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଶଶଧର ଆଚାର୍ଯ୍ୟ। କାର୍ଯ୍ୟକ୍ରମରେ ବାଜି ରାଉତ ଛାତ୍ରାବାସର ସଭାପତି କ୍ରିଷ୍ଣା ମହାନ୍ତି ଓ ନାଟ୍ୟ ବ୍ୟକ୍ତିତ୍ବ ତଥା ଅଭିନେତା ଅଜିତ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏନ୍‌ଏସ୍‌ଡିର ନିର୍ଦ୍ଦେଶକ ସୁରେଶ ଶର୍ମା, ନାଟ୍ୟ ଚେତନାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଓ ନାଟ୍ୟ କର୍ମଶାଳାର ନିଦ୍ଦେର୍ଶକ ଶଶଧର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର