ରାଜାରାଣୀ ମୌଜାରେ ଶ୍ରୀଲିଙ୍ଗରାଜଙ୍କ ଜମି ଜବରଦଖଲ ଘଟଣା, ଦେବୋତ୍ତର କମିସନର୍‌ଙ୍କ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜାରାଣୀ ମୌଜାରେ ଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜବରଦଖଲ ଜମିର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ଦେବୋତ୍ତର ବିଭାଗ। ରାଜ୍ୟ ଦେବୋତ୍ତର କମିସନର୍‌ ବିରଜା ପ୍ରସାଦ ଦତ୍ତ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଂପୂର୍ଣ୍ଣ ବିବରଣୀ ଦେବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜବରଦଖଲରେ ରହିଥିବା ଠାକୁରଙ୍କ ଏହି ସମ୍ପତ୍ତିର ମୂଲ୍ୟ ୨୦ କୋଟିରୁ ଊର୍ଧ୍ବ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜାରାଣୀ ମୌଜା ଅନ୍ତର୍ଗତ ଲୁଇସ୍‌ ରୋଡ୍‌ ମହାବୀର ବଜାର ନିକଟରେ ମହାପ୍ରଭୁଙ୍କ ଏକ ବଡ଼ ଜମି ଜବରଦଖଲ‌ରେ ଥିବା ନେଇ ଅଭିଯୋଗ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଲଗା ଯାଇଥିବା ବୋର୍ଡକୁ ହଟାଇ ଏକ ବିଲଡର୍‌ ସଂସ୍ଥା ସେଠାରେ ଘର ତିଆରି କରୁଥିବା ନେଇ ମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। କିନ୍ତୁ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ସଂପର୍କରେ ଗତ ନଭେମ୍ବର ୨୫ତାରିଖରେ ‘ସମ୍ବାଦ’‌ରେ ଖବର ପ୍ରକାଶ ପାଇଥିଲା। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଏ ସଂପର୍କରେ ଆଲୋଚନା ହୋଇଥିଲା ବୋଲି ଟ୍ରଷ୍ଟ ବୋର୍ଡର ଜଣେ ସଭ୍ୟ କହିଛନ୍ତି।

ପ୍ରକାଶଯୋଗ୍ୟ, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଭିନ୍ନ ଅଞ୍ଚଳରେ ହୋଇଥିବା ଜମି ଜବରଦଖଲ ହୋଇଥିବାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ତିନି ପ୍ରମୁଖ ନିଯୋଗର ସମ୍ପାଦକ ଜଣେ ବରିଷ୍ଠ ଆଇନଜୀବୀ ଓ ଅତିରିକ୍ତ ଜିଲ୍ଲାପାଳ ଏଥିରେ ସଭ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର