ଗୀତ ଗୋବିନ୍ଦ ସଦନ, ଉଦ୍‌ଘାଟନ କରି ଭଣ୍ଡେଇ ଦେଲେ

ଭୁବନେଶ୍ୱର, ରାଜଧାନୀରେ ପ୍ରେକ୍ଷାଳୟର ଅଭାବକୁ କିଛିଟା ଦୂର କରିବା ପାଇଁ ଜୟଦେବ ଭବନ ପରିସରରେ ନିର୍ମାଣ ହୋଇଛି ‘ଗୀତଗୋବିନ୍ଦ ସଦନ’। ନିର୍ଦ୍ଧାରିତ ବ୍ୟୟ ଅଟକଳଠାରୁ ଅଧିକ ଖର୍ଚ୍ଚ ହୋଇ ଓ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଏହାର ଉଦ୍‌ଘାଟନ ଗତ ମାର୍ଚ୍ଚ ୫ ତାରିଖରେ ହୋଇଥିଲା। କିନ୍ତୁ ଉଦ୍‌ଘାଟନ ପରଠାରୁ ହିଁ ଏହା ଅକାମୀ ହୋଇପଡ଼ିଛି। ବାହାରକୁ ବିଲ୍‌ଡିଂଟି ଚକାଚକ୍‌ ଦେଖାଯାଉଥିଲେ ବି ଭିତରେ ପ୍ରେକ୍ଷାଳୟର କାମ ସରିନି କି ଜଣେ ବି କର୍ମଚାରୀ ନିଯୁକ୍ତି ପାଇ ନାହାନ୍ତି। ଫଳରେ ପ୍ରେକ୍ଷାଳୟଟି ଖୋଲିପାରୁନି। ୨୦୧୩ ମସିହା ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଭବନର ଶିଳାନ୍ୟାସ କରିଥିଲେ। ଦେଢ଼ ବର୍ଷ ଭତରେ ଏହି ଭବନ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ସରକାରୀ ଭାବେ କୁହାଗଲା। କିନ୍ତୁ ଦେଢ଼ ବର୍ଷ ବଦଳରେ କାମ ସରିବାକୁ ଲାଗିଗଲା ସାଢ଼େ ଚାରି ବର୍ଷ। ପ୍ରଥମ ପର୍ଯ୍ୟାୟରେ ଯେତିକି ବ୍ୟୟବରାଦ କରାଯାଇଥିଲା ପରବର୍ତ୍ତୀ ସମୟରେ ଅଟକଳ ଅହେତୁକ ଭାବେ ବଢ଼ିଯାଇଥିଲା। ଏ ନେଇ ସରକାର ସମାଲୋଚିତ ବି ହୋଇଥିଲେ। ଶେଷରେ ଗତ ମାର୍ଚ୍ଚ ୫ ତାରିଖରେ ଏହି ଭବନର ଉଦ୍‌ଘାଟନ କରାଯାଇ ‘ଗୀତଗୋବିନ୍ଦ ସଦନ’ ନାମରେ ନାମିତ କରାଗଲା।

କିନ୍ତୁ ଉଦ୍‌ଘାଟନ ପରଠାରୁ ଏହି ବିଲ୍‌ଡିଂ କିଛି କାମରେ ଆସୁ ନାହିଁ। ତିନି ମହଲା ବିଶିଷ୍ଟ ଏହି ବିଲ୍‌ଡିଂରେ ସବା ଉପର ମହଲାରେ ୧୬୪ ଜଣ ବସିବା ପରି ପ୍ରେକ୍ଷାଳୟ ନିର୍ମାଣ କରାଯାଇଛି। ଅନ୍ୟ ମହଲାରେ ଡାଇନିଂ ହଲ୍‌ ଓ ଲାଇବ୍ରେରିର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରେକ୍ଷାଳୟରେ ଏ ପର୍ଯ୍ୟନ୍ତ ସାଉଣ୍ଡ୍‌ ବ୍ୟବସ୍ଥା ଲଗାଯାଇ ନାହିଁ। ସବା ଉପର ମହଲାରେ ପ୍ରେକ୍ଷାଳୟରେ ଥିଲେ ବି ଲିଫ୍‌ଟ୍‌ ଏ ପର୍ଯ୍ୟନ୍ତ ଲାଗି ନାହିଁ। ଏବେ ଲିଫ୍‌ଟ୍‌ କାମ ଆରମ୍ଭ ହୋଇଛି। ନୂଆ ଭବନଟି ନିର୍ମାଣ ସରିଥିଲେ ବି ଆଜି ପର୍ଯ୍ୟନ୍ତ ଜଣେ ବି କର୍ମଚାରୀ ନିଯୁକ୍ତି ପାଇନାହାନ୍ତି। ଭିତ୍ତିଭୂମି ଓ କର୍ମଚାରୀ ଅଭାବ ଯୋଗୁଁ ପ୍ରେକ୍ଷାଳୟ ଏ ପର୍ଯ୍ୟନ୍ତ ଆୟୋଜକମାନଙ୍କୁ ଭଡ଼ା ସୂତ୍ରରେ ଦିଆଯାଉ ନାହିଁ। କେବଳ କାମଚଳା ଭାବେ ସରକାରଙ୍କ ଚାରି ବର୍ଷ ପୂର୍ତ୍ତିର ସାମ୍ବାଦିକ ସମ୍ମିଳନୀ ଏଠାରେ ଆୟୋଜନ କରାଯାଇଥିଲା। ଏହା ବାଦ୍‌ କୌଣସି ସଂସ୍ଥାକୁ ଏଠାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦିଆଯାଉ ନାହିଁ। ଏହା ସହ ଏଠାରେ ଥିବା ଲାଇବ୍ରେରି ବି କିଛି କାମରେ ଲାଗୁନି। କେବେ ଏହି ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ହେବ, ତାହାର ଠୋସ୍‌ ଉତ୍ତର କାହା ପାଖରେ ନାହିଁ। ଏ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର