ଠେଲା ଦୋକାନୀଙ୍କୁ ମିଳୁଛି ଘରୋଇ ଗ୍ୟାସ ସିଲିଣ୍ଡର

ଯୋଗାଣ ବିଭାଗ ସଲାସୁତୁରାରେ ଚାଲିଛି ବିପଜ୍ଜନକ କାରବାର

ଭୁବନେଶ୍ବର: ଘରୋଇ ଗ୍ୟାସ୍ ସିଲିଣ୍ଡରକୁ ବ୍ୟବହାର କରୁଛନ୍ତି ବେପାରୀ। ଛତୁ ଫୁଟିବା ଭଳି ରାଜଧାନୀର ବିଭିନ୍ନ ହାଟ, ହୋଟେଲ୍ ଓ ରାସ୍ତାକଡ଼ରେ ଖୁଲମଖୁଲା ଭାବେ ଘରୋଇ ଗ୍ୟାସ ସିଲିଣ୍ଡର୍‌ ବ୍ୟବହାର ହେଉଛି। ବର୍ଷ ବର୍ଷ ଧରି ଘରୋଇ ଗ୍ୟାସ୍ ସିଲିଣ୍ଡର୍‌କୁ ବ୍ୟବହାର କରି ବେପାରୀ ମାଲେମାଲ ହେଉଛନ୍ତି। ଯୋଗାଣ ବିଭାଗର ସଲାସୁତୁରାରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍‌ ବାହାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ନିୟମିତ ଚଢ଼ଉ ହେଉ ନ ଥିବାରୁ ଏହା ଉପରେ ନିୟନ୍ତ୍ରଣ ଆସିପାରୁ ନାହିଁ। ରାଜଧାନୀର କୋଚିଳେଇ ହାଟ, ୟୁନିଟ୍ ୧, ୟୁନିଟ୍ ୪, ସହିଦ ନଗର ସମେତ ଯେଉଁ ଯେଉଁ ସ୍ଥାନରେ ଠେଲା ବ୍ୟବସାୟୀ ରହିଛନ୍ତି ସେସବୁ ସ୍ଥାନରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର୍‌କୁ ବ୍ୟବହାର କରାଯାଉଛି। ‌ଏକାଧିକ ଗ୍ୟାସ୍ ଟାଙ୍କି ସେମାନଙ୍କ ନିକଟରେ ଥିବା ଦେଖିବାକୁ ମିଳୁଛି। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ରହିଥିଲେ ହେଁ ତାହାକୁ କୌଣସି ବ୍ୟବସାୟୀ ବ୍ୟବହାର କରୁ ନାହାନ୍ତି। ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୧୨ଶହ ଟଙ୍କାରେ ବିକ୍ରି ହେଉଛି। ଏହାସତ୍ବେ ମଧ୍ୟ ହୋଟେଲ, ଠେଲା ବ୍ୟବସାୟୀମାନେ ଏହାକୁ ବ୍ୟବହାର କରୁଛନ୍ତି। କିଛି ବ୍ୟବସାୟୀ ସିଲିଣ୍ଡର୍‌ର କୌଣସି ପ୍ରକାର ସଂକଟକୁ ଦୂରେଇବା ପାଇଁ ପାଣି ଟାଙ୍କିରେ ଏହାକୁ ବୁଡ଼ାଇ ରଖୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଯୋଗାଣ ବିଭାଗ‌ ଏହାକୁ ଚାହିଁ ନ ଚାହିଁଲା ଭଳି ଚୁପ୍ ରହିଛି। ନିକଟରେ କେବେ ଏ ସଂକ୍ରାନ୍ତରେ ରାଜଧାନୀରେ ଚଢ଼ଉ ହୋଇଥିଲା ତାହା ମଧ୍ୟ ଯୋଗାଣ ଅଧିକାରୀମାନେ କହିପାରୁ ନାହାନ୍ତି। ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ଲୋକମାନେ ଏ ସଂପର୍କରେ ସଚେତନ ନୁହନ୍ତି। ତେଣୁ ଆଗାମୀ ଦିନରେ କମିସନରେଟ୍ ପୁଲିସ, ଯୋଗାଣ ବିଭାଗ ଓ ବିଏମ୍‌ସିର ମିଳିତ ସହଯୋଗରେ ଲୋକମାନଙ୍କୁ ସଚେତନ କରାଯିବାକୁ ଯୋଜନା କରାଯାଇଛି। ଯଦି ଏଥିରେ ‌ଦୋକାନୀମାନେ ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଥିବା ନଜରକୁ ଆସିବ ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ୟାସ୍‌ ସଂଯୋଗ ଏବେ ସହଜ ହୋଇଥିବାରୁ ଲୋକମାନେ ଏକାଧିକ ଗ୍ୟାସ୍ ସିଲିଣ୍ଡର ଘରେ ରଖୁଛନ୍ତି। ନିର୍ବାଚନ ଡ୍ୟୁଟିରେ ଅଧିକାରୀମାନେ ନି‌ୟୋଜିତ ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରୁ ନାହିଁ ବୋଲି ଅଧିକାରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର