ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ: ଏୟାର ଏସିଆ ବିମାନରେ ଯାତ୍ରୀ ଆଣିଥିଲେ ୯ ଲକ୍ଷ ଟଙ୍କାର ସୁନା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶୁକ୍ରବାର ପୁଣି ଥରେ ସୁନା ଜବତ ହୋଇଛି। ଏୟାର ଏସିଆ ବିମାନରେ କ୍ୱାଲାଲୁମ୍ପୁରରୁ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ କଷ୍ଟମଇ ଏୟାର ଇଣ୍ଟେଲିଜେନ୍ସ ବିଭାଗର ଅଧିକାରୀମାନେ ସନ୍ଦେହ ହୋଇଥିବା ବିମାନଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଚେନ୍ନାଇର ଜଣେ ଭାରତୀୟ ବଂଶୋଦ୍ଭବଙ୍କ ବ୍ୟାଗ୍‌ରୁ ୩୦୧ଗ୍ରାମ ସୁନା ମିଳିଥିଲା। ଭାରତୀୟ ବଜାରରେ ଏହାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ। ବିଭାଗୀୟ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

ସୂଚନାଯୋଗ୍ୟ ଭୁବନେଶ୍ୱର ବିମାନ ବନ୍ଦରରୁ ୨ ମାସ ଭିତରେ ୧୪ ଥର ସୁନା ଜବତ ହୋଇଛି। କଷ୍ଟମ ବିଭାଗ ଦ୍ୱାରା ପାଖାପାଖି ୫ କିଲୋ ୫୦୦ ଗ୍ରାମ ସୁନା ଜବତ ହୋଇଛି। ବିଦେଶରେ ସୁନା ଦର କମ୍‌ ଥିବାରୁ ଲୋଭର ବଶବର୍ତ୍ତୀ ହୋଇ ଭାରତୀୟ ଯାତ୍ରୀମାନେ ସୁନା ନେଇ ସ୍ୱଦେଶ ଫେରୁଛନ୍ତି। ଅନେକ ଯାତ୍ରୀ ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଘରକୁ ଫେରିବା ମାଧ୍ୟମ କରୁଛନ୍ତି। ଏଥିରୁ ଅନେକ ଯାତ୍ରୀ ବଞ୍ଚି ଯାଉଥିବା ବେଳେ, କିଛି ସୁନା ଚାଲାଣକାରୀ କଷ୍ଟମ ବିଭାଗ ଜାଲରେ ଫସିଯାଉଛନ୍ତି।

ସମ୍ବନ୍ଧିତ ଖବର