ଗଙ୍ଗପଡ଼ାରେ ୨ ଦୁର୍ଘଟଣା, ୩ ଗୁରୁତର

ଖଣ୍ଡଗିରି,: ଗୁରୁବାର ଅପରାହ୍‌ଣ ପ୍ରାୟ ୫ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଘଟିଥିବା ଦୁଇଟି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୃଥକ ପୃଥକ ଭାବେ ଗୋଟିଏ କାର୍ ଓ ଗୋଟିଏ ବାଇକ୍‌ ଡିଭାଇଡରରେ ପିଟି ହୋଇଥିବାରୁ ଏଭଳି ଅଘଟଣ ଘଟିଛି। ସୌଭାଗ୍ୟକୁ କାର୍‌ଟି ଡିଭାଇଡର୍‌ ଡେଇଁ ଏକ ଦ୍ରୁତଗାମୀ ଟ୍ରକ୍ ସମ୍ମୁଖରେ ପଡ଼ିଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛି। ଯାଁଳା ଫାଣ୍ଡି ପୁଲିସ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ସୂଚନାନୁସାରେ, ଭୁବନେଶ୍ବରରୁ ଖୋର୍ଧା ଅଭିମୁଖେ ଯାଉଥିବା କାର୍ ହଠାତ୍ କୌଣସି କାରଣରୁ ଡିଭାଇଡର୍‌ ଡେଇଁ ଜାତୀୟ ରାଜପଥର ଅପରପାର୍ଶ୍ବକୁ ଛିଟିକି ପଡ଼ିଥିଲା। ଠିକ୍‌ ଏହି ସମୟରେ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଦ୍ରୁତ‌ ବେଗରେ ଯାଉଥିବା ଏକ ମାଲବାହୀ ଟ୍ରକ୍‌ ସମ୍ମୁଖକୁ କାର୍‌ଟି ଚାଲି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଟ୍ରକ୍‌ଟି କାର୍ ଉପରେ ମାଡ଼ିଗଲା ବୋଲି ସମସ୍ତେ ଭାବି ନେଇଥିଲେ। କିନ୍ତୁ ଟ୍ରକ୍‌ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ କାର୍‌କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଫଳରେ କାର୍ ସମ୍ମୁଖ ଭାଗର ମାତ୍ର କିଛି ଅଂଶ ହିଁ ପିଟି ହୋଇଥିଲା। ତେବେ କାର୍ ଭିତରେ ଥିବା ଦୁଇଜଣ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଖୋର୍ଧା ମେଡିକାଲ ପଠାଇଥିଲେ। ଏହାର ମାତ୍ର ୧୦ ମିନିଟ୍‌ ପରେ ପରେ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା ଜଣେ ବାଇକ୍‌ ଚାଳକ ହଠାତ୍ ଡିଭାଇଡର୍‌ରେ ପିଟି ହୋଇଥିଲେ। ସେତେବେଳକୁ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାରିଥିଲା ଓ ବାଇକ୍‌ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଧା ମେଡିକାଲକୁ ପଠାଇଥିଲା।

ସମ୍ବନ୍ଧିତ ଖବର