ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ, ଉତ୍କଳ ପ୍ରଦେଶର ତୁଳନା ନାହିଁ

ଭୁବନେଶ୍ବର: ସତୀ ଅନସୂୟା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ୬ ମାସର ଶିଶୁ କରି ଦେଇଥିଲେ। ମାତ୍ର ଉତ୍କଳ ପ୍ରଦଶେର ପ୍ରତିଟି ପିଲା ଯେବେ ଖଡ଼ି ଛୁଅନ୍ତି, ୬ ସେଣ୍ଟି ମିଟରର ବୃତ୍ତରେ ବ୍ରହ୍ମା-ବିଷ୍ଣୁ-ମହେଶ୍ବରଙ୍କୁ ସୀମିତ ରଖିପାରନ୍ତି। ଉତ୍କଳ ପ୍ରଦେଶର ପ୍ରତ୍ୟେକ ପିଲାର ସ୍ବପ୍ନରେ, ଶୟନରେ, ଆଶାରେ, କଥାରେ କେବଳ ଜଗନ୍ନାଥ ହିଁ ଜଗନ୍ନାଥ। ଏଠି ପ୍ରତି ଗାଁ’ରେ ଭାଗବତ ଟୁଙ୍ଗୀ। ଏହା ହେଉଛି ଉତ୍କଳର ମହନୀୟତା। ଏ ପ୍ରଦେଶର ତୁଳନା ନାହିଁ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଭାରତୀୟ ବେଦାନ୍ତର ଦର୍ଶନ ହେଉଛି ବିଭିନ୍ନତା ମଧ୍ୟରେ ଏକତା। ଏହା ଏକମାତ୍ର ଦେଶ ଯାହାକୁ ‘ଭାରତ ମାତା’ ଭାବେ ମାନ୍ୟତା ଦିଆଯାଏ। ଜୀବନ୍ତ ଦେବୀ ଭାବେ ବିଶ୍ବାସ କରାଯାଏ। ସେ ଏକଥା ମଧ୍ୟ କହିଲେ, ଶିଶୁ ମଧ୍ୟରେ ହିଁ ପୂରା ବ୍ରହ୍ମାଣ୍ଡ ରହିଛି। ଏଠି ପ୍ରତ୍ୟେକ ଶିଶୁ ଅନୁପମ, ଅଦ୍‌ଭୁତ। ତେଣୁ ତାଙ୍କ ଉପରେ ନିଜର ଇଚ୍ଛା ନ ଲଦି ତାଙ୍କୁ ତାଙ୍କ ବାଟରେ ଅନନ୍ୟ ହେବାକୁ ସୁଯୋଗ ଦିଆଯାଉ ବୋଲି ସେ କହିଥିଲେ। ପୁଣି କହିଲେ, ମଣିଷକୁ ଯୁବତ୍ବ ହେଉଛି ଭଗବାନଙ୍କ ଉପହାର। ଏହି ସମୟ ହିଁ ସୂଚେଇ ଦିଏ ମାୟାର ଚକ୍ରବ୍ୟୁହରେ ପଡ଼ନାହିଁ। ବରଂ କିଛି କରିଚାଲ।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍କୁଲ୍‌ ସହ ଥିବା ତାଙ୍କ ଅନୁଭୂତି ବିଷୟରେ କହିଥିଲେ। ସେତେବେଳର ଶିକ୍ଷା ପଦ୍ଧତି ଓ ତାଙ୍କ ବିକାଶ ପଥରେ ସ୍କୁଲ୍‌ର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ସଭାପତି ଯୋଗେନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ନାୟକ ସ୍କୁଲ୍‌ ସମ୍ପର୍କିତ ବିବରଣୀ ପ୍ରଦାନ କରିଥିଲେ। ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ମଲ୍ଲିକ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ସଂଘର ପ୍ରଦୀପ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ସ୍ମୃତି ସାଗର’ ଲୋକାର୍ପିତ ହୋଇଥିଲା। ଉତ୍ସବରେ ବିଦ୍ୟାଳୟ ସହ ସମ୍ପୃକ୍ତ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅନ୍ୟ ବ୍ୟକ୍ତିବିଶେଙ୍କୁ ସମ୍ବର୍ଧିତ କରାଯାଇଥିଲା। ସ୍ବର୍ଗତ ସୁଦର୍ଶନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ତାଙ୍କ ପୁଅ ସମ୍ବର୍ଧନା ଗ୍ରହଣ କରିଥିବା ବେଳେ ଯୁବରାଜ ଖଡ଼ିରତ୍ନ, ସୋମନାଥ ମିଶ୍ର, ମାଧବାନନ୍ଦ ନାୟକ, ଶକୁନ୍ତଳା ଷଡ଼ଙ୍ଗୀ, ପୂର୍ଣ୍ଣମାସୀ ଦାସ, ଚୈତନ୍ୟ ଚରଣ ପରିଡ଼ା, ଅନସୂୟା ମହାନ୍ତି, ପ୍ରେମଲତା ପଣ୍ଡା, ବିନୋଦିନୀ ମିଶ୍ର, କ୍ରିଷ୍ଣା କୁମାରୀ ପରମାଣିକ, ନିବେଦିତା ପ୍ରଧାନ ଓ ରାଜଲକ୍ଷ୍ମୀ ନାୟକଙ୍କୁ ସୁବର୍ଣ୍ଣ ଜୟନ୍ତୀ ମଞ୍ଚରେ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର