ଅପୂର୍ବାର ସ୍ୱନକ୍ଷତ୍ର ଉତ୍ସବ ଓ ଲେଖକ ସମାରୋହ : ଭାଷା ସାହିତ୍ୟର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର : ଲୋକପ୍ରିୟ ପତ୍ରିକା ‘ଅପୂର୍ବା’ର ୧୯ତମ ସ୍ୱନକ୍ଷତ୍ର ଉତ୍ସବ ଓ ଲେଖକ ସମାରୋହ-୨୦୧୮ ଆଜି ଦି ନିୟୁ ମାରିଅନ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରତ୍ନାକର ରାଉତ ଯୋଗଦେଇ କହିଥିଲେ ସାହିତ୍ୟ ମଣିଷର କଥା କୁହେ, ଜୀବନର କଥା କୁହେ, ବେଦନାର କଥା କୁହେ, ଆବେଗର କଥା କୁହେ ଏବଂ ମଣିଷ ପଣିଆର କଥା କହେ। ସାହିତ୍ୟ ସତ୍ୟ, ଶିବ ଓ ସୁନ୍ଦରର କଥା କହେ, ଯାହା ସାର୍ବଜନୀନ। ତେଣୁ ସାହିତ୍ୟକୁ ବଞ୍ଚାଇ ରଖିବାର ସଂପୂର୍ଣ୍ଣ ଦାୟିତ୍ୱ ଆମ ସମାଜର । ତା’ସହିତ ଭାଷା ସାହିତ୍ୟ ସୁରକ୍ଷା ପାଇଁ ସମସ୍ତେ ଏକତ୍ର ହେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଅପୂର୍ବାର ଜନ୍ମ ଦିନ ବିଶେଷାଙ୍କ, ପ୍ୟାରୀମୋହନ ମିଶ୍ରଙ୍କ କବିତା ସଂକଳନ ‘ଓଡ଼ିଶା ମାଟିରେ ମୋ ମନ କବିତା’, ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ କବିତା ସଂକଳନ ‘ଜୀବନ ଗୀତି’ ଲୋକାର୍ପଣ କରାଯାଇଥିଲା। ଏହାପରେ ସାହିତ୍ୟ ଗୌରବ ସମ୍ମାନରେ ଡ. ପ୍ରତିଭା ରାୟ, ଶିକ୍ଷା ଗୌରବ ସମ୍ମାନରେ ଡ. ପ୍ରସନ୍ନ କୁମାର ମହାନ୍ତି, ସେବା ଗୌରବ ସମ୍ମାନରେ ସାରଦା ପ୍ରସାଦ ପଟ୍ଟନାୟକ, ଶିଳ୍ପ ଗୌରବ ସମ୍ମାନରେ ଇଂ ଅସିତ ପ୍ରଧାନ, ଚଳଚ୍ଚିତ୍ର ଗୌରବ ସମ୍ମାନରେ ରାଜିନ୍ଦର ସିଂହ ଭାଟିଆ, ଯୁବ ଗୌରବ ସମ୍ମାନରେ କ୍ୟାପ୍‌ଟେନ୍‌ ବିକାଶ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ଶିଶୁ ପ୍ରତିଭା ତ୍ରିନାଥ ପଟ୍ଟନାୟକ ଓ ମୋହିତ୍‌ ମୋହନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଯାଇଥିଲା। ଅପୂର୍ବାର ସଭାପତି ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅପୂର୍ବାର ସଂପାଦକ କ୍ଷୀରୋଦ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଦେଇଥିଲେ। ଅପୂର୍ବାର ମୁଖ୍ୟ ସଂପାଦକ ରବି ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର