କାର୍‌ରେ ଯୁବତୀଙ୍କୁ ଦୁଷ୍କର୍ମ କରି ଫିଙ୍ଗି ଦେବା ଘଟଣା : ସନ୍ଦେହରେ ଗଣଦୁଷ୍କର୍ମ

ପୀଡ଼ିତାଙ୍କୁ ଭେଟିଲେ ମହିଳା କମିସନ ଅଧ୍ୟକ୍ଷା, କାର୍‌ ଚାଳକ ଅଟକ, କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ଭୁବନେଶ୍ବର/ଖଣ୍ଡଗିରି/ଖୋର୍ଧା : ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ କାର୍‌ରୁ ଫିଙ୍ଗିଦେବା ଘଟଣା ନୂଆ ମୋଡ଼ ନେଇଛି। ଆଜି ପୁଲିସ ଓ ଅଦାଲତ ସାମ୍ନାରେ ଯୁବତୀ ବାରମ୍ବାର ବୟାନ ବଦଳାଇବାରୁ ତାଙ୍କୁ ଦୁଷ୍କର୍ମ ହୋଇଛି କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯୁବତୀଙ୍କ ବୟାନ ଆଧାରରେ ଖଣ୍ଡଗିରି ପୁଲିସ ଅଟକ ରଖିଥିବା କାର୍‌ ଚାଳକ ମଧ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯୁବତୀଜଣଙ୍କ କୌଣସି ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୁକ୍ତର ପରିବାରବର୍ଗ କହିଛନ୍ତି। ତେବେ ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଡାକ୍ତରୀମାଇନା ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। ସେହିପରି ଖବର ପାଇ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ଖଣ୍ଡଗିରି ଥାନାକୁ ଯାଇ ପୀଡ଼ିତାଙ୍କ ସହ ଆଲୋଚନା କରିଛନ୍ତି।

ବୁଧବାର ଅପରାହ୍‌ଣ ସାଢ଼େ ୪ଟା ବେଳେ ଯୁବତୀ ଏକ କାର୍‌ (ଓଡି୦୨-ଏଏଫ-୫୭୬୯) ଯୋଗେ ଖଣ୍ଡଗିରିରୁ ଖୋର୍ଦ୍ଧା ଅଭିମୁଖେ ଯାଇଥିଲେ। ଯାଁଳା ନିକଟରେ ବେଶ କିଛି ସମୟ ଅଟକି ଥିଲେ। ସେଠାରୁ ସେ ଖୋର୍ଧା ଯାଇଥି‌ଲେ। ପରବର୍ତୀ ସମୟରେ ତାଙ୍କୁ ସ୍ଥାନୀୟ ଲୋକ ଜେମାଦେଇପୁର ଶ୍ମଶାନ ନିକଟରୁ ଉଦ୍ଧାର କରି ପୁଲିସ ଜିମା ଦେଇଥିଲେ। ଖୋର୍ଧା ପୁଲିସ ଯୁବତୀଙ୍କୁ ଖୋର୍ଧା ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲା। ତେବେ ଅପରାଧର ପ୍ରଥମ ସ୍ଥାନ ଖଣ୍ଡଗିରି ଥାନା ହୋଇଥିବାରୁ ଖଣ୍ଡଗିରି ପୁଲିସ ଏକ ମାମଲା ରୁଜୁ କରିଛି ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ଅପରପକ୍ଷେ ଯୁବତୀଙ୍କ ଅଭିଯୋଗ ଅନୁସା‌ରେ ପୁଲିସ ଜଟଣୀ କୁଦିଆରି ଅଞ୍ଚଳର କାର୍‌ ଚାଳକ ସୌମ୍ୟରଂଜନ ମହାନ୍ତିକୁ ହେପାଜତକୁ ନେଇ ପଚରାଉଚରା କରୁଛି। ପୁଲିସ ଯୁବତୀଙ୍କ ଡାକ୍ତରୀମାଇନା କରିବା ସହ ସିଆରପିସି ଧାରା ୧୬୧ ଓ ୧୬୪ ଆଧାରରେ ବୟାନ ରେକର୍ଡ କରାଇଛି। ବୟାନରେ ତାଳମେଳ ରହୁନଥିବାରୁ ପୁଲିସ ସନ୍ଦେହ ପ୍ରକଟ କରିଛି।

‌ସେହିପରି ଏହି ଘଟଣାକୁ ଖଣ୍ଡନ କରି ଚାଳକଜଣଙ୍କ ପୁଲିସକୁ କହିଛନ୍ତି ଯେ ପ୍ରାୟ ବର୍ଷକ ତଳେ ସେ ଜଟଣୀ ଫେରୁଥିବା ବେଳେ ଯୁବତୀଜଣକ ତାଙ୍କୁ ଲିଫ୍ଟ ମାଗିଥିଲେ। ସେ ତାଙ୍କୁ ଖୋର୍ଧାରେ ଛାଡ଼ି ଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲା। ଦୁଇ ମାସ ତଳେ ପୀଡ଼ିତାଜଣଙ୍କ ଜରୁରୀ ଆବଶ୍ୟକ ଥିବା କହି ତାଙ୍କଠାରୁ ଦୁଇ ହଜାର ଟଙ୍କା ଧାର ନେଇଥିଲେ। ଏହା ପରେ ତାଙ୍କର ଖୋଜଖବର ନଥିଲା। ହଠାତ୍‌ ବୁଧବାର ଫୋନ୍‌ କରି ଟଙ୍କା ନେବାକୁ ତାଙ୍କୁ ଡାକିଥିଲେ। ସେ ଯାଁଳା ଛକରେ ପହଞ୍ଚିବା ପରେ ତାଙ୍କୁ ଖୋର୍ଧାରେ ଛାଡ଼ି ଦେବାକୁ କହିଥିଲା। କାର୍‌ ଭିତରେ ସେ ଚାଳକଙ୍କୁ ମୋହିତ କରିବାକୁ ଚେଷ୍ଟା କରିଥିଲେ। ପ୍ରତିବାଦ କରିବାରୁ ପୀଡ଼ିତା ଚିତ୍କାର କରି ରାସ୍ତାକଡ଼କୁ ଡେଇଁ ପଡିଥିଲେ। ଏହା ଦେଖି ଭୟରେ ସେ ସେଠାରୁ କାର୍‌ ନେଇ ପଳାଇ ଆସିଥିଲେ। ତେବେ କାର୍‌ ଚାଳକଙ୍କ କଥାକୁ ପୁଲିସ ଏତେଟା ଗୁରତ୍ବ ଦେଇନାହିଁ। ପୁଲିସ ନିଜେ ଅନୁସନ୍ଧାନ ଆରମ୍ଭ କରିଛି। କାହିଁକି କାର୍‌ ଚାଳକ ଖସି ଗଲେ ଓ ପରେ ପୁଲିସକୁ ଜଣାଇଲେ ନାହିଁ, ତାକୁ ନେଇ ପୁଲିସର ସନ୍ଦେହ ଉପୁଜିଛି। ସେହିପରି ପୁଲିସ ମଧ୍ୟ କାର୍‌ ଚାଳକଙ୍କ ଡାକ୍ତରୀମାଇନା କରାଇଛି। ଡାକ୍ତରୀ ମାଇନାରୁ ସ୍ପଷ୍ଟ ହୋଇଯିବ ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଛି ନା ନାହିଁ।

ତଦନ୍ତ ବେଳେ ପୁଲିସକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ପୀଡ଼ିତାଜଣଙ୍କ ପୂର୍ବରୁ ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରିଥିଲେ। ବିଧାୟକ ଏହାକୁ ଖଣ୍ଡନ କରିବାରୁ ସେ ତାଙ୍କ ବାସଭବନରେ ଭଙ୍ଗାରୁଜା କରିଥିଲେ। ଏପରିକି ବିଧାୟକଙ୍କ ଘର ଆଗରେ ଧାରଣରେ ବସିବା ସହ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ବିଧାନସଭା ଆଗରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର