ଦିବ୍ୟାଙ୍ଗଙ୍କ ଉପରେ ବାର୍ଧକ୍ୟ ବୋଝ: ଜିନିଙ୍କ ପାଇଁ ଯୋଜନା ଅପହଞ୍ଚ

ଭୁବନେଶ୍ବର: ସାନ ମଝିଆଁ ବୋଲି ସେ ଥିଲେ ଭାରି ଗେଲବସର। ପୋଲିଓ ଆକ୍ରାନ୍ତ ଯୋଗୁଁ ୪ଭଉଣୀ ଭିତରେ ସେ ଥିଲେ ମା’ଙ୍କର ଅତି ଗେହ୍ଲା। ‌ମାତ୍ର ଯେବେ ମା’ ଆରପାରିକୁ ଚାଲିଗଲେ, ପୂରା ଦୁନିଆଟା ତାଙ୍କ ପାଇଁ ନିଃସ୍ବ ହୋଇଗଲା। ଅନ୍ୟ ଭଉଣୀମାନେ ବି ବାହା ହୋଇ ଶାଶୂଘରକୁ ଚାଲିଗଲେ। କିନ୍ତୁ ଦିବ୍ୟାଙ୍ଗ ଯୋଗୁଁ ଚାରିକାନ୍ଥ ଭିତରେ ସେ କଏଦ ହୋଇଗଲେ। ନିଜ କାମ ନିଜେ କରିବାକୁ ଅକ୍ଷମ ଥିଲେ ହେଁ ଏବେ ପକ୍ଷାଘାତରେ ପୀଡ଼ିତ ବୃଦ୍ଧ ବାପାଙ୍କ ବୋଝ ବି ତାଙ୍କୁ ବୋହିବାକୁ ପଡ଼ୁଛି। ନହରକଣ୍ଟାସ୍ଥିତ ହରିଦାସପୁର ଭୋଇସାହିର ଜିନି ଭୋଇ ଦୀର୍ଘ ଦିନ ହେବ ଏମିତି ଏକ ଅଭିଶପ୍ତ ଜୀବନ ଜିଉଁଛନ୍ତି। ମାତ୍ର ଭଙ୍ଗା ମାଟି ଚାଳିଆ ଘରେ ପଡ଼ି ରହିଥିବା ଏ ପରିବାର ଉପରେ ପ୍ରଶାସନର ସଦୟ ଦୃଷ୍ଟି ପଡ଼ି ପାରିନାହିଁ। ଏମିତି ଜୀବନ ଜିଇଁବା ଅପେକ୍ଷା ବେ‌ଳେବେଳେ ସେ ଅଫେରା ପଥକୁ ବି ବାଛିଛନ୍ତି। କିନ୍ତୁ ବାପାଙ୍କ ନିଃସହାୟବୋଧ ତାଙ୍କ ପଥ ଓଗାଳିଛି।

ମାଟି କୁଡ଼ିଆ ଘର ଖଣ୍ଡିକ ହେଉଛି ଜିନିଙ୍କ ସର୍ବମୋଟ ସମ୍ବଳ। ଏହା ବ୍ୟତୀତ ତାଙ୍କୁ ମିଳୁଥିବା ଦିବ୍ୟାଙ୍ଗ ଭତ୍ତା ବାବଦ ୫ଶହ ଟଙ୍କା ଏବଂ ତାଙ୍କ ବାପାଙ୍କୁ ମିଳୁଥିବା ବାର୍ଧକ୍ୟ ଭତ୍ତା ବାବଦ ୩ଶହ ଟଙ୍କାରେ ହିଁ ମାସକର ଗୁଜୁରାଣ ମେଣ୍ଟେ। ହେତୁ ପାଇବା ପରେ ସବୁ ଝିଅଙ୍କ ଭଳି ଜିନି ବି ଦିନେ ବାହା ହୋଇ ଘର ସଂସାରର ସ୍ବପ୍ନ ଦେଖିଥିଲେ। ହେଲେ ସ୍ବପ୍ନ ସବୁ ସ୍ବପ୍ନରେ ରହିଗଲା। ଏବେ ତାଙ୍କୁ ଦୁଇଜଣ କେହି ଟେକି ପଡ଼ିଆକୁ ନେଲେ ସେ ସେଠାରେ ଶୌଚ ହୁଅନ୍ତି। କେହି ସାହାଯ୍ୟ କଲେ ଭତ୍ତା ଆଣିବାକୁ ଯାଆନ୍ତି। ବିଡ଼ମ୍ବନା ଏହି ଯେ, ଅନେକ ସ୍ବଚ୍ଛଳ ବର୍ଗ ନିଜ ବାରିପଟେ ସ୍ବଚ୍ଛ ଭାରତ ମିସନ୍‌ ଯୋଜନାରେ ସରକାରଙ୍କଠାରୁ ମିଳୁଥିବା ୧୨ ହଜାର ଟଙ୍କାରେ ପାଇଖାନା ତିଆରି ପାଇଁ ସକ୍ଷମ ହୋଇଥିଲେ ହେଁ ବିଏମ୍‌ସି ଅଞ୍ଚଳରେ ଥାଇ ଜିନି ଆଜି ବି ଏ ‌ଯୁବତୀ ବୟସରେ ପଡ଼ିଆକୁ କିମ୍ବା ନାଳବନ୍ଧକୁ ଶୌଚ ହେବାକୁ ଯାଆନ୍ତି। ବର୍ଷେ ତଳୁ ଅନ୍ତୋଦୟ କାର୍ଡ ପାଇଁ ସେ ଆବେଦନ କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାଙ୍କୁ ଏହି କାର୍ଡ ମିଳି ପାରିନାହିଁ। ବାହାରକୁ କୁଆଡ଼େ ଯିବାକୁ ଚାହୁଥିଲେ ହେଁ ପାଖରେ ଟ୍ରାଇସାଇକେଲ୍‌ଟିଏ ନାହିଁ।

ଏଣେ ତାଙ୍କ ବାପା ଗଜେନ୍ଦ୍ର ଭୋଇଙ୍କ ଅବସ୍ଥା ବି ଧୀରେଧୀରେ ଶୋଚନୀୟ ହେଲାଣି। ପକ୍ଷାଘାତରୁ ଟିକେ ସୁସ୍ଥ ହେଉଣୁ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ତେଣୁ କେଉଁଆଡ଼େ ପଳାଉଛନ୍ତି ତ ପୁଣି ଏଣୁତେଣୁ ଗପି ହେଉଛନ୍ତି। ଆର୍ଥିକ ଦୁରବସ୍ଥା ହିଁ ଉଭୟଙ୍କୁ ପଙ୍ଗୁ କରିଦେଇଛି। ଜିନିଙ୍କ ଭଉଣୀମାନେ ଏତେ ସ୍ବଚ୍ଛଳ ହୋଇ ନଥିବାରୁ ସେମାନେ ବି ଜିନି ଓ ତାଙ୍କ ବାପାଙ୍କୁ ସବୁବେଳେ ସାହାଯ୍ୟ କରିପାରୁନାହାନ୍ତି। ଏଭଳି ସ୍ଥଳେ ଜିନିଙ୍କ ଇଚ୍ଛା ସେ ସ୍ବାବଲମ୍ବୀ ହେବେ। କିଛି କରିବେ। ଜିନି ଯେଉଁ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥା’ନ୍ତେ, ସେଇବର୍ଷ ତାଙ୍କ ମା’ ଆରପାରିକୁ ଚାଲିଗଲେ। ମା’ ଚାଲିଯିବା ପରେ ଜିନିଙ୍କ ବସ୍ତାନିରେ ଡୋରି ବନ୍ଧା ହେଲା। ଜିନି କିନ୍ତୁ ଆଜି ବି ତାଙ୍କ ମା’ଙ୍କ ସେଇ କଥା ଭାବି ଭାଳି ହୁଅନ୍ତି। ମା’ କାଳେ ତାଙ୍କୁ ଅଭୟ ଦେଇ କହୁଥିଲେ, ତୁ ପାଠ ପଢ଼। ମୁଁ ଥାଏ କି ନଥାଏ, କିନ୍ତୁ ତୁ ଯଦି ପାଠ ପଢ଼ିଥିବୁ ଭବିଷ୍ୟତରେ କେବେ ହାରିବୁନି। ମାତ୍ର ମା’ଙ୍କ କଥା ରଖି ପାରିଲେନି ଜିନି। ମା’ ଚାଲିଯିବା ପରେ ଯେମିତି ଦୁନିଆ ଯାକର ବୋଝ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ଥିଲା ବାଲାଏ ଅନେକ ଜନହିତକର ଯୋଜନାକୁ କରାୟତ୍ତ କରିନେଉଥିଲେ ହେଁ ବାସ୍ତବରେ ସହଯୋଗ ଲୋଡ଼ୁଥିବା ଜିନିଙ୍କ ଭଳି ଦିବ୍ୟାଙ୍ଗଙ୍କ ପାଖରେ ସେ ସବୁ ଯେମିତି ଅପହଞ୍ଚ।

ସମ୍ବନ୍ଧିତ ଖବର