ଗଙ୍ଗୁଆ ସୁରକ୍ଷା ପାଇଁ ପଦକ୍ଷେପ ନ ନେଲେ ଆନ୍ଦୋଳନ

ଭୁବନେଶ୍ବର : ପୂରା ପ୍ରଦୂଷିତ ହୋଇଯାଇଥିବା ଗଙ୍ଗୁଆର ସୁରକ୍ଷା ପାଇଁ ବିଡିଏ ତୁରନ୍ତ ପଦ‌େକ୍ଷପ ନେଉ। ନଚେତ୍ ଆଗକୁ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନର ଏକ ପ୍ରତିନିଧିମଣ୍ଡଳୀ ବିଡିଏ ସଚିବଙ୍କୁ ଭେଟି ଏ ସମ୍ପର୍କିତ ଦାବିପତ୍ର ଦେଇଛି। ଏହାସହ କେଉଁ କେଉଁ ବିଭାଗର ଅପାରଗତା ପାଇଁ ଗଙ୍ଗୁଆ ଆଜି ପ୍ରଦୂଷିତ ହୋଇଛି, ତାହା ବି ଜଣାଇଛି। ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ଅଭିଯାଗ କରିଛି ଯେ ବିଡିଏ ଘର ନିର୍ମାଣ ପାଇଁ ପ୍ଲାନ୍ ଅନୁମୋଦନ କରିବା ବେଳେ କଙ୍କ୍ରିଟ୍‌ ଆବର୍ଜନାକୁ କେଉଁଠି ପକାଇବ, ସେନେଇ ନିୟମ କରୁନି। ଫଳରେ ବହୁ ଲୋକ ଏହାକୁ ନେଇ ଗଙ୍ଗୁଆରେ ପକାଉଛନ୍ତି। ସେହିପରି ବିଏମ୍‌ସି ତା’ର ମୁଖ୍ୟ ଡ୍ରେନ୍‌ଗୁଡ଼ିକୁ ଗଙ୍ଗୁଆକୁ ଛାଡ଼ିଥିବା ବେଳେ ଏଥିରେ ବହୁଥିବା ସହରର ପ୍ରଦୂଷିତ ପାଣି ସିଧା ମିଶୁଛି। ଡ୍ରେନେଜ୍‌ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ପୂରା ନିରବ ରହିଛନ୍ତି। ସମସ୍ତେ ସଲାସୁତରାରେ ଥିବାରୁ ଗଙ୍ଗୁଆ ପ୍ରଦୂଷିତ ହେବାରେ ଲାଗିଛି। ଏପରିକି ରାଜଧାନୀର ଭୂତଳ ଜଳ ପ୍ରଦୂଷିତ ହେଲାଣି। ଗଙ୍ଗୁଆ ପାଣି ଦୟାନଦୀରେ ମିଶୁଥିବାରୁ ଦୟା ବି ପ୍ରଦୂଷିତ ହୋଇଗଲାଣି। ତେଣୁ ବିଡିଏ ଗଙ୍ଗୁଆର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେଉ ବୋଲି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୁହାଯାଇଛି।

ଆଜି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧିମଣ୍ଡଳୀରେ ଆବାହକ ସୁଦର୍ଶନ ଦାସ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ନିଲୁ ଖୁଣ୍ଟିଆ, ବିଜୟ ପ୍ରଧାନ, ପ୍ରସନ୍ନ ଶ୍ରୀଚନ୍ଦନ ରାୟ, ରାଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର