ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର ରାସ୍ତାରେ ମୁଣ୍ଡରେ ବନ୍ଧୁକ ଲଗାଇ ଦମ୍ପତିଙ୍କଠାରୁ ଗହଣା ଲୁଟ୍‌

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର ରାସ୍ତାରେ ଆଜି ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଦୁଇଜଣ ଦୁର୍ବୃତ୍ତ ଏକ ଦମ୍ପତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଦମ୍ପତି ହେଲେ, ବାଲିପାଟଣା ଥାନା ଅଧୀନ ବାଲିଆମାଳ ଗ୍ରାମର ପ୍ରଶାନ୍ତ ଜେନା ଓ ତାଙ୍କ ପତ୍ନୀ ତିଳୋତ୍ତମା ଜେନା। ଏନେଇ ସେମାନେ ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଶେଷ ଖବର ଲେଖା ହେବା ସୁଦ୍ଧା ପୁଲିସ ଲୁଟେରା କିମ୍ବା ଲୁଟ୍‌ ଅଳଙ୍କାର ସଂପର୍କରେ ଟେର୍‌ ପାଇ ପାରିନଥିବା ଜଣାଯାଇଛି।

ସୂଚନାନୁଯାୟୀ, ଏହି ଜେନା ଦମ୍ପତି ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ବାଇକ୍‌ ବାଜାଜ କ୍ୟାଲିବର୍‌ (ଓଆର ୦୨ ଏସି ୦୯୦୭)ରେ କଣ୍ଟାପଡ଼ାରେ ଥିବା ତାଙ୍କର ଜଣେ ବନ୍ଧୁଘରକୁ ଯାଉଥିଲେ। ଏହି ସମୟରେ ଏକ କଳାରଙ୍ଗର ପଲସର୍‌ରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ତେବେ ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର ନିକଟରେ ସେମାନେ ଆଗରେ ବାଇକ୍‌ ରଖି ପ୍ରଶାନ୍ତଙ୍କ ପଥ ଅବରୋଧ କରିଥିଲେ। ପ୍ରଶାନ୍ତ କିଛି ବୁଝିବା ପୂର୍ବରୁ ଜଣେ ଦୁର୍ବୃତ୍ତ ପ୍ରଶାନ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲା। ଅନ୍ୟ ଜଣେ ତିଳୋତ୍ତମାଙ୍କ ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ, ୩ଟି ସୁନାମୁଦି, ଦୁଇଟି ମୋବାଇଲ ଓ ୪ ଅଢ଼େଇ ହଜାର ଟଙ୍କା ଲୁଟି ନେଇଥିଲା। ପରେ ସେମାନେ ଦ୍ରୁତଗତିରେ କଣ୍ଟାପଡ଼ା ଅଭିମୁଖେ ପଳାଇଥିଲେ। ସେମାନେ ଚାଲିଯିବା ପରେ ଦମ୍ପତି ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକ ପକାଇଥିଲେ। ସ୍ଥାନୀୟ କିଛି ଯୁବକ ଦୁର୍ବୃତ୍ତଦ୍ବୟଙ୍କ ପିଛା କରିଥିଲେ ମଧ୍ୟ ପତ୍ତା ମିଳିନଥିଲା। ଦମ୍ପତିଙ୍କ ସୂଚନା ମୁତାବକ, ଦୁଇଜଣଯାକ ଦୁର୍ବୃତ୍ତ ମୁହଁରେ କପଡ଼ା ଗୁଡ଼ାଇ ହୋଇଥିବା ବେଳେ ସମାନ ଉଚ୍ଚତା ଓ ଉତ୍ତମ ସ୍ବାସ୍ଥ୍ୟ ଥିଲା।

ସମ୍ବନ୍ଧିତ ଖବର