ମନେ ପଡ଼ିଲା ଯୀଶୁଙ୍କ ବଳିଦାନ, ଶୁଭ ଶୁକ୍ରବାର

ଭୁବନେଶ୍ବର,: ଆଜି ଭଳି ସେଦିନ ବି ଥିଲା ଶୁକ୍ରବାର; କିନ୍ତୁ ଏତେ ସାଧାରଣ ନଥିଲା। ପାପୀଙ୍କ ପାପ ହରଣ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ବରଣ କରିଥିଲେ। କ୍ରୁଶବିଦ୍ଧ ହୋଇ ମଣିଷର ସମସ୍ତ କଷ୍ଟ ଲାଘବ କରିବା ସହ ଜଗତରେ ଶାନ୍ତି, ନ୍ୟାୟ ଓ ଧର୍ମ ପ୍ରତିଷ୍ଠା କରିଥିଲେ। ସେଦିନର ସେଇ ବଳିଦାନର ଦାରୁଣ ଗାଥା ମନେ ପକାଇ ଆଖି ଛଳଛଳ ହୋଇ ଉଠିଥିଲା ଖ୍ରୀଷ୍ଟିୟାନ୍‌ ଭାଇଭଉଣୀଙ୍କ ଆଖି। ପ୍ରଭୁଙ୍କର ଏହି ବଳିଦାନ ଓ ସେହି ପବିତ୍ର ମୁହୂର୍ତର ସ୍ମୃତିଚାରଣ ପୂର୍ବକ ସାରା ସହରରେ ଆଜି ପାଳିତ ହୋଇଥିଲା ଗୁଡ୍‌ ଫ୍ରାଇଡେ’। ଏଥିପାଇଁ ସହରରେ ଥିବା ବିଭିନ୍ନ ଚର୍ଚ୍ଚ ଚଳଚଞ୍ଚଳ ହୋଇ ଉଠିଥିଲା। ‘‘ଝୁଲିଲ ମୋ’ ପାଇଁ କ୍ରୁଶରେ ଆହେ ମୋ ଯୀଶୁ ସୁନ୍ଦର। ଝରିଗଲା ଝରଝର କେତେ ତପତ ରୁଧୀର।’’ ସହରର ବିଭିନ୍ନ ଚର୍ଚ୍ଚରୁ ସମବେତ ସ୍ବରରେ ଗୁଞ୍ଜରି ଉଠିଥିଲା ଯୀଶୁଙ୍କ ଉଦ୍ଦେଶ୍ୟରେ ଏପରି ଅନେକ ଦାରୁଣ ଗୀତିମାଳା। ଖ୍ରୀଷ୍ଟଧର୍ମର ବିଶ୍ବାସ ଅନୁଯାୟୀ, ଈଶ୍ବରଙ୍କ ଦୂତ ମଦର ମେରୀଙ୍କ ପାଖକୁ ଆସି ସେ ଗର୍ଭବତୀ ହୋଇଥିବା ସନ୍ଦେଶ ଦେଇଥିଲେ। ଆଉ ଏହା ମଧ୍ୟ କହିଥିଲେ ଯେ ଜନ୍ମ ନେବାକୁ ଥିବା ଶିଶୁ ପବିତ୍ର ଜୀବନ ବଞ୍ଚିବ ଏବ˚ ଦିନେ ଜଗତ ଉଦ୍ଧାର କରିବ। ତାହା ହିଁ ହେଲା, ପାପୀର ପାପ ନାଶ ପାଇଁ ପ୍ରଭୁ ଯୀଶୁ ବଳିଦାନ ଦେଲେ। କ୍ରୁଶବିଦ୍ଧ ହୋଇ ମଣିଷର ସମସ୍ତ କଷ୍ଟ ଲାଘବ କଲେ। ଜଗତରେ ଶାନ୍ତି, ନ୍ୟାୟ ଓ ଧର୍ମ ପ୍ରତିଷ୍ଠା କଲେ। ଆଜି ଶୁଭ ଶୁକ୍ରବାର (ଗୁଡ୍‌ ଫ୍ରାଇଡେ) ଅବସରରେ ୟୁନିଟ୍‌-୪ସ୍ଥିତ ୟୁନିୟନ ଚର୍ଚରେ କୋଲକାତାରୁ ଆସିଥିବା ଫାଦର୍‌ ସୁଶାନ୍ତ ପାତ୍ର ଏହିଭଳି ଭାବେ ପ୍ରଭୁ ଯୀଶୁଙ୍କର କ୍ରୁଶବିଦ୍ଧର ରହସ୍ୟକୁ ଭକ୍ତମାନଙ୍କ ଆଗରେ ଉନ୍ମୋଚିତ କରିବା ସହ ବାଇବେଲ୍‌ ପାଠ କରିଥିଲେ। ଖ୍ରୀଷ୍ଟ (ସମ୍ମିଳିତ)ମଣ୍ତଳୀ ଆନୁକୂଲ୍ୟରେ ୟୁନିଟ-୪ସ୍ଥିତ ୟୁନିୟନ ଚର୍ଚରେ ସକାଳ ୧୦ଟାରେ ଇ˚ରାଜୀରେ ଏବ˚ ଅପରାହ୍‌ଣ ୪ଟାରେ ଓଡ଼ିଆରେ ପ୍ରାର୍ଥନା କରାଯାଇଥିଲା। ଚର୍ଚର ପାଳକ ରେଭ୍‌ ଆୟୁବ୍‌ ଛିଞ୍ଚାଣି ଶ୍ରଦ୍ଧାଳୁଙ୍କୁ ପ୍ରାର୍ଥନା କରାଇଥିଲେ। ହଜାର ହଜାର ଖ୍ରୀଷ୍ଟ ଭକ୍ତଙ୍କ ସମେତ ହିନ୍ଦୁମାନେ ବି ଏଥିରେ ସାମିଲ୍‌ ହୋଇ ଯୀଶୁଙ୍କ ଗୁଣକୀର୍ତନ କରିବା ସହ ପ୍ରାର୍ଥନାରେ କୃତଜ୍ଞତା ଜ୍ଞାପନ କରିଥିଲେ। ସେହିପରି ସତ୍ୟନଗର କ୍ୟାଥଲିକ୍‌ ଚର୍ଚ୍ଚରେ ମଧୢ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା। ଅପରାହ୍‌ଣରୁ ଆରମ୍ଭ ହୋଇଯାଇଥିଲା ଇ˚ରାଜୀ, ହିନ୍ଦୀ ଓ ଓଡ଼ିଆରେ ପ୍ରାର୍ଥନା ଓ ଈଶ୍ବରଙ୍କ ଆରଧନା। ଏହି ଅବସରରେ କ୍ରୁଶବିଦ୍ଧ ପ୍ରଭୁ ଯୀଶୁଙ୍କ ପ୍ରତିମାକୁ ନେଇ ଜନପଥ ପରିକ୍ରମା କରାଯାଇଥିଲା। ଏହା ମଧୢରେ କ୍ରୁଶବିଦ୍ଧ ପ୍ରଭୁ ଯୀଶୁଙ୍କୁ କୃତଜ୍ଞତା ଜଣାଇ ଧାଡ଼ି ବାନ୍ଧି ପାଦ ଚୁମିବାର ଦୃଶ୍ୟ ବୟାନ କରୁଥିଲା ଯେମିତି ଯୀଶୁ କିଛି ସମୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ।

ସମ୍ବନ୍ଧିତ ଖବର