ସିପେଟ୍‌ର ସୁବର୍ଣ୍ଣ ଜୟନ୍ତୀ: ମୋ ଭୁବନେଶ୍ବର ନାଇଟ୍‌ ମାରାଥନ୍‌

ଓଡ଼ିଆରେ କହିଲେ ଡିନୋ ମୋରିଆ, ମନ୍ଦିରା ବେଦୀ

ଭୁବନେଶ୍ବର: ପ୍ଲାଷ୍ଟିକ୍‌କୁ ଫୋପାଡ଼ ନାହିଁ। ପୁନଃଚକ୍ରଣ ଓ ପୁନର୍ବ୍ୟବହାର କର। ଏହି ବାର୍ତା ନେଇ ଆଜି ରାତିରେ ୫କିଲୋମିଟର ଦୌଡ଼ିଥିଲେ ୩ ହଜାର ବ୍ୟକ୍ତି। ସେଣ୍ଟ୍ରାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ଲାଷ୍ଟିକ୍‌ ଇଂଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିପେଟ୍‌)ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିଲା ‘ମୋ ଭୁବନେଶ୍ବର’ ଶୀର୍ଷକ ନାଇଟ୍‌ ମାରାଥନ୍‌। ୟୋଙ୍ଗ୍‌ ଇଣ୍ଡିଆନ୍ସର ମିଳିତ ପ୍ରସ୍ତୁତିରେ ଆୟୋଜିତ ଏହି ନିଆରା ନାଇଟ୍‌ ମାରାଥନ୍‌ କେବଳ ଦୌଡ଼ରେ ସୀମିତ ନଥିଲା। ନାଚ ଗୀତର ଧୁମ୍‌ ଜମିଥିଲା।

ଏଥିରେ ଆକର୍ଷଣ ସାଜିଥିଲେ ବଲିଉଡ୍ ଅଭିନେତା ଡିନୋ ମୋରିଆ, ଅଭିନେତ୍ରୀ ମନ୍ଦିରା ବେଦୀ, ଓଲିଉଡ୍‌ର ଲୋକପ୍ରିୟ ନାୟିକା ଅର୍ଚିତା ସାହୁ ଏବଂ ଭଏସ୍‌ ଅଫ୍‌ ଇଣ୍ଡିଆ ବିଜେତା ଗୀତ ସାଗର ଓ ପ୍ରତିଚୀ ମହାପାତ୍ର। ସାଢ଼େ ୮ଟା ପରେ ଆରମ୍ଭ ହୋଇଥିଲା ଦୌଡ଼। ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ ଏବଂ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ୍‌ ଦେବ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପେଟ୍‌ର ମହାନିର୍ଦେଶକ ପ୍ରଫେସର ଏସ୍‌କେ ନାୟକ, ଯୁଗ୍ମ ସଚିବ (ପିସି) ଡିସିପିସି, ସିପେଟ୍‌ର ପ୍ରିନ୍ସିପାଲ୍‌ ଡିରେକ୍ଟର ପିକେ ସାହୁ, ଏବଂ ୟୋଙ୍ଗ୍‌ ଇଣ୍ଡିଆନ୍ସର ତପେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ସେଲେବ୍ରିଟି ଓ ଅତିଥିମାନେ କଳିଙ୍ଗ ଷ୍ଟାଡିୟମ୍‌ର ୩ ନମ୍ବର ଗେଟ୍‌ ନିକଟରୁ ପତାକା ଦେଖାଇ ନାଇଟ୍‌ ମାରାଥନ୍‌ର ଶୁଭାରମ୍ଭ କରିଥିଲେ। ମାରାଥନ୍‌ କଳିଙ୍ଗ ଷ୍ଟାଡିୟମରୁ ବାହାରି ପାୱାର ହାଉସ୍‌ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିଥିଲା। ଏଥିରେ ୬ ବର୍ଷରୁ ଆରମ୍ଭ କରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ୭ଟି ବର୍ଗରେ ସାମିଲ୍‌ ହୋଇଥିଲେ। ଭିନ୍ନକ୍ଷମମାନଙ୍କୁ ମଧ୍ୟ ଏହି ଦୌଡ଼ରେ ଟ୍ରାଇ‌ସାଇକେଲ୍‌ ସହ ଭାଗ ନେବାର ସୁଯୋଗ ଦିଆଯାଇଥିଲା। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଗୀତ ସାଗର ଓ ପ୍ରତିଚୀଙ୍କ ବଲିଉଡ୍‌ ବିଟ୍‌ସରେ ଝୁମିଥିଲେ ଦର୍ଶକ। ଆଉ ଏକ ଆକର୍ଷଣ ସାଜିଥିଲା ରାମ୍ପ୍‌ ସୋ’। ନିଫ୍ଟର ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ୍‌, ପଲିଥିନ୍‌, ଥର୍ମୋକୁଲ୍‌ରେ ପ୍ରସ୍ତୁତ ପୋଷାକ ପରିଧାନ କରି କ୍ୟାଟ୍‌ ୱାକ୍‌ରେ ଚାଲିଥିଲେ।

ସାଂସ୍କୃତିକ ମଞ୍ଚରେ ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଓ ମନ୍ଦିରା ବେଦୀଙ୍କ ଓଡ଼ିଆ କଥା ଉପସ୍ଥିତ ଦୌଡ଼ାଳିଙ୍କୁ ଉଲ୍ଲସିତ କରିଥିଲା। ମଂଚ ପ୍ରବେଶ ମାତ୍ରେ ଡିନୋ କହିଥିଲେ, କେମିତି ଅଛ ଭୁବନେଶ୍ବର। ପରେ ‘ମୁଁ ଏଠିକି ଆସି ମତେ ଭଲ ଲାଗୁଛି’ ବୋଲି କହିଥିଲେ। ତେବେ ସବୁଠୁ ଆକର୍ଷଣ ଥିଲା ଯେବେ ଡିନୋ ମୋରିଆ ଆଇ ଲଭ୍‌ ୟୁର ଓଡ଼ିଆ ଅର୍ଥ ଅଭିନେତ୍ରୀ ଅର୍ଚିତାଙ୍କୁ ପଚାରିଥିଲେ। ଅର୍ଚିତା ଡିନୋଙ୍କ କାନରେ ଓଡ଼ିଆରେ କହିବା ପରେ ଡିନୋ ଏକ ଭିନ୍ନ ଶୈଳୀରେ ଅଭିନୟ ଠାଣିରେ ମୁଁ ତମକୁ ଭଲ ପାଏ ବୋଲି କହିବା ଉପସ୍ଥିତ ଜନତାଙ୍କୁ ଆମୋଦିତ କରିଥିଲା। ଏଥିସହ ଡିନୋ ଉପସ୍ଥିତ ଦର୍ଶକଙ୍କ ସହ ନିଜର କିଛି ସେଲ୍‌ଫି ନେବା ସହ ଏହାକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍‌ କରିବି ବୋଲି କହିଥିଲେ। ସେହିପରି ମନ୍ଦିରା ବେଦୀ ମଧ୍ୟ ନିଜ କଥା ଆରମ୍ଭରୁ ଓଡ଼ିଆରେ କହିଥିଲେ ‘ମୁଁ ତମକୁ ଭଲପାଏ’। ପ୍ରଥମଥର ପାଇଁ ଏଭଳି ଏକ ନାଇଟ୍‌ ମାରାଥନ୍‌ରେ ଭାଗ ନେବାର ସୁଯୋଗ ମିଳିଛି ବୋଲି ସେ କହିଥିଲେ।

ବିଏମ୍‌ସିକୁ ଦେଲେ ୨୦୦ ଡଷ୍ଟ୍‌ବିନ୍‌
ସିପେଟ୍‌ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଅବସରରେ ସହର ପାଇଁ ୨ଶହ ଡଷ୍ଟ୍‌ବିନ୍‌ ବିଏମ୍‌ସିକୁ ପ୍ରଦାନ କରାଯାଇଛି। ଉନ୍ନୟନ କମିସନରଙ୍କ ଉପସ୍ଥିତିରେ ଏହି ଡଷ୍ଟବିନ୍‌ ଦିଆଯାଇଥିଲା। ଏଗୁଡ଼ିକ ବିଏମ୍‌ସି ଏବଂ କିଛି ଏନ୍‌ଜିଓ ସହାୟତାରେ ବିଭିନ୍ନ ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର