ବିନା ଲାଇସେନ୍‌ସରେ ଆୟୁର୍ବେଦିକ ଫାର୍ମାସି

ଜବ୍‌ ଚାର୍ଟ ମାଗିବାକୁ ନେଇ ଅଧିକାରୀଙ୍କ ମଧ୍ୟରେ ବିବାଦ

ଭୁବନେଶ୍ୱର : ରାଜଧାନୀରେ ଥିବା ସରକାରୀ ଆୟୁର୍ବେଦିକ ଫାର୍ମାସି ଗତ ୩ମାସ ହେବ ବିନା ଲାଇସେନ୍‌ସରେ ଚାଲୁଛି। ପ୍ରତି ୫ବର୍ଷରେ ଥରେ ଲାଇସେନ୍‌ସ ନବୀକରଣ କରିବାର ନିୟମ ଥିଲେ ହେଁ ତାହା ହୋଇପାରି ନାହିଁ। ଶେଷରେ ଆୟୁର୍ବେଦିକ ଫାର୍ମାସିରେ ଡିପ୍ଲୋଏଡ୍‌ ହୋଇଥିବା ଡାକ୍ତରଙ୍କୁ ଫେରାଇ ନେବାକୁ ଆୟୁଷ ନିର୍ଦେଶାଳୟ ଚିଠି ଲେଖିଥିବା ଜଣାପଡ଼ିଛି।

ରାଜଧାନୀରେ ଥିବା ସରକାରୀ ଆୟୁର୍ବେଦିକ ଡାକ୍ତରଖାନାରେ ରହିଛି ଆୟୁର୍ବେଦିକ ଫାର୍ମାସି। ରାଜ୍ୟର ୨୫୯ଟି ଡିସ୍‌ପେନସାରି ଓ ୨ଟି ଆୟୁର୍ବେଦିକ ହସ୍ପିଟାଲ ଏହା ଉପରେ ନିର୍ଭରଶୀଳ। ହସ୍ପିଟାଲ ନିର୍ମାଣ ସମୟରେ ଫାର୍ମାସିର ସ୍ଥିତି ଯାହା ଥିଲା ଆଜିର ସମୟରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି। ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ପ୍ରାୟ ୮୦ପ୍ରକାର ଔଷଧ ତିଆରି ପାଇଁ ଅନୁମତି ରହିଛି। ଚଳିତ ୨୦୧୮/୧୯ବର୍ଷରେ ୩୦ଲକ୍ଷ ଟଙ୍କାର ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫାର୍ମାସିରେ ଔଷଧ ପ୍ରସ୍ତୁତ ସରିଛି ମାତ୍ର ଅଳ୍ପ କିଛି ଜିଲ୍ଲା ଡିସପେନସାରିକୁ ଏହାକୁ ବିତରଣ କରାଯାଇଛି।

ଫାର୍ମାସିରେ ବହୁ ଅତ୍ୟାଧୁନିକ ମେସିନ୍‌ ରହିଥିବା ବେଳେ ସେସବୁ ଚଳାଇବା ପାଇଁ କେହି ମେସିନ୍‌ ଅପରେଟର୍‌ କିମ୍ବା ମେସିନ୍‌ ମ୍ୟାନ୍‌ ନାହାନ୍ତି। ଏହାସହ ଔଷଧର ଭାଗମାପ ଜାଣିବା ପାଇଁ ଆବଶ୍ୟକ କମ୍ପାଉଣ୍ଡର ପଦବି ମଧ୍ୟ ଖାଲି ପଡ଼ିଛି। କେବଳ ୪ଜଣ ଶ୍ରମିକ ମେସିନ୍‌ ଚଲାଇବା ସହିତ ଔଷଧର ପ୍ୟାକେଜିଂ କରୁଛନ୍ତି। ଅପରପକ୍ଷରେ ଫାର୍ମାସି ଦାୟିତ୍ୱରେ ଥିବା ମେଡିକାଲ ଅଫିସର ଗତ ମାର୍ଚ ମାସରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ବଦଳରେ ନୟାଗଡ଼ରେ ଥିବା ଡା.ଚିତ୍ତରଂଜନ ରଥ ସରକାରୀ ଆୟୁର୍ବେଦିକ ଫାର୍ମାସିରେ ଗତ ଏପ୍ରିଲ ମାସରେ ଡିପ୍ଲୋଏଡ୍‌ ହୋଇଛନ୍ତି।

ଡା.ରଥ ଫାର୍ମାସି ଦାୟିତ୍ୱ ନେବା ପରେ ଫାର୍ମାସିରେ ଥିବା କର୍ମଚାରୀଙ୍କୁ ଜବ୍‌ ଚାର୍ଟ ହସ୍ପିଟାଲ କର୍ତୃପକ୍ଷଙ୍କୁ ମାଗିଥିଲେ। ଫାର୍ମାସି ଠିକ୍‌ ଭାବେ କାର୍ଯ୍ୟକ୍ଷମ କରିବାକୁ ହେଲେ ମେସିନ୍‌ ଅପରେଟର୍‌ ଓ ମେସିନ୍‌ ମ୍ୟାନ୍‌ ଯୋଗାଇ ଦେବାକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ହସ୍ପିଟାଲ କର୍ତୃପକ୍ଷ କିମ୍ବା ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଜବ୍‌ ଚାର୍ଟ ମାଗିବାକୁ ନେଇ ଅଧିକାରୀ-ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଶେଷରେ ବାଧ୍ୟହୋଇ ଡା.ରଥ ସୂଚନା ଅଧିକାରୀ ଆଇନ ବଳରେ ଫାର୍ମାସିରେ କାର୍ଯ୍ୟରତ କର୍ମଚାରୀଙ୍କ ଜବ୍‌ ଚାର୍ଟ ସଂପର୍କରେ ତଥ୍ୟ ମାଗିଥିଲେ। ଏଥିରେ ମଧ୍ୟ ତାଙ୍କୁ ଆବଶ୍ୟକ ତଥ୍ୟ ପାଇଁ ଆୟୁଷ ନିର୍ଦେଶାଳୟକୁ ଚିଠି ଲେଖାଯାଇଥିବା ଦର୍ଶାଯାଇଥିଲା।

ଅପରପକ୍ଷରେ ହସ୍ପିଟାଲ ଫାର୍ମାସିର ନବୀକରଣ ପାଇଁ ହସ୍ପିଟାଲ କର୍ତୃପକ୍ଷ ତାଙ୍କ ସାଟିର୍ଫିକେଟ୍‌ ମାଗିଥିଲେ। ମାତ୍ର ଡା.ରଥ ତାଙ୍କର ଡାକ୍ତରୀ ଲାଇସେନ୍‌ସ କେଉଁଠି ଏପଟ ସେପଟ ହୋଇଯାଇଥିବା ଦର୍ଶାଇଥିଲେ। ଫଳରେ ଫାର୍ମାସିର ଲାଇସେନ୍‌ସ ନବୀକରଣ ହୋଇପାରି ନାହିଁ। ଗତ ୩ମାସ ହେବ ସରକାରୀ ଆୟୁର୍ବେଦିକ ଫାର୍ମାସି ବିନା ଲାଇସେନ୍‌ସରେ ଚାଲୁଛି। ଫାର୍ମାସିରେ ଆବଶ୍ୟକ ସଂଖ୍ୟକ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ ଅଂଶ ରହିଛି। ୨୦୧୩/୧୪ରେ ଏହି ପାଣ୍ଠିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରହିଥିବା ବେଳେ ୨୦୧୭/୧୮ରେ ଏହା ସାଢ଼େ ୬ଲକ୍ଷ ଟଙ୍କାରେ ପହଞ୍ଚିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହାସତ୍ୱେ ମଧ୍ୟ କର୍ମଚାରୀ ନିଯୁକ୍ତି ହୋଇପାରି ନାହିଁ। କେଉଁ ଢଙ୍ଗରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ସେଥାପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳି ନ ଥିବାରୁ ହସ୍ପିଟାଲ କର୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି। ଅପରପକ୍ଷରେ ଫାର୍ମାସିରେ କାର୍ଯ୍ୟରତ ଶ୍ରମିକଙ୍କ କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ଉପଲବ୍ଧ ହେବା କଥା ତାହା ମଧ୍ୟ ହେଉ ନ ଥିବା ଜଣାପଡ଼ିଛି।

ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଉପ-ଅଧୀକ୍ଷକ ଡା.ଚିତ୍ତରଂଜନ ରାୟଗୁରୁ କହିଛନ୍ତି, ଗତ ୩ମାସ ହେବ ଆୟୁର୍ବେଦିକ ଫାର୍ମାସିର ଲାଇନେ୍‌ସ ନବୀକରଣ ହୋଇନାହିଁ। ଏଥିପାଇଁ ଫାର୍ମାସିରେ ଡିପ୍ଲୋଏଡ୍‌ ହୋଇଥିବା ମେଡିକାଲ ଅଫିସରଙ୍କୁ ତାଙ୍କର ଡାକ୍ତରୀ ସାର୍ଟିଫିକେଟ୍‌ ମଗାଯାଇଥିଲା। ମାତ୍ର ସେ ତାଙ୍କର ସାର୍ଟିଫିକେଟ୍‌ ଦେବାକୁ ମନା କରି ଦେଇଥିଲେ। ତେଣୁ ଆୟୁଷ ନିର୍ଦେଶାଳୟ ପକ୍ଷରୁ ତାଙ୍କ ବଦଳରେ ଅନ୍ୟ ଜଣେ ମେଡିକାଲ ଅଫିସରଙ୍କୁ ଫାର୍ମାସିରେ ନିଯୁକ୍ତି କରିବା ପାଇଁ ନିର୍ଦେଶ ହୋଇଛି। ମାତ୍ର ତାଙ୍କୁ ନେଇ କୌଣସି ପ୍ରକାର ବିବାଦ ନ ଥିବା ଡା.ରାୟଗୁରୁ କହିଛନ୍ତି।

ସମ୍ବନ୍ଧିତ ଖବର