ମହାସ୍ନାନ ପରେ ପ୍ରଭୁ ଜ୍ୱରରେ

ଗଜାନନ ବେଶରେ ଦର୍ଶନ ଦେଲେ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର/ଖଣ୍ଡଗିରି/ ବାଲିଅନ୍ତା, ୨୮|୬ (ଇମିସ): ଗ୍ରୀଷ୍ମ ଦାଉରେ ଆଉଟୁପାଉଟୁ ହେବା ପରେ ପ୍ରଭୁ ଆଜି ମନଭରି ସ୍ନାନ କରିଛନ୍ତି। ସ୍ନାନବେଦିରେ ଭକ୍ତଙ୍କ ଭିଡ଼ ଭିତରେ ରସିକ ଠାକୁର ଏକାବେଳେ ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ପୁଣି ଏତିକିରେ ମନ ବୁଝିନି। ସ୍ନାନବେଦିରେ ଗଜାନନ ବେଶରେ ଦର୍ଶନ ଦେଇ ଭକ୍ତଙ୍କ ମନ ହରିଛନ୍ତି। କିନ୍ତୁ ଏମିତି ସ୍ନାନ କଲେ ଯେ, ଏବେ ଜ୍ୱର ଗ୍ରାସିଛି। ୧୫ ଦିନ ପ୍ରଭୁ ଆଉ ଦର୍ଶନ ଦେବେନି। ଅଣସର ଘରେ ରହିବେ। ପ୍ରଭୁଙ୍କ ଉପଶମ ପାଇଁ ନିଇତି ବଇଦ ଖଞ୍ଜା ହେବେ। ଆଜି ପ୍ରଭୁ ଦାରୁ ରୂପର ଆବିର୍ଭାବ ହୋଇଥିବା ବେଳେ ରଥଯାତ୍ରା ମହାପର୍ବର ଶୁଭ ଶଙ୍ଖ ବାଜିଛି। ଶ୍ରୀକ୍ଷେତ୍ର ଭଳି ରାଜଧାନୀରେ ବି ଦେଖିବାକୁ ମିଳିଥିଲା ସ୍ନାନ ପୂର୍ଣ୍ଣିମାର ଏହି ବିଶେଷ ଅବକାଶ। ପ୍ରଭୁ ଇନ୍ଦ୍ର ବି ଯେମିତି ପ୍ରଭୁଙ୍କୁ ଛୁଇଁବାକୁ କାଲିଠୁ ବର୍ଷି ଚାଲିଥିଲେ।

ଆଜି ସକାଳେ ଘଣ୍ଟଘଣ୍ଟା, ହୁଳହୁଳି, ସଂକୀର୍ତନ ଓ ଚାମର ଲାଗି ହୋଇ ଶ୍ରୀଜିଉ ବିଜେ କରିଥିଲେ ସ୍ନାନ ବେଦିକୁ। ବେଦିରେ ବିଜେ ହେବା ପରେ ଯଥାରୀତି ଆରମ୍ଭ ହୋଇଯାଇଥିଲା ସ୍ନାନାଭିଷେକ। ପ୍ରଭୁ ୧୫ଦିନ ଅଣସରରେ ରହିବାକୁ ଥିବାରୁ ପ୍ରଭୁଙ୍କୁ ଥରେ ଆଖି ପୂରେଇ ଦେଖିନେବା ପାଇଁ ଜଗନ୍ନାଥ ମନ୍ଦିରରେ ଲାଗିଥିଲା ଗହଳି ଚହଳି। ମଧ୍ୟାହ୍ନରେ ବର୍ଷା ସ୍ନାନ ପୂର୍ଣ୍ଣିମାରେ ପୂର୍ଣ୍ଣତା ଭରିଥିଲା। ଇସ୍କନ୍‌ରେ ସାଢ଼େ ୯ଟାରେ ଧାଡ଼ି ପହଣ୍ଡି କରି ସ୍ନାନବେଦିରେ ବସି ସ୍ନାନ କରିଥିଲେ। ଅପରାହ୍ନରେ ଗଜାନନ ବେଶରେ ପ୍ରଭୁ ଦର୍ଶନ ଦେଇଥିଲେ। ସନ୍ଧ୍ୟାରେ ପ୍ରଭୁଙ୍କ ପାଖେ ଆଳତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାତି ୯ଟାରେ ପ୍ରଭୁ ସ୍ନାନମଣ୍ଡପରୁ ଅଣସର ଗୃହକୁ ପ୍ରତ୍ୟାବର୍ତନ କରିଥିଲେ।

ସେହିପରି କିସ୍‌ ଜଗନ୍ନାଥ ମନ୍ଦିର, ଆର୍‌ସିଏମ୍‌ ଜଗନ୍ନାଥ ମନ୍ଦିର ସମେତ ଖଣ୍ଡଗିରି ଜାଗମରାସ୍ଥିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ୩୫, ବଳଭଦ୍ରଙ୍କୁ ୩୩, ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗରା ପାଣିରେ ସ୍ନାନ କରାଯାଇଥିଲା ବୋଲି ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି। କୋଳଥିଆରେ ମଧ୍ୟ ପ୍ରଭୁ ସକାଳ ୯ଟାରେ ସ୍ନାନ କରିବା ପରେ ୩ଟାରୁ ହାତୀବେଶ ହୋଇଥିଲା। ସେହିପରି ବରମୁଣ୍ଡାରେ ଓୟୁଏଟି କଲୋନିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ବରମୁଣ୍ଡା ଜଗନ୍ନାଥ ମନ୍ଦିର, କିସ୍‌ ଶ୍ରୀବାଣୀ କ୍ଷେତ୍ର, ଆର୍‌ସିଏମ୍‌ ଜଗନ୍ନାଥ ମନ୍ଦିରରେ ମଧ୍ୟ ତିନି ଠାକୁରଙ୍କୁ ସ୍ନାନ କରାଯିବା ପରେ ଗଜବେଶ ହୋଇଥିଲା। ଶୈଳଶ୍ରୀବିହାର ଓ ପଟିଆ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ରଙ୍ଗମାଟିଆ ଧିରିକୁଟି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜିଠାରୁ ହୋମଯଜ୍ଞ ଆରମ୍ଭ ହୋଇଛି। ଭୀମଟାଙ୍ଗି ସାଇଶ୍ରୀ କ୍ଲବ୍‌, ବଡ଼ଦାଣ୍ଡ ସାହି ଘୋଷଯାତ୍ରା କମିଟି ଏବଂ ସହର ଉପକଣ୍ଠରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଦର୍ଶନ ପାଇଁ ରାତି ଯାଏଁ ଭିଡ଼ ଲାଗିଥିଲା। କିଛି ସ୍ଥାନରେ ପ୍ରଭୁଙ୍କ ମନୋରଂଜନ ପାଇଁ ଭଜନ ସମାରୋହ ଆୟୋଜିତ ହୋଇଥିଲା। ରାତିରେ ଶେଷ ଦର୍ଶନ ଦେଇ ପ୍ରଭୁ ଫେରିଥିଲେ ଅଣସର ଘରକୁ। ଶହଶହ ଭକ୍ତଙ୍କ ଉପସ୍ଥିତି ସତ୍ତ୍ୱେ ଶ୍ରୀଜିଉଙ୍କ ଲେଉଟାଣି ପରେ ସେ ସ୍ଥାନ ଯେମିତି ଧୀରେଧୀରେ ନିରବି ଯାଉଥିଲା। ସେହିପରି ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅଧୀନ କାକରୁଦ୍ରପୁରସ୍ଥିତ ପ୍ରଭୁ ପତିତପାବନ ଦେବଙ୍କ ପୀଠରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିଲା। ସେବାୟତ ଓ ପୂଜାପଣ୍ଡାଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଘଣ୍ଟଘଣ୍ଟି ବଜାଇ ମନ୍ଦିର ଭିତରୁ ପତିତପାବନ ଦେବଙ୍କୁ ପହଣ୍ଡି କରାଇ ସ୍ନାନମଣ୍ଡପକୁ ଆଣିଥିଲେ। ସ୍ନାନମଣ୍ଡପରେ ଠାକୁରଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଥିଲା ବୋଲି ପୂଜକ କାଳନ୍ଦୀ ପଣ୍ଡା ଓ ବାଉରୀବନ୍ଧୁ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର