ପାଣି ଆଲୁଅରେ ଶିବ ତାଣ୍ଡବ

ଭୁବନେଶ୍ବର: ଶୂନ୍ୟରେ ନାଚୁଥିଲା ତରଙ୍ଗାୟିତ ଜଳରାଶି। ରଙ୍ଗିନ୍‌ ଆଲୁଅର ସ୍ପର୍ଶ ପାଇ ଇନ୍ଦ୍ରଧନୁର ଚିତ୍ର ଆଙ୍କୁଥିଲା ଜଳର ଫୁଆରା। ଶିବ ପଞ୍ଚାକ୍ଷରୀର ତାଳେତାଳେ ନାଚୁଥିଲେ ଜଳ ଆଉ ଆଲୁଅମାଳା। ତାଣ୍ଡବ ରରିଥିଲେ ନଟରାଜ। ପରଦା କି ମଞ୍ଚରେ ନୁହେଁ, ବରଂ ଆଲୁଅ ଓ ପାଣିରେ ଝଟକୁଥିଲା ଏହି ଅବିକଳ ଚିତ୍ର। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିନ୍ଦୁ ସାଗର ମଧ୍ୟରେ ଲୋକାର୍ପିତ ‘ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ଏହିଭଳି ଏକ ନିଆରା ଉପହାର ଭେଟି ଦେଇଛି। ଆଜି ସନ୍ଧ୍ୟା ୫ଟା ୫୭ରେ ସ୍ବିଚ୍‌ ଟିପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହାକୁ ଦେଖିବା ପାଇଁ ବିନ୍ଦୁସାଗରର ଚତୁଃପାର୍ଶ୍ବ ଲୋକାରଣ୍ୟ ହୋଇଥିଲା। ଜଳରାଶିରେ ଏ ପ୍ରକାରର ଅଦ୍ଭୁତ ବୈଷୟିକ ସୃଷ୍ଟିକୁ ଦେଖି ସମସ୍ତଙ୍କ ମୁହଁରୁ ବାହାରି ଆସୁଥିଲା ୱାଃ…ୱାଃ..। େଲାକାର୍ପଣ ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, କର୍ପୋରେଟର ରଶ୍ମିତା ମହାପାତ୍ର, ଦୀପ୍ତିମୟୀ ସମର୍ଥାଙ୍କ ସମେତ ଅନ୍ୟ କର୍ପୋରେଟରବୃନ୍ଦ ଉପସ୍ଥିତ ଥିଲେ।

ବିନ୍ଦୁସାଗର ନିକଟରେ ୨୦ ସ୍ଥାପତ୍ୟ
ଭୁବନେଶ୍ବର: ପରିତ୍ୟକ୍ତ କୁଡ଼ୁଆରେ ଚଢ଼େଇ ଘର ଓ ଦେବଦେବୀଙ୍କ ଫଟୋକୁ ନେଇ ଅଭିନବ ସ୍ଥାପତ୍ୟ। ଦୀପରେ ମାଛଠୁ ନେଇ ଗୁଆଝର ଜଳରାଶିରେ ବାଉଁଶର ବିସ୍ମୟ କାରିଗରି। ସ୍ଥାପତ୍ୟର ସହର ପାଲଟିଛି ଏକାମ୍ର କ୍ଷେତ୍ର। ମାସକର ପ୍ରତୀକ୍ଷା ପରେ ବିନ୍ଦୁସାଗର ଆଖପାଖରେ ଦେଖିବାକୁ ମିଳିଛି ଆଖି ଖୋସି ଦେଉଥିବା ଭଳି ସ୍ଥାପତ୍ୟ। ଭୁବନେଶ୍ବ ଆର୍ଟ ଟ୍ରେଲ୍‌ (ବ୍ୟାଟ୍‌) ଅବକାଶରେ ଏହା ଦେଖିବାକୁ ମିଳିଛି। ଓଡ଼ିଶା ପର୍ଯ୍ୟଟନ, ବିଡିଏ, ବିଏମ୍‌ସି ଏବଂ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ସହଯୋଗରେ ପୁରୁଣା ଭୁବନେଶ୍ବରର ୧୩ଶହ ମିଟର ପରିଧି ମଧ୍ୟରେ ଦେଖିବାକୁ ମିଳୁଛି ଏହି ନିଆରା ସ୍ଥାପତ୍ୟ। ମୋଟ ୨୦ଟି ସ୍ଥାପତ୍ୟ ଶୋଭା ପାଉଥିବା ବେଳେ ୨୪ଜଣ ସ୍ଥପତି ଏହାକୁ ଭେଟି ଦେଇଛନ୍ତି। ଏଥିସହ ବିକେ ଆର୍ଟ କଲେଜ୍‌, ଖଲିକୋଟ୍‌ ଆର୍ଟ କଲେଜ୍‌, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଏବଂ ଧଉଳି ଆର୍ଟ କଲେଜ୍‌ର ପିଲାମାନଙ୍କ ସହଯୋଗରେ ସ୍ଥାପତ୍ୟଗୁଡ଼ିକ ପୂର୍ଣ୍ଣାଙ୍ଗ ରୂପ ନେଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଆଝର ପରିସରରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଡିଏର ଉପାଧ୍ୟକ୍ଷ କ୍ରିଷନ୍‌ କୁମାର, କ୍ୟୁରେଟର ଜଗନ୍ନାଥ ପଣ୍ଡା ଏବଂ ପ୍ରେମଜିସ୍‌ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସାମିଲ୍‌ ହୋଇଥିଲେ। ମାସେ ପର୍ଯ୍ୟନ୍ତ ଏହି ସ୍ଥାପତ୍ୟ ପ୍ରଦର୍ଶିତ ହେବ।

ଲୋକାର୍ପିତ ହେଲା ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌, ଲେଜର୍‌ ସୋ
ଫାଉଣ୍ଟେନ୍‌, ଲେଜର୍‌ ସୋ’ ପାଇଁ ୭କୋଟି
ଶିବ ତାଣ୍ଡବ ଓ ଶିବ ପଞ୍ଚାକ୍ଷରୀ ଗୀତରେ ଉଚ୍ଛୁଳୁଛି ଜଳରାଶି। ବିଶେଷକରି ଜଳ-ଆଲୁଅର ନୃତ୍ୟରେ ଖାଲି ସ୍ଥିର ଚିତ୍ର ନୁହେଁ, ବରଂ ଚଳମାନ ଚିତ୍ରରେ ଶିବଙ୍କ ତାଣ୍ଡବକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ନଟରାଜ ନୃତ୍ୟ ଦୃଶ୍ୟଠୁ ନେଇ ସଂହାର ଲୀଳା ମଧ୍ୟ ଜଳ ଆଲୁଅରେ ଉତୁରି ଆସୁଛି। ରାଜ୍ୟ ସରକାର ଏହି ମଲ୍‌ଟି ମିଡିଆ ମ୍ୟୁଜିକ୍‌ ଫାଉଣ୍ଟେନ୍‌ ଓ ଲେଜର୍‌ ସୋ’ ପାଇଁ ୭ କୋଟି ଟଙ୍କା ବ୍ୟୟ କରିଛନ୍ତି। ଇଡ୍‌କୋ ପକ୍ଷରୁ ଆନୁଷଙ୍ଗିକ କାର୍ଯ୍ୟ କରାଯାଇଛି। ପ୍ରିମିୟର ୱାର୍ଲ‌୍ଡ ଟେକ୍ନୋଲୋଜି ଲିମିଟେଡ୍‌ ଏହି ସୋ’ର ପରିଚାଳନା ଦାୟିତ୍ବରେ ରହିଛି। ଏଥିପାଇଁ ୨ଜଣ ଅପରେଟର ରହିଛନ୍ତି।

ଖୋଲିଲା ଅତ୍ୟାଧୁନିକ ମାର୍କେଟ୍‌
ଗଙ୍ଗାଯମୁନା ମନ୍ଦିର ନିକଟରେ ଏକ ୩ ମହଲା ବିଶିଷ୍ଟ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହାର ପ୍ରଥମ ୨ ମହଲାରେ ଦୋକାନ ଘର ଥିବା ବେଳେ ତୃତୀୟ ମହଲାରେ ଯାତ୍ରୀ ନିବାସ ରହିଛି। ପର୍ଯ୍ୟଟନ ବିଭାଗର ଆର୍ଥିକ ଅନୁଦାନରେ ଏହା ନିର୍ମାଣ କରାଯାଇଛି। ସେହିପରି ୪୦ଲକ୍ଷ ଟଙ୍କା ବ୍ୟୟରେ ରଥରୋଡ୍‌ର ଆଲୋକୀକରଣ କାର୍ଯ୍ୟ ମଧ୍ୟ ଉଦ୍‌ଘାଟିତ ହୋଇଛି।

୩ମାସ ପରେ ଆଲୁଅ ଜଳରେ ‘ବିନ୍ଦୁସାଗର ଇତିହାସ’
ନୀଳ, ନାଲି, ଗୋଲାପି, ହଳଦୀ ରଙ୍ଗରେ ଫୁଆରାରୁ ଛନ୍ଦାଛନ୍ଦି ହୋଇ ଜଳରାଶି ଉଠପଡ଼ ହେଉଥିବାର ଦୃଶ୍ୟ ଯେତିକି ରୋମାଞ୍ଚ ଭରୁଛି ମହାଦେବଙ୍କ ରୌଦ୍ର ବେଶର ଚିତ୍ର ସେତିକି ଚମତ୍କୃତ କରୁଛି। ତେବେ ଏହି ସବୁ ଦୃଶ୍ୟ ‌ସବୁବେଳେ ଦେଖିବାକୁ ମିଳିବ ନାହିଁ। ବରଂ ନୂଆନୂଆ ବିଷୟବସ୍ତୁ ଦେଖିବାକୁ ମିଳିବ। ବିନ୍ଦୁସାଗର, ଏକାମ୍ର କ୍ଷେତ୍ର ଏବଂ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଇତିବୃତ୍ତି ବଖାଣିବ ଏହି ଫାଉଣ୍ଟେନ୍‌ ଓ ଲେଜର ସୋ’। ଅଢ଼େଇ ମାସ କିମ୍ବା ୩ ମାସ ପରେ ପର୍ଯ୍ୟଟକ ଏଭଳି ଏକ ଉପଲବ୍ଧି ପାଇପାରିବେ।

ପ୍ରତି ସନ୍ଧ୍ୟାରେ ୨୦ ମିନିଟ୍‌ର ୨ଟି ସୋ’
ବିନ୍ଦୁସାଗର କୂଳରେ ଠିଆ ହୋଇ ଅବା ପାହାଚରେ ବସି ଏହି ସୋ’କୁ ଉପଭୋଗ କରିହେବ। ଏଥିପାଇଁ କୌଣସି ଟିକେଟ୍‌ ଲାଗିବ ନାହିଁ। ପ୍ରତିଦିନ ସନ୍ଧ୍ୟାରେ ୨ଟି ସୋ’ ଦେଖିବାକୁ ମିଳିବ। ପ୍ରତି ସୋ’ ୨୦ ମିନିଟ୍‌ ଅବଧିର ହେବ ବୋଲି ପ୍ରିମିୟର ୱାର୍ଲ‌୍‌ଡ ଟେକ୍ନୋଲୋଜି ଲିମିଟେଡ୍‌ର ସହଯୋଗୀ ମାର୍କେଟିଂ ମ୍ୟାନେଜର୍‌ ସରୋଜ କୁମାର ପାଣିଗ୍ରାହୀ କହିଛନ୍ତି। ତେବେ‌ ସନ୍ଧ୍ୟାରେ କେଉଁ ନିର୍ଦିଷ୍ଟ ସମୟରେ ଦୁଇଟି ସୋ’ ହେବ ସେନେଇ ସ୍ପଷ୍ଟ କରାଯାଇନାହିଁ। ମାତ୍ର ପରବର୍ତୀ ସମୟରେ ସୋ’ର ଅବଧି ବଢ଼ାଯାଇପାରେ ବୋଲି ସୂଚନା ମିଳିଛି।

୨୦ ମନ୍ଦିରର ଆଲୋକୀକରଣ
ଆଲୁଅରେ ଝଲସୁଛି ଏକାମ୍ର କ୍ଷେତ୍ରର ମନ୍ଦିର ମାଳିନୀ। ଆଜି ପୁରୁଣା ଭୁବନେଶ୍ବର ବିନ୍ଦୁସାଗର ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତୀ ଅଞ୍ଚଳରେ ନୂଆ ପ୍ରକଳ୍ପ ଲୋକାର୍ପିତ ହୋଇଥିବା ବେଳେ ୨୦ଟି ମନ୍ଦିର ଆଲୋକୀକରଣ କରାଯାଇଛି। ହକି ବିଶ୍ବକପ୍ ହେଉ ଅବା କାର୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସଜାଯାଇଛି। ସ୍ଥାପତ୍ୟ, ଫାଉଣ୍ଟେନ୍‌, ଆର୍ଟ ଟ୍ରାଏଲ୍‌ ଉପଭୋଗ କରିବା ସହ ସନ୍ଧ୍ୟାରେ ପର୍ଯ୍ୟଟକଙ୍କୁ ମନ୍ଦିର ମାଳାରେ ସୁନ୍ଦର ଆଲୋକସଜ୍ଜା ଆକର୍ଷିତ କରିବ।

ସମ୍ବନ୍ଧିତ ଖବର