୪୦ ଡିଗ୍ରିରେ ସ୍କୁଲ ଖୋଲିବା ମହଙ୍ଗା ପଡ଼ିଲା : କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍
ଭୁବନେଶ୍ୱର: ୪୦ ଡିଗ୍ରି ଖରାରେ କୋମଳମତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଡାକି ପଢ଼ାଇବା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ମହଙ୍ଗା ପଡ଼ିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଗ୍ରୀଷ୍ମ ଛୁଟିକୁ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ କର୍ତୃପକ୍ଷ ନିର୍ଦେଶକୁ ଖାତିର ନ କରି ସ୍କୁଲ ଖୋଲିଥିଲେ। ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରୁଥିଲେ। ଅଭିଭାବକମାନେ ଏନେଇ ଅଭିଯୋଗ କଲେ ମଧ୍ୟ ବିଦ୍ୟାଳୟ କର୍ତୃପକ୍ଷ ଶୁଣି ନ ଥିଲେ। ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ-୧ ଅଧ୍ୟକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ର୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ଜୁନ୍ ୨୧ ଓ ଜୁନ୍ ୨୫ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିଥିଲେ। କୌଣସି ପରିସ୍ଥିତିରେ କ୍ଲାସ ନ କରିବାକୁ ବି କୁହାଯାଇଥିଲା। କିନ୍ତୁ କେଉଁ ପରିସ୍ଥିତିରେ ସ୍କୁଲ ଖୋଲା ରଖିଥିଲ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର ସେକ୍ସନ-୫୧(ବି)କୁ ଉଲ୍ଲଂଘନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶନାମାକୁ କାହିଁକି ଉଲ୍ଲଂଘନ କରାଗଲା ତାହାର ଜବାବ ୩ ଦିନ ମଧ୍ୟରେ ରଖିବାକୁ କୁହାଯାଇଛି। ଏଥିସହ ୨୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି। କାରଣଦର୍ଶାଅ ନୋଟିସ୍ ମିଳିବା କ୍ଷଣି ବିଦ୍ୟାଳୟ କର୍ତୃପକ୍ଷ ସ୍କୁଲରେ ତାଲା ପକାଇଛନ୍ତି। ଜୁନ୍ ୨୫ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଏହାର ଉତ୍ତରରେ ବିଦ୍ୟାଳୟ କର୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି ଯେ ଏପ୍ରିଲ ୧୧ରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଛୁଟି ଘୋଷଣା କରିବାର ବହୁ ପୂର୍ବରୁ ଛୁଟି କରାଯାଇଥିଲା। ମେ’ ୩୦ରେ ଖୋଲିଥିଲା। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ହେଉଥିଲା। ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଖୋର୍ଧା ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲାଯାଇଥିବା ସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ସ୍କୁଲରେ ପାଠପଢ଼ା ହେଉଥିଲା। ଗ୍ରୀଷ୍ମ ଛୁଟି ଅଧିକ ଦିନ ହୋଇଯାଉଛି। ନିର୍ଧାରିତ ସମୟରେ ସିଲାବସ୍ ସାରିବାକୁ ପଡ଼ିବ। ଖରାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲା। ଏବେ ଛୁଟି କରାଯାଇଛି। ୨୫ ତାରିଖଠାରୁ ନିୟମିତ ଭାବେ କ୍ଲାସ ଚାଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାପାଳ ନା ସରକାର, କିଏ ବଡ଼?
ଗ୍ରୀଷ୍ମ ଯୋଗୁଁ ସବୁ ବିଦ୍ୟାଳୟ ଛୁଟି ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଖୋର୍ଧା ଜିଲ୍ଲାପାଳ କେଉଁ ଆଧାରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣଦର୍ଶାଅ ନୋଟିସ୍ ପରେ ବିଦ୍ୟାଳୟ କର୍ତୃପକ୍ଷ ସଫେଇ ଦେଇଛନ୍ତି ଯେ ବିିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ସ୍କୁଲ ଖୋଲିବା ନେଇ ଅବଗତ କରାଯାଇଥିଲା। ଏଭଳି ସଫେଇ ପରେ ଏବେ ପ୍ରଶ୍ନ ଉଠିଛି କିଏ ବଡ଼? ରାଜ୍ୟ ସରକାର ନା ଖୋର୍ଧା ଜିଲ୍ଲାପାଳ? ଗୋଟିଏ ପଟେ ରାଜ୍ୟ ସରକାର ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ଛୁଟି ବୃଦ୍ଧି ନେଇ ଘୋଷଣା କରୁଥିବା ବେଳେ କେଉଁ ଆଧାରରେ ଜିଲ୍ଲାପାଳ ସ୍କୁଲ ଖୋଲିବାକୁ କହିଲେ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।
ଘରୋଇ ସ୍କୁଲକୁ ଆଖି ଦେଖାଇପାରିଲେନି
କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ହେଲେ ଭୁବନେଶ୍ୱରରେ ଏକାଧିକ ଘରୋଇ ବିଦ୍ୟାଳୟ କିନ୍ତୁ ଖୋଲା ରହିଛି। କେତେକ ବିଦ୍ୟାଳୟରେ ଏବେ ବି ପରୀକ୍ଷା ଚାଲିଛି। ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ମୁହଁ ଖୋଲିପାରୁ ନାହାନ୍ତି। ହେଲେ ସେମାନଙ୍କ ପ୍ରତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୌଣସି ବି କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇପାରିଲେନି। ଅବଶ୍ୟ କେନ୍ଦ୍ରୀୟ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍ ଜାରି ହେବା ପରେ କେତେକ ବିଦ୍ୟାଳୟ ୨୫ ତାରିଖ ଯାଏ ଛୁଟି ଘୋଷଣା କରିଦେଇଛନ୍ତି।