ଗଞ୍ଜେଇ ପାର୍ସଲ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌, ଜଣେ ଖଲାସ

ଭୁବନେଶ୍ୱର: ଭୁବନେଶ୍ବର ରେଳ ଷ୍ଟେସନ ପାର୍ସଲ ଅଫିସ ସାମ୍ନାରୁ ଗଞ୍ଜେଇ ଜବତ ମାମଲାର ରାୟ ପ୍ରକାଶ ପାଇଛି। ଆଜି ମାମଲାର ଶୁଣାଣି କରି ଅତିରିକ୍ତ ଦୌରାଜଜ୍‌ ଅରୁଣ କୁମାର ମଲ୍ଲିକ ଅଭିଯୁକ୍ତ ଗଞ୍ଜାମର ସୁକାନ୍ତ ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧ ଲକ୍ଷ ଟଙ୍କା ଜରିମନାଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ଅଧିକ କାରାଦଣ୍ଡାଦେଶ ହୋଇଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଗଞ୍ଜାମର ଅମୂଲ୍ୟ ଦୋରାଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହୋଇ ପାରିନାହିଁ। ଏଣୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ଜିଆ ଉଲ ହକ୍‌ ମାମଲା ପରିଚାଳନା କରିଥିଲେ। ସୂଚନା ମୁତାବକ, ଗତ ୨୦୧୫ ନଭେମ୍ବର ୧୮ ତାରିଖ ଦିନ ବାହାରକୁ ଚାଲାଣ ହେବା ପାଇଁ ୫୮କେଜି ୧୦୦ ଗ୍ରାମ୍‌ ଗଞ୍ଜେଇ ଭୁବନେଶ୍ବର ରେଳ ଷ୍ଟେସନରେ ଥିବା ପାର୍ସଲ ଅଫିସ୍‌ରେ ପହଞ୍ଚିଥିଲା। ସୁକାନ୍ତ ପ୍ରଧାନ ଆଣିଥିବା ଏହି ଗଞ୍ଜେଇକୁ ଅମୂଲ୍ୟ ଦୋରା ପାର୍ସଲ ବୁକିଂ କରୁଥିଲା। ଖବର ପାଇ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀମାନେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଗଞ୍ଜେଇ ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ୩ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର