ଖଣ୍ଡଗିରି : ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା କାଳୀ ମନ୍ଦିର ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ହେଲେ, କଟକ ସିଡିଏ ଅଞ୍ଚଳରେ ରହୁଥିବା ଭଦ୍ରକ ଚାନ୍ଦବାଲି ଥାନା ଯୋଗୀପୋଖରୀ ଗାଁର ସୁବାସ ଚନ୍ଦ୍ର ସାମଲଙ୍କ ଝିଅ ରଞ୍ଜିତା(୨୧)। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବେଚ୍ଛଦ କରାଇବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନାନୁସାରେ, ରଞ୍ଜିତା ଓ ସହପାଠୀ ମାନସୀ ନାୟକ ଖଣ୍ଡଗିରିସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏୟାର୍ ହଷ୍ଟେସ୍ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିଲେ। ଆଜି ସେମାନେ ଏକ ଆଭିଏଟର୍ ଯୋଗେ କଟକରୁ ଖଣ୍ଡଗିରି ଆସୁଥିଲେ। ସେମାନେ ବରମୁଣ୍ଡା କାଳୀମନ୍ଦିର ଅତିକ୍ରମ କରୁଥିବା ବେଳେ ଏକ ହାଇୱା ସହ ଧକ୍କା ହୋଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ରଞ୍ଜିତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ମାନସୀ ଏବେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ହାଇୱାକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି।