କରୋନା ମୁକାବିଲା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁର ମୁକାବିଲା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ସ୍ଥିତି ଉପରେ ନଜର ରଖିବାକୁ କୁହାଯାଉଛି। ଏଭଳି ସମୟରେ ଆଜି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ପ୍ରମୁଖ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟପାଳମାନଙ୍କ ସହ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଏହାପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଓଡ଼ିଶାବାସୀଙ୍କ ଲାଗି ବାର୍ତା ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପ୍ରଫେସର୍‌ ଲାଲ କହିଛନ୍ତି ଯେ କରୋନା ଭୂତାଣୁ ସାରା ବିଶ୍ୱକୁ ଲୁଚି କରି ଆକ୍ରମଣ କରିଛି। ଏହାର ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦେଶବାସୀଙ୍କ ସହଯୋଗ ଯୋଗୁଁ ଆଜି କରୋନା ଭୂତାଣୁ ସଂକ୍ରମଣକୁ କିଛି ପରିମାଣରେ ପ୍ରତିହତ କରାଯାଇପାରିଛି। ବିଶ୍ୱବାସୀଙ୍କୁ ଆଉ ଏକ ଦିଗ୍‌ଦର୍ଶନ ଦେଖାଇବା ଲାଗି ପ୍ରଧାନମନ୍ତ୍ରୀ ଏକାଧିକ ପଦକ୍ଷେପ ନେଉଛନ୍ତି। ଆସନ୍ତା ୫ ତାରିଖ ତଥା ରବିବାର ରାତି ୯ଟାରେ ସମସ୍ତେ ନିଜ ନିଜ ଘରେ ରହି ଲାଇଟ୍‌ ବନ୍ଦ କରିବେ। ୯ ମିନିଟ୍‌ ଲାଗି ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ତାହାକୁ ସଫଳ କରିବା ଦିଗରେ ସମସ୍ତେ ସହଯୋଗ କରନ୍ତୁ। ଏଥିରେ ଲୁଚିଥିବା ମହାନ୍‌ ଉଦ୍ଦେଶ୍ୟ କରୋନା ଭଳି ମହାମାରୀକୁ ସମାପ୍ତ କରିବା ଦିଗରେ ସଫଳ ହେବ।

ଆଜକୁ ଠିକ୍‌ ୧୧ମାସ ତଳେ ଓଡ଼ିଶାକୁ ମାଡ଼ି ଆସିଥିବା ବାତ୍ୟା ‘ଫନି’ର ମୁକାବିଲା ଦିଗରେ ରାଜ୍ୟ ସରକାରଙ୍କ ଦୂରଦର୍ଶିତା ଓ ପ୍ରଧାନମନ୍ତ୍ରୀଙ୍କ ତତ୍ପରତା ଯୋଗୁଁ ବଡ଼ ବିଜୟ ପ୍ରାପ୍ତି ହୋଇଥିଲା। କରୋନା ଭଳି ଏକ ମହାମାରୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଥମେ ସାରା ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିଥିଲେ। ପିଲାଙ୍କ ପାଠପଢ଼ା, କୃଷକଙ୍କ ଚାଷବାସ ଯେପରି ପ୍ରଭାବିତ ନ ହେବ, ସେଥିପାଇଁ ବି ପଦକ୍ଷେପ ନେଇଥିଲେ। ସ୍ଥିତିକୁ ନଜରରେ ରଖି ଆଜି ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ସମ୍ପୂର୍ଣ୍ଣ ବନ୍ଦ ତଥା ଜନତା କର୍ଫ୍ୟୁ ଲାଗୁ କରାଯାଇଛି। ଏଭଳି ସମୟରେ ଓଡ଼ିଶାର ପ୍ରଥମ ନାଗରିକ ଭାବେ ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ସହଯୋଗ କରନ୍ତୁ। ସମସ୍ତେ ଏକାଠି ହୋଇ ଏହି ମହାମାରୀର ମୁକାବିଲା କରିବା। ଏହା ହୋଇପାରିଲେ କେବଳ କରୋନା ନୁହେଁ, ଯେକୌଣସି ବି ରୋଗକୁ ଆମେ ଓଡ଼ିଶା ସମେତ ସାରା ଦେଶରୁ ଦୂରେଇ ଦେଇପାରିବା। ଜଗନ୍ନାଥଙ୍କ ଦେଶରେ ଆମେ ନିଶ୍ଚିତ ସଫଳ ହେବା ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର