ଚୋରା ସୁନା ଚାଲାଣ ଭାୟା ଭୁବନେଶ୍ବର : ଦକ୍ଷିଣୀ ଲିଙ୍କ୍‌ ନେଇ ତନାଘନା

ବର୍ଷକରେ ଧରା ହେଲେଣି ୩୦ରୁ ଅଧିକ ସୁନା ସ୍ମଗଲର୍‌, ମୂଳ ଆସାମୀ ପାଖରେ ପହଞ୍ଚିପାରୁନି ଗୁଇନ୍ଦା ଟିମ୍

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ଚୋରା ସୁନା ଚାଲଣକାରୀଙ୍କ ପ୍ରମୁଖ ରୁଟ୍ ପାଲଟିଛି। ନିୟମିତ ବ୍ୟବଧାନରେ ମାଲେସିଆ ଓ ବ୍ୟାଙ୍କକ୍‌ରୁ ଚୋରା ସୁନା ଆସୁଥିବାବେଳେ ଗତ ବର୍ଷକ ମଧ୍ୟରେ ପ୍ରାୟ ୩୦ଜଣ ଧରାପଡ଼ିଲେଣି। ଏଥିରୁ ପ୍ରାୟ ୧୫ରୁ ଅଧିକ ଦକ୍ଷିଣ ଭାରତର ହୋଇଥିବାରୁ ବିମାନବନ୍ଦରର ଗୁଇନ୍ଦା ଟିମ୍ ଏବେ ଏହାର ଯାଞ୍ଚ କରିବା ଆରମ୍ଭ କରିଛି। ଦକ୍ଷିଣ ଭାରତର କେଉଁ ରୢାକେଟ୍ ଏହି ଚୋରା ସୁନା ଚାଲାଣ କରୁଛି, ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି, କାହାଠୁ ସୁନା ଆଣୁଛନ୍ତି ଓ କାହାକୁ ଦେଉଛନ୍ତି, ମାଲେସିଆ ଓ ବ୍ୟାଙ୍କକ୍‌ ବିମାନବନ୍ଦରରୁ ଏହା କିପରି ବିନା ଯାଞ୍ଚରେ ଆସୁଛି ସେନେଇ ଗୁଇନ୍ଦା ଟିମ୍ ତନାଘନା କରିବା ଆରମ୍ଭ କରିଛି।

ଗତ ବର୍ଷକ ମଧ୍ୟରେ ପ୍ରାୟ ୨୦କେଜିରୁ ଅଧିକ ସୁନା ଜବତ ହୋଇଥିବାବେଳେ ଏଥିରେ ପ୍ରାୟ ୩୦ଜଣଙ୍କୁ କଷ୍ଟମ୍‌ସ ଟିମ୍ ଗିରଫ କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଚୋରା ସୁନା କାହା ପାଖକୁ ଯାଉଛି, କିଏ ନେଇଥାନ୍ତା ତାହା ଜଣାପଡ଼ିନି।

ବିମାନବନ୍ଦରର କ‌ଷ୍ଟମ୍‌ସ ବିଭାଗର ଗୁଇନ୍ଦା ଟିମ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ଚୋରା ସୁନା ଚାଲାଣକାରୀଙ୍କୁ ଧରୁଥିଲେ ହେଁ କିଏ ଏହା କରୁଛି, ଏହାର ମାଷ୍ଟର ମାଇଣ୍ଡ କିଏ ତାହା ଜାଣିପାରୁନୁ। ପ୍ରାୟ ଚାରିରୁ ପାଞ୍ଚ ଜଣଙ୍କୁ ଭାୟା କରି ସୁନା ଚାଲାଣ ହେଉଥିବାରୁ ଯିଏ ସୁନା ଆଣୁଛି ‌ସିଏ ବି ମୂଳ ଲୋକକୁ ଚିହ୍ନି ନଥାଏ। ଆମେ ଏହି ସ୍ମଗଲର୍‌ଙ୍କ ପିଛା କରୁଥିଲେ ହେଁ ରୢାକେଟର ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିପାରୁନୁ। ଗତ ଏପ୍ରିଲ୍‌ ମାସରେ ପ୍ରାୟ ୬କେଜିର ସୁନା ଚୋରା ଚାଲାଣ ବେଳେ ଧରାପଡ଼ିଥିଲା। ବ୍ୟାଙ୍କକ୍‌ର କେଉଁ ଲୋକଠାରୁ ସୁନା ଆସିଥିଲା ଜାଣିଲୁ। କିନ୍ତୁ ଏଠାରେ ସୁନା କାହାକୁ ଦିଆଯାଇଥାନ୍ତା ଜାଣିପାରିଲୁନି। ବର୍ତ୍ତମାନ ସୁଦ୍ଧା ଯେଉଁ ୩୦ ଜଣ ଧରାପଡ଼ିଲେଣି ସେଥିରୁ ପ୍ରାୟ ୧୫ଜଣ ଦକ୍ଷିଣ ଭାରତର। ୮ଜଣ ଉତ୍ତର ଭାରତର ଅଛନ୍ତି। କିନ୍ତୁ ଦକ୍ଷିଣ ଭାରତର ଅଧିକାଂଶ ଲୋକ ଏହି ଚୋରା ସୁନା ଚାଲାଣ କରୁଥିବାରୁ ଏହି ରୢାକେଟର ମୂଳ ସେଠାରେ ଥିବା ସନ୍ଦେହ କରାଯାଉଛି। ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆମର ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଖୁବ୍ ଶୀଘ୍ର ଆମେ ଏହି ରୢାକେଟ୍‌ର ପର୍ଦ୍ଦାଫାସ କରିବୁ।

ବିମାନବନ୍ଦରରୁ ସା‌ଢ଼େ ୫ଲକ୍ଷ ଟଙ୍କାର ସୁନା ଜବତ

ବିମାନବନ୍ଦରର କଷ୍ଟମ୍‌ସ ବିଭାଗର ଗୁଇନ୍ଦା ଟିମ୍‌ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତାମିଲନାଡୁର ରାମନାଥପୁରମ୍ ଅଞ୍ଚଳର ଜଣେ ବ୍ୟକ୍ତି ଏୟାର ଏସିଆ ବିମାନ ଏକେ-୩୧ରେ ଚୋରା ସୁନା ଆଣି ଆସୁଥିବାବେଳେ ଧରାପଡ଼ିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ତାଙ୍କ ମଳଦ୍ବାରରେ ଏବଂ ବ୍ୟାଗରେ ୧୭୦.୭୫୦ ଗ୍ରାମର ସୁନା ଆଣିକି ଆସୁଥିବାବେଳେ ଧରା ପଡ଼ିଛନ୍ତି। କଷ୍ଟମ୍‌ସ ବିଭାଗ ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ଗୋଟିଏ ସୁନା କଡ଼ା ଏବଂ ଦୁଇଟି ଗୁଳି ଭଳି ସୁନା ଖଣ୍ଡ ଆଣିଥିଲେ। ଏହାକୁ ସେ ମଳଦ୍ବାରରେ ଲୁଚାଇ ଆଣିଥିଲେ। ସୁନା କଡ଼ାଟିକୁ ରୂପା କୋଟିଂ ଦେଇଥିଲେ। କିନ୍ତୁ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ଯାଞ୍ଚ ସମୟରେ ସେ ଚୋରା ସୁନା ଚାଲାଣ କରୁଥିବା ଜଣାପଡ଼ିଥିଲା।

କାହିଁକି ଅଧିକ ସୁନା ଧରାପଡ଼ୁଛି

କଷ୍ଟମ୍‌ସ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁମାନେ ସୁନା ଚୋରା ଚାଲାଣ କରୁଛନ୍ତି ସେମାନେ ହିଁ ଧରାପଡ଼ୁଛନ୍ତିି। ବ୍ୟାଙ୍କକ ଓ ମାଲେସିଆରୁ ଯେଉଁମାନେ ସୁନା ଆଣୁଛନ୍ତି ସେମାନେ ୨୪ କ୍ୟାରେଟ୍ ସୁନା ଆଣୁଛନ୍ତି। ୨୪କ୍ୟାରେଟ ସୁନା ପରିବହନ କରିବା ଅନୁମତି ମେଟାଲ୍‌ସ ଆଣ୍ଡ ମିନେରାଲ୍‌ସ ଟ୍ରେଡିଂ କର୍ପୋରେସନ୍‌ ଅଫ୍ ଇଣ୍ଡିଆ (ଏମ୍ଏମ୍‌ଟିସି) ଏସ୍‌ବିଆଇକୁ ମିଳିଛି। ଏହାବ୍ୟତୀତ କେହି ୨୪ କ୍ୟାରେଟ୍ ସୁନା ଆଣିପାରିବେନି। କିନ୍ତୁ ଯେଉଁମାନେ ସୁନା ଚୋରା ଚାଲାଣ କରୁଛନ୍ତି ସେମାନେ ବେଆଇନ ଭାବେ ସୁନା କିଣୁଛନ୍ତି। ଏଠାରୁ ଚୋରାରେ ଡଲାର ନେଇ ବିଦେଶରୁ ଚୋରାରେ ସୁନା ଆଣୁଛନ୍ତି। ସେଠାରେ ନଗଦ ଟଙ୍କା ଦେଇ ସୁନା କିଣୁଛନ୍ତି ଏବଂ ବିନା ବିଲ୍‌ରେ ସୁନା ଆଣୁଛନ୍ତି। ଯେଉଁ ଦେଶରୁ ସୁନା ଆଣୁଛନ୍ତି ସେଠାରେ ଏହା ରତ୍ପାନି ହେଉଥିବାରୁ କଡ଼ାକଡ଼ି ଚେକିଂ ହେଉନି। କିନ୍ତୁ ଆମ ଦେଶର ନିୟମ ଅନୁଯାୟୀ ଚେକିଂ ହେଉଥିବାରୁ ସୁନା ଚୋରା ଚାଲାଣକାରୀ ଧରାପଡ଼ୁଛନ୍ତି। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଯେଉଁମାନେ ବିଦେଶରେ ସର୍ବନିମ୍ନ ୬ମାସ ରହିଥିବେ ସେମାନେ ନିଜ ସହିତ ସୁନା ଆଣିପାରିବେ। ‌େକତେ ପରିମାଣରେ ସୁନା ଆଣିପାରିବେ ତାହା ବି ଧାର୍ଯ୍ୟ ହୋଇଛି। ହେଲେ ଟୁରିଷ୍ଟ ଭିସାରେ ଯାଉଥିବା ବ୍ୟକ୍ତିମାନେ ସୁନା ଆଣିକି ଆସୁଥିବାରୁ ଏଠାରେ ଧରାପଡ଼ୁଛନ୍ତି। ଯଦି ୨୨କ୍ୟାରେଟ୍ ସୁନା ଅଳଙ୍କାର ଆଣିକି ଆସୁଥିବେ ତେବେ ଧରାପଡ଼ିବାର ସମ୍ଭାବନା ନାହିଁ। କିନ୍ତୁ ଚୋରା ଚାଲାଣକାରୀ ୨୪କ୍ୟାରେଟ୍ ସୁନା ଆଣୁଥିବାରୁ ଧରାପଡ଼ୁଛନ୍ତି। ଯେଉଁମାନେ କୋଟିଏରୁ ଅଧିକ ଟଙ୍କାର ସୁନା ଆଣିବା ସମୟରେ ଧରାପଡ଼ୁଛନ୍ତି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏହାଠାରୁ କମ୍ ମୂଲ୍ୟର ‌ସୁନା ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଆମେ ଗିରଫ କରୁଛୁ ଏବଂ ଆମ ଉପରିସ୍ଥ ଅଧିକାରୀ ହିଁ ବେଲ୍ ଦେଉଛନ୍ତି। କିନ୍ତୁ ସମସ୍ତ ଚୋରା ଚାଲାଣକାରୀଙ୍କ ନାମରେ ମାମଲା ରୁଜୁ ହେବା ସହ ସୁନା ଜବତ ହେଉଛି।

ସମ୍ବନ୍ଧିତ ଖବର