ରୋଗ ଅନୁସାରେ ରୋଗୀଙ୍କୁ ଖାଦ୍ୟ ମିଳିବା ପ୍ରସଙ୍ଗ : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ନୂଆ ଖାଇବା କେବେ?

ଏବେ ବି ସରନି ଗାଇଡ୍‌ଲାଇନ୍ ପ୍ରସ୍ତୁତି, ନିଷ୍ପତ୍ତି ନେଇପାରୁନି ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ମାନରେ ଉନ୍ନତି ଆସିବ। ପୁଷ୍ଟିକର ଖାଇବା ମିଳିବ। ଦିନକୁ ୫୦ ଟଙ୍କା ନୁହେଁ, ରୋଗ ଅନୁସାରେ ରୋଗୀଙ୍କୁ ମିଳିବ ଡାଏଟ ବା ଖାଇବା। ୫୦ ଟଙ୍କା ବଦଳରେ ୮୫ରୁ ୯୫ ଟଙ୍କା ଦରରେ ଖାଦ୍ୟ ଦିଆଯିବ। ବର୍ଷେ ତଳୁ ସରକାରୀ ସ୍ତରରେ ଏହି ନିଷ୍ପତ୍ତି ହୋଇସାରିଛି। ହେଲେ ଏ ଯାଏ କ୍ୟାପିଟାଲ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ହସ୍ପିଟାଲରେ ରୋଗୀମାନଙ୍କୁ ପୁରୁଣା ଦରରେ ଖାଇବା ଦିଆଯାଉଛି। ଜେଲ୍ ଦଣ୍ଡ ଭୋଗୁଥିବା ଅପରାଧୀମାନଙ୍କ ଖାଇବା ବାବଦକୁ ସରକାର ୮୫ ଟଙ୍କା ଦେଉଛନ୍ତି। ହେଲେ ହସ୍ପିଟାଲରେ ରୋଗୀଙ୍କୁ ୫୦ ଟଙ୍କାରେ ଖାଇବାକୁ ଦିଆଯାଉଛି। ଏପରିକି ଟେଣ୍ଡର ହେବା ପରେ ସଂପୃକ୍ତ ସଂସ୍ଥା ହସ୍ପିଟାଲରେ ୪୨ରୁ ୪୫ ଟଙ୍କାରେ ଖାଇବା ଯୋଗାଉଛି। ଏତିକି ଟଙ୍କା ଗୋଟିଏ ଓଳି ପାଇଁ ମିଲ୍ ନୁହେଁ। ଏଥିରେ ରୋଗୀଙ୍କୁ ସକାଳ ଜଳଖିଆ ସହିତ ଦ୍ବିପ୍ରହର ମିଲ୍, ସନ୍ଧ୍ୟାରେ ଜଳଖିଆ ଓ ରାତିରେ ପୁଣି ମିଲ୍ ଦିଆଯାଉଛି। ଏହାସହ ବାର ଅନୁସାରେ ଖାଇବାର ମେନ୍ୟୁ ମଧ୍ୟ ରହିଛି। ଭାତ ସହିତ ଚିକେନ, ଅଣ୍ଡା ଓ ମାଛ ଭଳି ଆମିଷ ଖାଦ୍ୟ ମଧ୍ୟ ରୋଗୀ ଖାଉଛନ୍ତି। ଜଳଖିଆରେ ଦିଆଯାଉଥିବା କ୍ଷୀର ମଧ୍ୟ ଓମ୍‌ଫେଡ୍ ବ୍ରାଣ୍ଡର ଦିଆଯାଉଛି। ତେବେ ସରକାରଙ୍କ ପକ୍ଷରୁ ସାଧାରଣ ଖାଦ୍ୟ ପାଇଁ ଏହାକୁ ୫୦ ଟଙ୍କାରୁ ଦାମ୍ ବଢାଇ ୮୫ ଟଙ୍କା କରିବାକୁ ନିଷ୍ପତ୍ତି କରିଥିଲେ। ତରଳ ଖାଦ୍ୟ ପାଇଁ ୯୦ ଟଙ୍କା, ଯକ୍ଷ୍ମା, କର୍କଟ ଓ ହାଡ଼ଭଙ୍ଗା ରୋଗୀଙ୍କ ପାଇଁ ୯୫ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି କରିଥିଲେ। ମାତ୍ର ସ୍ୱାସ୍ଥ୍ୟସେବା ନିର୍ଦେଶାଳୟ ଏ ପର୍ଯ୍ୟନ୍ତ ଏହାର ଗାଇଡଲାଇନ୍ ପ୍ରସ୍ତୁତ କରିପାରି ନାହିଁ।

ନିର୍ଦେଶାଳୟରେ ଏକ କମିଟି ଗଠନ କରି ମେନ୍ୟୁ ତାଲିକା ତିଆରି କରି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯିବା କଥା। ହେଲେ ଏହା ଭିତରେ ଦୀର୍ଘ ମାସ ବିତି ଯାଇଥିଲେ ହେଁ, ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ୍ ତିଆରି କରିପାରି ନ ଥିବାରୁ ହସ୍ପିଟାଲରେ ତାହା ଲାଗୁ ହୋଇପାରୁ ନାହିଁ। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟ ପକ୍ଷରୁ ଡାଏଟ ଦର ବଢିଥିବା ସମ୍ପର୍କରେ ସବୁ ହସ୍ପିଟାଲକୁ ଅବଗତ କରିଛନ୍ତି ସତ ହେଲେ ଗାଇଡ୍‌ଲାଇନ୍‌ ଦେଇ ନାହାନ୍ତି। ଗାଇଡ୍‌ଲାଇନ୍‌ରେ ରୋଗୀଙ୍କୁ କେଉଁ ଦିନ କ’ଣ ଖାଇବା ଦିଆଯିବ ଓ କେତେ ପରିମାଣର ଦିଆଯିବ ସେ ସଂପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। ଗାଇଡ୍‌ଲାଇନ୍ ମିଳିପାରି ନ ଥିବାରୁ ହସ୍ପିଟାଲ କର୍ତୃପକ୍ଷ‌ ଟେଣ୍ଡର ଡାକିପାରୁ ନ ଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି, ଏଥିପାଇଁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯାଇଛି। ଏହା ଏକ ଲମ୍ବା ଗାଇଡ୍‌ଲାଇନ୍ ହୋଇଥିବାରୁ ବିଳମ୍ବ ହେଉଛି। ଆସନ୍ତା ସପ୍ତାହ ମଧ୍ୟରେ ସବୁ ହସ୍ପିଟାଲମାନଙ୍କୁ ଏ ସଂପର୍କିତ ଗାଇଡ୍‌ଲାଇନ୍ ପ୍ରଦାନ କରାଯିବ। ଯାହାଫଳରେ ହସ୍ପିଟାଲ କର୍ତୃପକ୍ଷ ଟେଣ୍ଡର ଜରିଆରେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଚୟନ କରିବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ନିକଟରେ ଜଣେ ପ୍ରସୂତିଙ୍କ ଖାଦ୍ୟରୁ ପୋକ ବାହାରିବା ଘଟଣା ଖାଦ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହି ଘଟଣାରେ ହସ୍ପିଟାଲ କର୍ତୃପକ୍ଷ ୨ଜଣଙ୍କୁ ନୋଟିସ୍ କରିଥିଲେ ହେଁ, କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହାସହ ସଂପୃକ୍ତ ସଂସ୍ଥାର ସମୟ ଅବଧି ଶେଷ ହୋଇ ଯାଇଥିବା ବେଳେ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍ ଆସିବା ପର୍ଯ୍ୟନ୍ତ ହସ୍ପିଟାଲ କର୍ତୃପକ୍ଷ ଏହି ସଂସ୍ଥା ଜରିଆରେ ଖାଦ୍ୟ ଯୋଗାଇବା ପାଇଁ ଅବଧିକୁ ବଢ଼ାଇ ଚାଲିଛନ୍ତି। ଏହାସହ କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ସଂସ୍ଥାକୁ ହସ୍ପିଟାଲରେ ଆଉଟସୋର୍ସିଂ ଜରିଆରେ କର୍ମଚାରୀ ନିଯୁକ୍ତି ଦିଆଯିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଆଗାମୀ ଦିନରେ ଖାଦ୍ୟ ଯୋଗାଣ ପାଇଁ ଗାଡଇ୍‌ଲାଇନ୍ ଜାରି କରାଯିବା ସମୟରେ ସ୍ବଚ୍ଛତା ବଜାୟ ରହିବ ନା ପୂର୍ବଭଳି ଏହି ସଂସ୍ଥାମାନଙ୍କ ହାତରେ ଏହାକୁ ଟେକି ଦିଆଯିବ ତାହା ଏବେ ସମସ୍ତଙ୍କ ନଜରରେ ରହିଛି।

ସମ୍ବନ୍ଧିତ ଖବର