ଗୀତା ମହାଳିକ ପାଇବେ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ହୀରପୁର ଗ୍ରାମସ୍ଥିତ ଅନ୍ୟତମ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠୀ ଯୋଗିନୀ ପୀଠ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏକାଦଶ ଅନ୍ତର୍ଜାତୀୟ ମହୋତ୍ସବ ଅବସରରେ ଖ୍ୟାତନାମା ଏକକ ଓଡ଼ିଶୀ ନୃତ୍ୟଶିଳ୍ପୀ ନୂଆ ଦିଲ୍ଲୀର ପଦ୍ମଶ୍ରୀ ଗୀତା ମହାଳିକଙ୍କୁ ଏ ବର୍ଷର ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆୟୋଜକ ନୃତ୍ୟ ପ୍ରତଭା ଅନୁଷ୍ଠାନ ପକ୍ଷରୁ ସ୍ଥିର ହୋଇଛି। ଉଦ୍‌ଯାପନୀ ଦିବସରେ ଶାସ୍ତ୍ରୀୟ ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ସେ ଏକକ ନୃତ୍ୟ ପରିବେଷଣ କରିବା ସହ ଉପରୋକ୍ତ ସମ୍ମାନରେ ବିଭୂଷିତ ହେବେ। ଏହି ଉପଲକ୍ଷେ ଆଜି ଅପରାହ୍ନରେ ପୀଠ ମଣ୍ଡପ ଉପରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଡ. ରଜନୀ ରଂଜନ ଦାଶ ସାମ୍ବାଦିକମାନଙ୍କୁ ଏନେଇ ବିସ୍ତତ ସୂଚନା ଦେବା ସହିତ ପରିବେଷଣ ହେବାକୁ ଥିବା କାର୍ଯ୍ୟକ୍ରମର ସବିଶେଷ କାର୍ଯ୍ୟସୂଚୀ ବିବରଣୀ ପ୍ରଦାନ କରିଥିଲେ। ଏଥିସହିତ ଅନ୍ୟ ଦୁଇଦିନର ସାଂସ୍କୃତିକ ସଂଧ୍ୟାରେ ସଙ୍ଗୀତଜ୍ଞ ସୁବାସ ଦାସଙ୍କୁ ଚଉଷଠୀ ଯୋଗିନୀ ସଙ୍ଗୀତ ସମ୍ମାନ। ପ୍ରଖ୍ୟାତ ଚିତ୍ରକର ବଳଦେବ ମହାରଥାଙ୍କୁ ଚିତ୍ରକଳା ସମ୍ମାନ, ଅଭିନେତା ଅଜିତ ଦାସଙ୍କୁ ନାଟ୍ୟ ସମ୍ମାନ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କୁ ସାହିତ୍ୟ ପ୍ରତିଭା ସମ୍ମାନ ଓ ଅଧ୍ୟାପକ ଶକ୍ତି ମହାନ୍ତି ଯୁବ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବେ। ପୀଠରେ ଏହି ମନୋରଂଜନ ଶାସ୍ତ୍ରୀୟ କାର୍ଯ୍ୟକ୍ରମର ଅଧିକ ପ୍ରଚାର ଓ ପ୍ରସାର ପାଇଁ େଓ୍ଵବ୍‌ସାଇଟ୍‌ରେ ମଧ୍ୟ ସିଧା ପ୍ରସାରଣ ହେବ ବୋଲି ନୃତ୍ୟ ପ୍ରତିଭାର ସଂପାଦକ ପ୍ରତିଭା ପଣ୍ଡା ସୂଚନା ଦେଇଥିଲେ। ତେବେ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସେ ସ୍ଥାନୀୟ ବାସିନ୍ଦାଙ୍କର ସହଯୋଗ କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଭାପତି ଅଚ୍ୟୁତାନନ୍ଦ ପାତ୍ର, ସ୍ୱେଚ୍ଛାସେବୀ ଦୀନବନ୍ଧୁ ଭୋଇଙ୍କ ସମେତ ଲକ୍ଷ୍ମଣ ଜେନା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର