ସରକାରଙ୍କ ସହାୟତା ପୁଳାପୁଳା, ଉଠା ଦୋକାନୀ ହତାଶ

୫ବର୍ଷ ତଳର ତାଲିକା ଧରି ସହାୟତା ବାଣ୍ଟୁଛି ବିଏମ୍‌ସି, ୨୦ହଜାରରୁ ଅଧିକ ଉଠା ଦୋକାନୀଙ୍କୁ ମିଳୁନି ସହାୟତା

ଭୁବନେଶ୍ବର: କରୋନା ପାଇଁ ଦୋକାନ ବଜାର ସବୁ ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ସମସ୍ତ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ବି ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ହେଲେ ଏହି ସହାୟତା କେତେ ଉଠା ଦୋକାନୀ ପାଇବେ। ରାଜଧାନୀରେ ଗଳିକନ୍ଦିରେ ମାଳ ମାଳ ଉଠା ଦୋକାନୀ ଥିଲେ ହେଁ କାଁ ଭାଁ ଉଠା ଦୋକାନୀଙ୍କୁ ବିଏମ୍‌ସି ରାଜ୍ୟ ସରକାରଙ୍କ ସହାୟତା ଦେଇଛି। ଏପରିକି ରାଜଧାନୀରେ ଥିବା ପ୍ରାୟ ୩୦ ହଜାରରୁ ଅଧିକ ଉଠା ଦୋକାନୀଙ୍କ ମଧ୍ୟରୁ ମାତ୍ର ୧୧,୩୦୪ଜଣଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି। ପ୍ରାୟ ୨୦ ହଜାର ଉଠା ଦୋକାନୀଙ୍କୁ ବାତ୍ୟା ଫନି ପରେ ମିଳିଥିବା ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳି ନଥିବା ବେଳେ ଏବେ କରୋନା ସହାୟତା ମିଳିନି। ସରକାର ଉଠା ଦୋକାନୀଙ୍କୁ ପୁଳାପୁଳା ସହାୟତା ଘୋଷଣା କରୁଛନ୍ତି, ହେଲେ ବିଏମ୍‌ସି ପାଇଁ ହଜାର ହଜାର ଉଠା ଦୋକାନୀଙ୍କୁ ଏହି ସହାୟତା ମିଳୁନି।

୨୦ ହଜାରରୁ ଅଧିକ ଉଠା ଦୋକାନୀଙ୍କୁ ବାତ୍ୟା ଓ କରୋନା ସହାୟତା ନ ମିଳିବାର କାରଣ ହେଲା, ବିଏମ୍‌ସି ୫ବର୍ଷ ତଳେ ଉଠା ଦୋକାନୀଙ୍କ ଉପରେ ହୋଇଥିବା ସର୍ଭେ ତାଲିକାକୁ ଧରି ସହାୟତା ବାଣ୍ଟୁଛି। ଏହି ତାଲିକାରେ ୨୧,୪୮୩ ଜଣ ଉଠା ଦୋକାନୀ ଥିଲେ ହେଁ ୧୦,୧୭୯ ଦୋକାନୀଙ୍କୁ ଟଙ୍କା ମିଳୁନି। ରାଜଧାନୀର ବହୁ ଉଠା ଦୋକାନୀ କହିଛନ୍ତି ଯେ ବିଏମ୍‌ସି କେତେବେଳେ ସର୍ଭେ କରୁଛି, ଆମେ ଜାଣିନୁ। ଆମ ପାଖକୁ କେହି ଆସୁ ନାହାନ୍ତି। କେବଳ ମୁଖ୍ୟ ରାସ୍ତାରେ ବସୁଥିବା ଦୋକାନୀଙ୍କ ନାଁ ନେଇ ଟଙ୍କା ଦେଉଛନ୍ତି, ଗଳି ଭିତରେ କିଏ ବସୁଛି ଖୋଜୁନାହାନ୍ତି। ରାଜଧାନୀର ବହୁ ଅଣ୍ଡା ଦୋକାନୀ, ପରିବା ବେପାରୀ, ଚାର୍ଟ, ଗୁପଚୁପ୍ ବେପାରୀ, ବିଭିନ୍ନ ଠେଲାଗାଡ଼ିରେ ଜଳଖିଆ ବିକୁଥିବା ଦୋକାନୀ, ଛେନା ବେପାରୀ, ବିଭିନ୍ନ ମନ୍ଦିର ସମ୍ମୁଖରେ ବର୍ଷ ବର୍ଷ ଧରି ଫୁଲ, ଦୀପ ବିକୁଥିବା ଦୋକାନୀଙ୍କୁ ସରକାରଙ୍କ ସହାୟତା ମିଳିନି। ସେମାନଙ୍କ କହିବା କଥା ଯେ ବିଏମ୍‌ସି କର୍ତ୍ତୃପକ୍ଷ ସକାଳ ୧୦ଟାରୁ ୪ଟା ଭିତରେ ସର୍ଭେ କରିବାକୁ ଆସିବେ। ସେତେବେଳେ ତ ଆମେ ଦୋକାନ ଖୋଲୁନୁ। ସକାଳେ ୭ଟାରୁ ୧୦ଟା, ସଂଧ୍ୟାରେ ୫ଟାରୁ ୯ଟା ଯାଏ ଦୋକାନ ଖୋଲୁଛୁ। ହେଲେ ଏହି ସମୟରେ କେହି ଆସୁନାହାନ୍ତି। ପରେ ବିଏମ୍‌ସିରେ ଆବେଦନ କଲେ କହୁଛନ୍ତି ତୁମେ ଉଠା ଦୋକାନୀ ବୋଲି ପ୍ରମା‌ଣ କ’ଣ?

ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସିର ସର୍ଭେ ତାଲିକାରେ ଯେଉଁ ୨୧୪୮୩ଜଣ ଉଠା ଦୋକାନୀ ଥିଲେ, ସେଥିରେ ୨୪୪୦ ଜଣ ମୋବାଇଲ୍‌ ଭେଣ୍ଡର (ଠେଲା ଗାଡ଼ି କିମ୍ବା ଗାଡ଼ିରେ ବେପାର କରନ୍ତି), ୧୨୭୬ ଜଣ ପେରିପେଟେଟିକ୍ ଭେଣ୍ଡର (ଚାଲିଚାଲି ବେପାର କରନ୍ତି) ଓ ୧୭୭୭୬ ଜଣ ଷ୍ଟେସନାରି ଭେଣ୍ଡର (ଯେଉଁମାନେ ଗୋଟିଏ ଜାଗାକୁ ପ୍ରତିଦିନ ଆସି ବେପାର କରନ୍ତି) ଅଛନ୍ତି। ଏନେଇ ଭୁବନେଶ୍ବର ଉଠା ଦୋକାନୀ ସଂଘର ସଭାପତି ସୁର ଜେନା କହିଛନ୍ତି ଯେ ସରକାର ଆମକୁ କାହିଁକି ଅଣଦେଖା କରୁଛନ୍ତି, ଆମେ ଜାଣିପାରୁନୁ। ପଞ୍ଜୀକୃତ ହେବା ସତ୍ତ୍ବେ ଫନି ଓ କରୋନା ସହାୟତା ୧୦ ହଜାରରୁ ଅଧିକ ଉଠା ଦୋକାନୀଙ୍କୁ ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦୁଇ ମାସ ହେଲା ଦୋକାନ ବଜାର ବନ୍ଦ ରହିଲା, ଗୋଟିଏ ବର୍ଷରେ ବାତ୍ୟା ଓ କରୋନା ଭଳି ଦୁର୍ବିପାକ ଆମ ବେଉସା ଛଡ଼ାଇ ନେଲା। କିନ୍ତୁ ବିଏମ୍‌ସି ଆମକୁ ସହାୟତା ଦେଉନି। ସେମାନେ କ’ଣ ହିସାବ କରି କାହାକୁ ଟଙ୍କା ଦେଉଛନ୍ତି, ତାହା ଆମେ ଜାଣିପାରୁନୁ। ବିଏମ୍‌ସି ଅଫିସରେ ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି।

୧୦ ହଜାରରୁ ଅଧିକ ଦୋକାନୀଙ୍କୁ ସରକାରୀ ସହାୟତା ନ ମିଳିବା ନେଇ ବିଏମ୍‌ସିର ଯୁକ୍ତି ଯେ ବହୁ ଉଠା ଦୋକାନୀଙ୍କ ଡକୁମେଣ୍ଟରେ ତ୍ରୁଟି ଅଛି। ଯେଉଁମାନଙ୍କ ତାଲିକାରେ ନାଁ ଅଛି, ସେମାନଙ୍କୁ ଖୋଜାଗଲେ ବି ମିଳୁ ନାହାନ୍ତି। କେତେକ ଜାଗାରେ ସ୍ଥାୟୀ ଦୋକାନରେ ବସୁଥିବା ଲୋକ ଉଠା ଦୋକାନୀ ତାଲିକାରେ ନାଁ ଗଡ଼ାଇଛନ୍ତି। ତେଣୁ ଜୋନ୍‌ସ୍ତରରେ ୱାର୍ଡ ଅଫିସରମାନେ ସହାୟତା ଦେବା ପାଇଁ ସର୍ଭେ କରିବା ବେଳେ ସେମାନଙ୍କୁ ବାଦ୍‌ ଦେଇଛନ୍ତି। ବହୁ ଉଠା ଦୋକାନୀ ଭୁବନେଶ୍ବର ଛାଡ଼ି ପଳାଇଥିବାରୁ ଏବଂ ନାଁ ଭୁଲ୍‌ ଦେଇଥିବାରୁ ‌େଚକ୍‌ ଫେରି ଆସୁଛି। ହେଲେ ଏବେ ଯେଉଁ କରୋନା ସହାୟତା ପ୍ରଦାନ କରାଯାଉଛି, ତାହା ଯେପରି ଅଧିକ ଲୋକଙ୍କୁ ମିଳିବ ସେନେଇ ଆମେ ପଦକ୍ଷେପ ନେଉଛୁ। ଖୁବ୍‌ ଶୀଘ୍ର ଦେବୁ।

୨୮ବର୍ଷ ହେଲା ବେପାର କରୁଛି, ଟଙ୍କାଟିଏ କେବେ ମିଳିନି
ଆଚାର୍ଯ୍ୟ ବିହାର ଛକରେ ୧୯୯୨ ମସିହାରୁ ଛେନା ବେପାର କରୁଥିବା ବେଣୁଧର ବେହେରା କହିଛନ୍ତି ଯେ ୨୮ ବର୍ଷ ହେଲା ବେପାର କରୁଛି। ବିଭିନ୍ନ ଛକରେ ବସିବା ପରେ ଏଠାରେ ବହୁ ବର୍ଷ ହେଲା ବସୁଛି। କିନ୍ତୁ ଉଠା ଦୋକାନୀଙ୍କୁ ସରକାର ଟଙ୍କା ଦେଉଛନ୍ତି ବୋଲି କାଇଁ ଜାଣିନି। କେବେ ଟଙ୍କାଟିଏ ମିଳିନି, ଏବେ କାଇଁ ଆବେଦନ କରିବି।
ବେଣୁଧର ବେହେରା, ଛେନା ଦୋକାନୀ

ଆବେଦନ କରିଛି, କିଛି ମିଳିନି
ପ୍ଲାନେଟାରିୟମ୍‌ ସମ୍ମୁଖରେ ୨୦୧୭ ମସିହାରୁ ଆଇସକ୍ରିମ୍‌ ବ୍ୟବସାୟ କରୁଥିବା ଅମର ସାହୁ କହିଛନ୍ତି ଯେ ମୋ ନାଁ ଉଠା ଦୋକାନୀ ତାଲିକାରେ ଚଢ଼ି ନଥିଲା। ମୁଁ ଜାଣିବା ପରେ ଆବେଦନ କଲି। ଦୁଇବର୍ଷ ହେଲା ଆବେଦନ କ‌ଲିଣି କିନ୍ତୁ କିଛି ମିଳିନି।
ଅମର ସାହୁ, ଆଇସକ୍ରିମ ଦୋକାନୀ

ବହୁଥର ନାଁ ଲେଖିଲେଣି, କିଛି ତ ହେଉନି
ପ୍ରାୟ ୨୦ ବର୍ଷ ହେଲା ରାଜଧାନୀରେ ଠେଲାରେ ଫଳ ବେପାର କରୁଥିବା ବିରଞ୍ଚି ସାହୁ କହିଛନ୍ତି ଯେ ବହୁ ଥର ବିଏମ୍‌ସି ପକ୍ଷରୁ ଲୋକ ଆସି ନାଁ ଲେଖିକି ନେଇଛନ୍ତି। ହେଲେ ଆଜି ଯାଏ କେବେ କିଛି ମିଳିନି।
ବିରଞ୍ଚି ସାହୁ, କଦଳୀ ଦୋକାନୀ

ମୋତେ ଫନି, କରୋନା ସହାୟତା ମିଳିଛି
ଜୟଦେବ ବିହାର ଛକ‌ରେ ଝାଲମୁଢ଼ି ବେପାର କରୁଥିବା ଦିଗମ୍ବର ପଣ୍ଡା କହିଛନ୍ତି ଯେ ମୋ ନାଁ ୨୦୧୫ ସର୍ଭେ ବେଳେ ଚଢ଼ିଥିଲା। ତେଣୁ ମୋତେ ଫନି ସହାୟତା ୧୦ ହଜାର ଟଙ୍କା, କରୋନା ସହାୟତା ୩ ହଜାର ଟଙ୍କା ମିଳିଛି।
ଦିଗମ୍ବର ପଣ୍ଡା, ଝାଲମୁଢ଼ି ଦୋକାନୀ

ତାଲିକାରେ ନାଁ ଥିଲା, ଟଙ୍କା ଦେଲେନି
ୟୁନିଟ-୧ରେ ୧୨ବର୍ଷ ହେଲା ଫଳ ବ୍ୟବସାୟ କରୁଥିବା ଉଦୟ କୁମାର ପଲାଇ କହିଛନ୍ତି ଯେ ମୋ ନାଁ ସର୍ଭେ ବେଳେ ନେଇଥିଲେ। ତାଲିକାରେ ବି ନାଁ ଥିଲା। ହେଲେ ଟଙ୍କା ଦେଲେନି। ଫନି ବେଳେ ବିଏମ୍‌ସିରେ ପଚାରିବାରୁ କହିଲେ ମିଳିବ। ହେଲେ ମିଳିଲାନି। ଏବେ କରୋନା ପାଇଁ ପାଖ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା ହେଲେ ମୋତେ ମିଳିଲାନି।
ଉଦୟ କୁମାର ପଲାଇ, ଫଳ ବ୍ୟବସାୟୀ

ହେଲମେଟ୍‌ ବିକିବା କ’ଣ ବେପାର ନୁହେଁ
୮ବର୍ଷ ହେଲା ରାସ୍ତା କଡ଼ରେ ହେଲମେଟ୍‌ ବିକୁଛି। କିନ୍ତୁ ମୋ ନାଁ ତାଲିକାରେ ନାହିଁ। ମୁଁ ବିଏମ୍‌ସିରେ ବହୁବାର କହିଛି କିନ୍ତୁ ନାଁ ଚଢ଼ୁନି। ହେଲମେଟ୍‌ ବିକିବା ବୋଧେ ବ୍ୟବସାୟ ନୁହେଁ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଭାବୁଛନ୍ତି ତେଣୁ ମୋତେ ସହାୟତା ଦେଉନାହାନ୍ତି। ଆବେଦନ କରିଛି। ଦେଖାଯାଉ କ’ଣ ହେଉଛି।
ପୀତବାସ ପାଟ୍ଟସାଣୀ, ହେଲମେଟ୍‌ ଦୋକାନୀ

ସମ୍ବନ୍ଧିତ ଖବର