ରଜ ସଂକ୍ରାନ୍ତି, ପାଗ ଫିଟିଲା, ବୁଲାବୁଲି ଜମିଲା

ପାଗ ଅନୁକୂଳ ଦେଇଥିଲା। ଗୁଳୁଗୁଳି କମିନଥିଲେ ବି ଖରା ହୋଇନଥିଲା। ତେଣୁ ରାଜ୍ୟର ଏହି ଗଣପର୍ବ‌କୁ ଉପଭୋଗ କରିବା ପାଇଁ ଆଜି ବୁଲାବୁଲି ଜମିଯାଇଥିଲା। ୪ଟା ପରେ ଧୀରେଧୀରେ ପୁଣି ରଜର ପରିବେଶ ଜମିଥିଲା। ବିଭିନ୍ନ ସ˚ଗଠନ ପକ୍ଷରୁ ରଜ ଦୋଳିରେ ଝୁଲିବାର ବ୍ୟବସ୍ଥା ହୋଇଥିବା ସ୍ଥାନମାନଙ୍କୁ ପରିବାର ସହ ଛୁଟିଥିଲେ ଝିଅମାନେ। ରଜ ପିଠା ଖାଇବାକୁ ବି ଆଜି ବିଭିନ୍ନ ରେଷ୍ଟୁରାଣ୍ଟ୍‌ରେ ଭିଡ଼ ଦେଖିବାକୁ ମିଳିଥିଲା। ଏଥିସହ ପାତ୍ରପଡ଼ା ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ପଡ଼ିଆ, ପାନ୍ଥ ନିବାସ, ରବୀନ୍ଦ୍ର ମଣ୍ଡପରେ ବହୁ ଲୋକଙ୍କ ସମାଗମ ହୋଇଥିଲା।

ନନ୍ଦନକାନନରେ ଭିଡ଼, ପ୍ଲାନେଟୋରିୟମ ସୋ ବଢ଼ିଲା
ନନ୍ଦନକାନନରେ ପହିଲି ରଜ ଅପେକ୍ଷା ଆଜି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୧୨ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିଥିବା ବେଳେ ଆଜି୨୪୭୮୧ଜଣ ପର୍ଯ୍ୟଟକ ବୁଲିଥି‌ଲେ। ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଆଜି ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଧଉଳି ପର୍ଯ୍ୟଟନ କ୍ଷେତ୍ର ବୁଲିବା ସହ ଲୋକେ ରାଜ୍ୟ ସଂଗ୍ରହାଳୟ, ଜନଜାତି ସଂଗ୍ରହାଳୟ ବୁଲିଥିଲେ। ପ୍ଲାନେଟୋରିୟମରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୋ’ ସଂଖ୍ୟା ବୃଦ୍ଧି କରାଯାଇଥିଲା। ଆଜି ‌ସମୁଦାୟ ୧୨ଟି ସୋ ହୋଇଥିବା ବେଳେ ୧୭୮୯ ଜଣ ପର୍ଯ୍ୟଟକ ପ୍ଲାନେଟୋରିୟମରେ ସୋ ଦେଖିଥିଲେ ବୋଲି ପ୍ଲାନେଟୋରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ସିନେମା ହଲ୍‌ ହାଉସ୍‌ଫୁଲ୍‌
ସଲମନଙ୍କ ‘ଭାରତ’ ଦେଖିବାକୁ ଆଜି ହଲ୍‌ରେ ଭିଡ଼ ଜମିଥିଲା। ରଜରେ ରିଲିଜ୍ ହୋଇଥିବା ୩ଟି ଓଡ଼ିଆ ଚଳଚ୍ଚିତ୍ର ‘ଚିର୍‌କୁଟ୍’, ‘ତୁମୋ ଲଭ ଷ୍ଟୋରୀ-୨’ ଓ ‘ଗୋଲମାଲ୍ ଲଭ୍’ ଦେଖିବା ପାଇଁ ଭୁବନେଶ୍ବରର ସବୁ ସିନେମା ହଲ୍ ହାଉସ୍ ଫୁଲ୍ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ୍‌ର ଦୁଇଟି ଚଳଚ୍ଚିତ୍ର ଅଶୋକ ପତିଙ୍କ ନିର୍ଦେଶିତ ‘ଗୋଲମାଲ୍ ଲଭ୍’ ଓ ତାପସ ସରଗରିଆ ନିର୍ଦେଶତି ‘ତୁମୋ ଲଭ୍ ଷ୍ଟୋରୀ-୨’ ସର୍ବାଧିକ ହଲ୍ ହାତେଇଥିବା ବେଳେ ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏବଂ ପପୁ ପମ୍‌ପମ୍‌ଙ୍କ ନିର୍ଦେଶିତ ଚିର୍‌କୁଟ୍ କମ୍ ହଲ୍ ପାଇଛି। ହେଲେ ବ୍ୟବସାୟିକ ଦୁଷ୍ଟିରୁ ସମସ୍ତ ଚଳଚ୍ଚିତ୍ର ହାଉସ୍ ଫୁଲ୍ ହୋଇଥିବା ଚଳଚ୍ଚିତ୍ର ବିତରକ ସଂସ୍ଥା ପକ୍ଷରୁ ସୂଚନା ମଳିଛି।

ସମ୍ବନ୍ଧିତ ଖବର