ରାଜ୍ୟ ପାଇଁ ଖୁସି ଖବର: ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ପୁଣି ଠାବ ହେଲା ଗୟଳ

ଭୁବନେଶ୍ବର: ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ୪ଟି ଗୟଳ ଦେଖିବାକୁ ମିଳିଛନ୍ତି। ୧୯୮୮ ମସିହାରୁ ବିଲୁପ୍ତ ଘୋଷଣା ହୋଇଥିବା ଏହି ବିରଳ ବନ୍ୟପ୍ରାଣୀ ପୁଣି ଚନ୍ଦକାରେ ଠାବ ହୋଇଥିବାରୁ ରାଜ୍ୟ ପାଇଁ ଏକ ଖୁସି ଖବର ବୋଲି କୁହାଯାଉଛି। ତେବେ ଏମାନେ ପୁଣି କେଉଁଠୁ ଆସିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ମାସକ ତଳୁ ଡମପଡ଼ା ରେଞ୍ଜ୍‌ରେ କିଛି ଲୋକ ସେମାନଙ୍କୁ ଦେଖିଥିବା ଦାବି କରୁଥିବା ବେଳେ ଏବେ ଚନ୍ଦକା ‌ରେଞ୍ଜ୍‌ରେ କିଛି ପର୍ଯ୍ୟଟକଙ୍କ କ୍ୟାମେରାରେ ଗୋଟିଏ ଗୟଳର ଫଟୋ କଏଦ୍‌ ହୋଇପାରିଛି। ତେଣୁ ଏହାକୁ ନେଇ ସନ୍ଦେହ କରିବାର କିଛି ନାହିଁ ବୋଲି କେତେକ ବନ କର୍ମଚାରୀ ମଧ୍ୟ ଦାବି କରୁଛନ୍ତି।

ଏହି ଖବର ପ୍ରଚାରିତ ହେବା ପରେ ଏବେ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଲଗାଇ ସେମାନଙ୍କ ଉପସ୍ଥିତିକୁ ପ୍ରମାଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ମିଳିଛି। ବନ କର୍ମଚାରୀଙ୍କ କହିବା କଥା, ପ୍ରାୟ ମାସେ ତଳେ ଡମପଡ଼ା ରେଞ୍ଜ୍‌ ଅଞ୍ଚଳରେ କିଛି ସ୍ଥାନୀୟ ଲୋକ ଗୟଳ ଦେଖିଥିବା କହିଥିଲେ। ମାତ୍ର ସେମାନଙ୍କ କଥାକୁ ବିଶ୍ବାସ କରାଯାଇନଥିଲା। ତଥାପି ବନ କର୍ମଚାରୀମାନେ ପାଟ୍ରୋଲିଂ ସମୟରେ ସେମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ। ତେବେ ଆଜି ଗୋଡ଼ିବାରୀ ଦେଇ ଚନ୍ଦକା ଅଭୟାରଣ୍ୟ ବୁଲି ଯାଇଥିବା କିଛି ପର୍ଯ୍ୟଟକ କୁମାରଖୁଣ୍ଟି ଆଡ଼କୁ ଯାଉଥିବା ବେଳେ ଆମ୍ବଖଳି ଠାକୁରାଣୀଙ୍କ ନିକଟରେ ଏକ ଗୟଳ ଦେଖିଥି‌ଲେ ଓ ତା’ର ଫଟୋ ଉଠାଇଥିଲେ। ସେହିଭଳି ତତ୍କାଳୀନ ଭଗ୍ନ ରାଜ ଉଆସ ବୁଆଳିଗଡ଼ ଭିତରେ ଉକ୍ତ ପର୍ଯ୍ୟଟକମାନେ ଆଉ ୨ଟି ଗୟଳ ଦେଖିଥିଲେ। କିନ୍ତୁ ଲୋକଙ୍କୁ ଦେଖି ସେମାନେ ଘଞ୍ଚବଣକୁ ପଶି ଯିବାରୁ ସେମାନଙ୍କ ଫଟୋ ଉଠାଇବା ସମ୍ଭବ ହୋଇନଥିଲା। ପ୍ରଥମେ ସେମାନେ ଏହାକୁ ବଣ ମଇଁଷି ‌ବୋଲି ଧରି ନେଇଥିଲେ। ମାତ୍ର ତା’ର ଚାରିଗୋଡ଼ରେ ଆଣ୍ଠୁତଳକୁ ଧଳା ମୋଜା ଭଳି ଚିହ୍ନ ଥିବା ବେଳେ ବେକ ପାଖ ଅଧିକ ମାଂସାଳ ଦେଖା ଯାଉଥିବାରୁ ତାହା ଗୟଳ ବୋଲି ସେମାନେ ନିଶ୍ଚିତ ହୋଇଥିଲେ। ଏହାବାଦ୍ ମଇଁଷି ଶିଙ୍ଗରେ ଥାକ ଥାକ ଫଟା ଚିହ୍ନ ଥିବା ବେଳେ ଗୟଳ ଶିଙ୍ଘ ସା‌ଧାରଣତଃ ଥାକହୀନ ବା ଗୋଟାଳିଆ ଦେଖାଯାଏ। ପର୍ଯ୍ୟଟକମାନେ ଚନ୍ଦକା ଏସିଏଫ୍‌ ହିମାଂଶୁ ଶେଖର ମହାନ୍ତିଙ୍କୁ ଏହି ଖବର ଜଣାଇବା ସହ ଗୟଳର ଫଟୋ ଦେଇଥିଲେ।

ଏସିଏଫ୍‌ ଶ୍ରୀ ମହାନ୍ତିଙ୍କ କହିବା କଥା, ଫ‌ଟୋରୁ ଜନ୍ତୁଟି ଗୟଳ ବୋଲି ସ୍ପଷ୍ଟ ହୋଇଛି। ମହାନଦୀ ବନଖଣ୍ଡକୁ ଚନ୍ଦକା ବନଖଣ୍ଡ ଲାଗି ରହିଥିବାରୁ ଗୟଳ ଦେଖାଯିବା କିଛି ଅସମ୍ଭବ କଥା ନୁହେଁ। ସେହିଭଳି ଜଣେ ବନ କର୍ମଚାରୀଙ୍କ କହିବା କଥା, ପୁଣି ଯଦି ଏହି ଜଙ୍ଗଲରେ ଚିତାବାଘ ଦେଖାଗଲେଣି, ଗୟଳ ଦେଖାଯିବା କିଛି ବିଚିତ୍ର କଥା ନୁହେଁ। ଗତବର୍ଷ ଫେବ୍ରୁଆରି ମାସରେ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଞ୍ଚଳରୁ ଏକ ଚିତାବାଘକୁ ଧରାଯାଇଥିଲା। ତେଣୁ ଜଙ୍ଗଲର ଘନତା ବଢ଼ି‌ଲେ, ବନ୍ୟପ୍ରାଣୀଙ୍କ ଆବିର୍ଭାବ ଘଟିଥାଏ ବୋଲି ସେମାନେ କହିଛନ୍ତି। ଏ ନେଇ ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ବାଇଁଙ୍କ କହିବା କଥା, ଗୟଳମାନେ ସାଧାରଣତଃ ଅଧିକ ଜଳାଶୟ ଥିବା ଓ ଘାସୁଆ ଜଙ୍ଗଲରେ ବାସ କରନ୍ତି। ବର୍ତ୍ତମାନ ଚନ୍ଦକା ଜଙ୍ଗଲରେ ସବୁ ରେଞ୍ଜ୍‌ରେ ଥିବା ପ୍ରାକୃତିକ ଜଳାଶୟଗୁଡ଼ିକ ମରାମତି ହୋଇଛି ଓ କିଛି ନୂତନ ଜଳାଶୟ ମଧ୍ୟ ନିର୍ମାଣ କରାଯାଇଛି। ଫଳରେ ବନ୍ୟପ୍ରାଣୀଙ୍କ ପାଇଁ ଆଉ ଜଳସଂକଟ ପ୍ରାୟ ନାହିଁ। ସେହିଭଳି ଶିକାର ଓ ଗଛକଟା ବହୁ ପରିମାଣରେ ବନ୍ଦ ହୋଇଥିବାରୁ ଜଙ୍ଗଲର ଘନତା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଗୟଳ ରହୁଥିବା କଥାକୁ ନେଇ ଆଶା ଉଜ୍ଜୀବିତ ହୋଇଛି। ତେବେ ଗୟଳମାନଙ୍କୁ ଉପସ୍ଥିତିକୁ ପ୍ରମାଣ କରିବା ପାଇଁ ଟ୍ରାପ୍‌ କ୍ୟାମେରାର ସହଯୋଗ ନିଆଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଧୀରେ ଧୀରେ ଚନ୍ଦକା ଜଙ୍ଗଲ‌ରେ ଗୟଳ ରହୁଥିବା କଥା ସ୍ପଷ୍ଟ ହେବାକୁ ଲାଗି ଥିବାରୁ ବନ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ସମ୍ବନ୍ଧିତ ଖବର