କାହା ନିର୍ଦେଶରେ ଚାଲିଛି ଔଷଧ ପ୍ରସ୍ତୁତି? ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଅଚଳାବସ୍ଥା

ମେସିନ୍‌ ଅପରେଟର ନ ଥାଇ ମେସିନ୍‌ କିଏ ଚଳାଉଛି

ଭୁବନେଶ୍ୱର: ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ଡାକ୍ତର, କମ୍ପାଉଣ୍ଡର ଓ ମେସିନ୍‌ ଅପରେଟର ନାହାନ୍ତି। ପୂର୍ବରୁ ଲକ୍ଷାଧିକ ଟଙ୍କାରେ କିଣା ଯାଇଥିବା ଚେରମୂଳିକୁ ରାତାରାତି ଔଷଧ ତିଆରି କରି ପ୍ୟାକେଜିଂ କରାଯାଉଛି। କାହା ନିର୍ଦେଶରେ ଅତ୍ୟାଧୁନିକ ମେସିନ୍‌ ଚାଲୁଛି ଓ କିଏ ଔଷଧର ଭାଗମାପକୁ ତଦାରଖ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଔଷଧ ତିଆରିରେ ଏକ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଅଭିଯୋଗ ହେଉଛି। ରାଜଧାନୀସ୍ଥିତ ସରକାରୀ ଆୟୁର୍ବେଦିକ ଫାର୍ମାସିରେ ବେଶ କିଛି ଦିନ ହେବ ଅଚଳାବସ୍ଥା ଲାଗି ରହିଛି। ଏହା ହେଉଛି ରାଜ୍ୟର ଏକ ପୁରୁଣା ଆୟୁର୍ବେଦିକ ଫାର୍ମାସି। ରାଜ୍ୟର ୨୫୯ଟି ଡିସ୍‌ପେନସାରି ଓ ୨ଟି ଆୟୁର୍ବେଦିକ ହସ୍ପିଟାଲ ଏହା ଉପରେ ନିର୍ଭରଶୀଳ। ଏସବୁ ଡିସ୍‌ପେନସାରିକୁ ଔଷଧ ଯୋଗାଇବା ପାଇଁ ଚଳିତ ଆର୍ଥିକ ବର୍ଷରେ ୩୦ଲକ୍ଷ ଟଙ୍କାର ଚେରମୂଳି ଔଷଧ କିଣାଯାଇଛି। ତେବେ ଫାର୍ମାସି ଦାୟିତ୍ୱରେ ଥିବା ଡାକ୍ତର ମାର୍ଚ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ପରେ ସେହି ପଦବି ଖାଲି ପଡ଼ିଛି। ପୂର୍ବରୁ ମଧ୍ୟ ସେଠାରେ କମ୍ପାଉଣ୍ଡର ନାହାନ୍ତି କି ମେସିନ୍‌ ଚଳାଇବା ପାଇଁ ମେସିନ୍‌ ଅପରେଟର୍‌ ନାହାନ୍ତି। ମେସିନ୍‌ ମ୍ୟାନ ପଦ ଖାଲି ପଡ଼ିଛି। ଏହାସତ୍ତ୍ୱେ ଫାର୍ମାସିରେ ଔଷଧ ପ୍ରସ୍ତୁତି ଚାଲିଥିବା ନଜରକୁ ଆସିଛି।

ଫାର୍ମାସିରେ ଥିବା ୪ଜଣ ଶ୍ରମିକଙ୍କ ସମେତ ହସ୍ପିଟାଲରେ କାର୍ଯ୍ୟରତ ଝାଡ଼ୁଦାର ଓ ଅନ୍ୟ କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରି ରାତିରାତି ଔଷଧ ପ୍ରସ୍ତୁତି ଚାଲିଛି। ଯେତିକି ପରିମାଣର ଚେରମୂଳି କିଣାଯାଇଛି, ତାହାର ଔଷଧ ପ୍ରସ୍ତୁତି ଶେଷ ହେବା ପାଇଁ ଅତି କମ୍‌ରେ ଆହୁରି ସପ୍ତାହ ଲାଗିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାତ୍ର ଏହାର ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଏଭଳି ଔଷଧ ପ୍ରସ୍ତୁତ ହେଉ ନ ଥିବା କହୁଛନ୍ତି। ଔଷଧ ପ୍ରସ୍ତୁତି ସମୟରେ ଏଥିରେ ଥିବା କଞ୍ଚାମାଲର ଭାଗମାପ କିଭଳି ରହିବ ତାହାର ଦାୟିତ୍ୱ କମ୍ପାଉଣ୍ଡର ଓ ଡାକ୍ତରଙ୍କର। ମାତ୍ର ଏହି ଦୁଇ ପଦବି ଖାଲି ପଡ଼ିଛି। ଏହାସହ ପ୍ୟାକେଜିଂ କରାଯିବା ସମୟରେ ପ୍ରସ୍ତୁତ ଔଷଧ ଠିକ୍‌ ଭାବେ କିଭଳି ପ୍ୟାକେଟ୍‌ରେ ରଖାଯିବ ତାହାର ମଧ୍ୟ ତଦାରଖ କରାଯିବା ଅବଶ୍ୟକ। ମାତ୍ର ଏହି ଦୁଇ ପଦବି ଖାଲି ପଡ଼ିଥିବା ବେଳେ ଏବେ କିଏ ଓ କାହା ନିର୍ଦେଶରେ ତରବରିଆ ଭାବେ ଔଷଧ ତିଆରି ହେଉଛି ତାହା ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି। ଅପରପକ୍ଷରେ ଫାର୍ମାସିରେ ଡାକ୍ତର ପାଇଁ ଫାର୍ମାକୋଲୋଜିରେ ପିଜି ଶିକ୍ଷା ହାସଲ କରିଥିବା ଆବଶ୍ୟକ। ଯେଉଁ ଡାକ୍ତରଙ୍କୁ ସରକାରଙ୍କ ପକ୍ଷରୁ ଏହି ପଦବି ପାଇଁ ନିଯୁକ୍ତ କରାଯାଇଛି ସେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତାଙ୍କ ବଦଳରେ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ କାମଚଳା ଦାୟିତ୍ୱ ଦିଆଯାଇଛି। ମାତ୍ର ସେ ଫାର୍ମାସି ବିଭାଗର ଡାକ୍ତର ନୁହନ୍ତି। ରାଜ୍ୟ ଆୟୁଷ ନିର୍ଦେଶକ ଜି.ଶତପଥୀ କହିଛନ୍ତି, ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଡାକ୍ତର, କମ୍ପାଉଣ୍ଡର ଓ ମେସିନ୍‌ ଅପରେଟରଙ୍କ ବିନା ଔଷଧ ପ୍ରସ୍ତୁତ ହେଉଥିବା ଖବର ତାଙ୍କ ନିକଟରେ ନାହିଁ। ଏ ନେଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର