ଭୁବନେଶ୍ବର : ସୁସ୍ଥ ଜୀବନଶୈଳୀ ଓ ପ୍ରଦୂଷଣମୁକ୍ତ ସହର ଗଢ଼ିବାର ବାର୍ତା ଦେବାକୁ ସରକାରୀ ବାବୁମାନେ ଆଜି କାର୍ଯ୍ୟାଳୟକୁ ସାଇକେଲ୍ରେ ଆସିଥିଲେ। ପୂର୍ବ ନିର୍ଦେଶ ମୁତାବକ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍), ଭୁବନେଶ୍ବର ଡେଭଲପମେଣ୍ଟ୍ ଅଥରିଟି (ବିଡିଏ), ଭୁବନେଶ୍ବର ମୁନିସପାଲ୍ କର୍ପୋରେସନ୍ (ବିଏମ୍ସି)ର ବରିଷ୍ଠ ଅଧିକାରୀଙ୍କଠୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ପ୍ରାୟ ୧୫ଶହ ଜଣ ଆଜି ସାଇକେଲ୍ରେ ଅଫିସ୍ ଆସିଥିଲେ।
ପ୍ରତିଦିନ ମୋଟର ସାଇକେଲ୍ କିମ୍ବା କାର୍ରେ ଆସୁଥିବା କର୍ମଚାରୀମାନେ ଆଜି ସାଇକେଲ୍ରେ ଆସିଥିବାରୁ କାର୍ଯ୍ୟାଳୟ ପାର୍କିଂ ସ୍ଥଳ ସାଇକେଲ୍ରେ ପୂରି ଯାଇଥିଲା। ଏଥିସହ ଦୂରରୁ ଆସୁଥିବା କର୍ମଚାରୀମାନେ ପବ୍ଲିକ୍ ଟ୍ରାନ୍ସପୋର୍ଟ (ସାର୍ବଜନୀନ ପରିବହନ)ର ସୁବିଧା ନେଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସହରବାସୀଙ୍କ ପାଇଁ ନୀତି ନିର୍ଧାରଣ କରୁଥିବା ନୀତି ନିର୍ଧାରକମାନେ ଆଜି ସାଇକେଲ୍ରେ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଓ ଅନନ୍ୟ ବାର୍ତ୍ତା ଦେଇଥିଲେ।
ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ମଧ୍ୟ ନିଜେ କାର୍ଯ୍ୟାଳୟରେ ସାଇକେଲ୍ରେ ପହଞ୍ଚିବା ସହ ସମସ୍ତ କର୍ମଚାରୀଙ୍କୁ ଏଇ ଧାରା ଆପଣାଇବାକୁ କହିଥିଲେ। ଆଜି ୧୫ଶହ କର୍ମଚାରୀ ସାଇକେଲ୍ ନେଇ ଆସିଥିଲେ। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଫଳରେ ଏହା ଲୋକଙ୍କ ମଧ୍ୟରେ ସାଇକେଲ୍ ଚାଳନାର ଭାବନା ଜାଗ୍ରତ କରିବାରେ ସହାୟକ ହେବ। ଏହା କେବଳ କର୍ମଚାରୀଙ୍କୁ ସୁସ୍ଥ ରଖିବ ନାହିଁ, ବରଂ ସହର ମଧ୍ୟରେ ଟ୍ରାଫିକ୍ ଭିଡ଼ ଏଡ଼ାଇବାରେ ମଧ୍ୟ ସହାୟକ ହେବ ବୋଲି କମିସନର୍ ଶ୍ରୀ ଚୌଧରୀ କହିଛନ୍ତି।
ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସମସ୍ତ ହାଉସିଂ ପ୍ରକଳ୍ପରେ ସାଧାରଣରେ ଉପଲବ୍ଧ ସାଇକେଲ୍କୁ ବ୍ୟବହାର କରିବା ପାଇଁ ବିଡିଏ ବାଧ୍ୟତାମୂଳକ କରିଛି। ହାଉସିଂ ପ୍ରକଳ୍ପ ମଧ୍ୟରେ ସାଇକେଲ୍ ଟ୍ରାକ୍ ଯେପରି ଅଂଶବିଶେଷ ହୁଏ, ସେଥିପାଇଁ ବିଡିଏର ବିଲ୍ଡିଂ ପ୍ଲାନ୍ କମିଟି ଧ୍ୟାନ ଦେବାକୁ କୁହାଯାଇଛି। ପୂର୍ବରୁ ସୁସ୍ଥ ଓ ସୁନ୍ଦର ଜୀବନଶୈଳୀ ନିମନ୍ତେ ମୋଟର ବିହୀନ ପରିବହନ (ନନ୍ ମୋଟୋରାଇଜ୍ଡ ଟ୍ରାନ୍ସପୋର୍ଟ) ଉଦ୍ଦେଶ୍ୟକୁ ସାକାର କରିବା ଲାଗି ସହର ମଧ୍ୟରେ ପଥ ଉତ୍ସବ ଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇ ସାରିଛି।
ଭୁବନେଶ୍ବର, କଟକ, ରାଉରକେଲା, ବାଲେଶ୍ବର, ଅନୁଗୁଳ ଓ ତାଳଚେର ଭଳି ସହରରେ ମୋଟର ଯାନ ସଂଖ୍ୟା ବୃଦ୍ଧି, ବିନା ପ୍ଲାନ୍ରେ ସହରୀକରଣ, ଶିଳ୍ପ ଓ କୃଷିଭିତ୍ତିକ କାର୍ଯ୍ୟ ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି ବୋଲି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ପ୍ରକାଶ ପାଇଛି।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ସୂଚନା ମୁତାବକ କେବଳ ରାଜଧାନୀରେ ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୧୪ଲକ୍ଷ ଗାଡ଼ି ଚଳାଚଳ କରୁଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋ-କାର୍ବନ ମୋବିଲିଟି ପ୍ଲାନ୍ (ଏଲ୍ସିଏମ୍ପି) ପାଇଁ ରାଜଧାନୀରେ କାମ ଆରମ୍ଭ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ବିଡିଏ ଜର୍ମାନ ଡେଭଲପମେଣ୍ଟ କର୍ପୋରେସନ୍ ସହ ମିଶି ଏହି ଏଲ୍ସିଏମ୍ପି ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/biswajit.jpeg)