ଡେଙ୍ଗୁ ପାଇଁ ବାଟ ମୁକୁଳା

ଭୁବନେଶ୍ୱର: ମୌସୁମୀ ଛୁଇଁବା ପୂର୍ବରୁ ରାଜଧାନୀରେ ଡେଙ୍ଗୁ ଆତଙ୍କ। ଗୁରୁବାର ଡେଙ୍ଗୁରେ ପ୍ରଥମ ମୁଣ୍ଡ ଗଡ଼ିବା ପରେ ଏବେ ସହରବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି। ୧୫ରୁ ଊର୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ୁଛି। ହେଲେ ଏଯାଏଁ ବିଏମ୍‌ସି ପକ୍ଷରୁ ସେଭଳି ତତ୍ପରତା ପ୍ରକାଶ କରାଯାଇନି। ସହରର ପରିମଳ ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଥିଲେ ସୁଦ୍ଧା ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଯେଉଁଠିକୁ ଚାହିଁଲେ ସେଠାରେ ଦେଖିବାକୁ ମିଳୁଛି ପରିମଳର ବିକୃତ ଚିତ୍ର। ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ରୁଚିକା ମାର୍କେଟ, ନୂଆପଲ୍ଲୀ ନୂଆସାହି ଅଞ୍ଚଳର ମୁଖ୍ୟ ରାସ୍ତାରେ ଖଲି, ଠୁଙ୍ଗା, ପ୍ଲାଷ୍ଟିକ୍‌ କପ୍‌, ଗ୍ଲାସ୍‌ ଆଦି ବହୁ ଦିନ ହେଲା ପଡ଼ି ରହିଛି। ୟୁନିଟ୍‌-୪ ମାଛ ମାର୍କେଟରେ ପାଣି ଜମି ରହିଥିବାରୁ ମଶା ବଂଶ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ପୁରୁଣା ଭୁବନେଶ୍ୱର ଅବସ୍ଥା ତଦ୍ରୂପ। ମନ୍ଦିରମାଳିନୀ ଏହି ଅଞ୍ଚଳର ସବୁ ମନ୍ଦିର ପାର୍ଶ୍ୱରେ ଭଙ୍ଗା ଷଢ଼େଇ, କଦଳୀ ଚୋପା, ଭଙ୍ଗା ଆଟିକା, ଠୁଙ୍ଗା, ଚାଙ୍ଗୁଡ଼ି ଆଦି ପଡ଼ି ରହିଛି। ମନ୍ଦିର ନିକଟରେ ଥିବା ପଇଡ଼ ଦୋକାନ ପାଖରେ ପାହଡ଼ ଉଚ୍ଚର କଟା ପଇଡ଼ ଗଦା ହୋଇଥିବାରୁ ମଶା ବଂଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ସେହିପରି କଟକ ରୋଡ୍‌ରେ ଯୁଆଡେ ଚାହିଲେ ଜମା ହୋଇଛି ଗଦା ଗଦା ଟାୟାର। ସାଲିଆସାହି ଓ ନୀଳଚକ୍ରନଗର ଅଞ୍ଚଳରେ ଡ୍ରେନ୍‌ଗୁଡ଼ିକ ଆବର୍ଜନା ଭର୍ତ୍ତି ହୋଇଥିବାରୁ ଲୋକେ ଦିନରେ ବି ମଶାଙ୍କ କବଳରୁ ରକ୍ଷା ପାଇ ପାରୁନାହାନ୍ତି। ସହରର ଗଳିକନ୍ଦି ତ ଦୂରର କଥା, ରାଜରାସ୍ତା ଉପରେ ମଧ୍ୟ କୁଢ଼କୁଢ଼ ଡେଙ୍ଗୁ ମଶା ବଂଶ ବିସ୍ତାରକାରୀ ଆବର୍ଜନାର ସମ୍ଭାର ଦେଖିବାକୁ ମିଳୁଛି।

ଆରମ୍ଭ ହେଲା ପ୍ରତିକାର ବ୍ୟବସ୍ଥା
୪ ଡେଙ୍ଗୁ ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଗଲା

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ପରେ ବିଏମ୍‌ସି ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା ଆରମ୍ଭ ହୋଇଛି। ନୀଳାଦ୍ରି ବିହାରରେ ଏକ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ଓ୍ଵାର୍ଡ-୧୩ ଏବଂ ଏହା ଆଖପାଖ ଅଞ୍ଚଳରେ ବ୍ୟାପକ ସଫେଇ କରାଯାଇଛି। ବିଏମ୍‌ସି ପକ୍ଷରୁ ସିଅନ୍‌ ଶ୍ରମିକ ବସ୍ତି, ଅନନ୍ତ ବସ୍ତି, ନୀଳମାଧବ ବସ୍ତି, ବିଡିଏ କଲୋନି ଫେଜ୍‌-୧ ଏବଂ ଫେଜ୍‌-୨ରେ ସଫେଇ କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଛି। ଆଣ୍ଟି ଲାର୍ଭା ଛିଞ୍ଚନ କରଯିବା ସହ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ, ବୁସ୍‌ କଟିଂ, ଆବର୍ଜନା ଗଦା ହେଉଥିବା ସ୍ଥାନରେ ବ୍ଲିଚିଂ ପାଉଡର୍‌ ଛିଞ୍ଚନ କରାଯାଇଛି। ବିଏମ୍‌ସି କର୍ମଚାରୀମାନେ ୫୦୦ ଘର ବୁଲିବା ସହ କେଉଁଠି ଏଡିସ୍‌ ମଶା ବସା ବାନ୍ଧୁଛନ୍ତି ଖୋଜିଥିଲେ। ୨୦ଟି ଘର ଚିହ୍ନଟ ହେବା ପରେ ସେଠାରେ ପ୍ରତିକାର ବ୍ୟବସ୍ଥା କରାଯାଇଥିଲା। ସେହିପରି ଏଡିଏମ୍‌ଓ (ଜନସ୍ୱାସ୍ଥ୍ୟ)ଙ୍କ ନେତୃତ୍ୱରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ୧୧୨ଟି ଘର ବୁଲିଥିଲେ। ୪ଜଣଙ୍କୁ ଡେଙ୍ଗୁ ହୋଇଥିବା ସନ୍ଦେହ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ୧୫ଟି ଜାଗାରେ ଏଡିସ୍‌ ମଶା ଅଣ୍ଡା ଦେଇଥିବା ଜଣାପଡ଼ିବା ପରେ ସେଠାରେ ଆଣ୍ଟି ଲାର୍ଭା ସ୍ପ୍ରେ କରିଥିଲେ।

ସମ୍ବନ୍ଧିତ ଖବର