ଭୁବନେଶ୍ବର: ଘର ଦେବୁ, ଜମି ଦେବୁ। ମୌଳିକ ସୁବିଧା ଯୋଗେଇ ଦେବୁ। ବସ୍ତିବାସିନ୍ଦାଙ୍କୁ ଘର କରି ଯୋଗାଇ ଦେବାକୁ ଦୁଇ ବର୍ଷ ତଳେ ଏଇ ପ୍ରତିଶ୍ରୁତି ସହ ଖସଡ଼ା ପ୍ରସ୍ତୁତ କରିଥିଲେ ସରକାର। କଥା ରଖି ବହୁ ବସ୍ତିବାସିନ୍ଦାଙ୍କୁ ଘର ବି ଯୋଗାଇ ଦେଲେ। ମାତ୍ର ସତ୍ୟନଗର ନବୀନ ବସ୍ତିର ବାସିନ୍ଦାଙ୍କ କ୍ଷେତ୍ରରେ ଏହି ପ୍ରକଳ୍ପ ପ୍ରହସନ ପାଲଟିଛି। ସେମାନଙ୍କ ଘର ପ୍ରଶାସନ ପକ୍ଷରୁ ଭଙ୍ଗା ଯିବାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ୬ଟି ଦୃଷ୍ଟିବାଧିତ ପରିବାରକୁ ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ଘର ଯୋଗାଇ ଦିଆଯାଇନାହିଁ। ଯେଉଁମାନଙ୍କ ନାଁ କେବେ ବସ୍ତିରେ ଶୁଣା ଯାଇନଥିଲା, ସେମାନଙ୍କୁ ଏହି ପ୍ରକଳ୍ପରେ ସ୍ଥାନିତ କରି ଘର ଦିଆଗଲା। ଗୋଟେ ପରିବାରରୁ ମା’ ଓ ଦୁଇ ପୁଅଙ୍କୁ ମିଶାଇ ୩ ଟି ଘର ଯୋଗାଇ ଦିଆଯାଇପାରିଲା। ଅଥଚ ଅସହାୟ ଦୃଷ୍ଟିହୀନ ପରିବାରକୁ ଘର ଯୋଗାଇ ଦେବାକୁ ପ୍ରଶାସନ ଏଯାଏ ଉଚିତ୍ ମଣିଲା ନାହିଁ। ବାସ୍ତବ କଥା ହେଉଛି, ସତ୍ୟନଗର ନବୀନ ବସ୍ତିରେ ମୋଟ୍ ୭୯ଟି ଘରକୁ ରେ’ (ରାଜୀବ ଆବାସ ଯୋଜନା)ର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ଶେଷ ପର୍ଯ୍ୟାୟରେ ସେଥିମଧ୍ୟରୁ ୪୩ଟି ପରିବାରକୁ ଉକ୍ତ ଯୋଜନାରେ ସାମିଲ୍ କରାଗଲା। ଏଯାବତ ୩୨ ଜଣଙ୍କୁ ରେ’ ଯୋଜନା ଅନ୍ତର୍ଗତ ଥଇଥାନ ପ୍ରକଳ୍ପରେ ନିର୍ମିତ ନୂଆ ବିଲ୍ଡିଂରେ ଘର ଯୋଗାଇ ଦିଆଯାଇଛି। ବାକି ୧୧ଜଣଙ୍କୁ ସ୍ଥାନାନ୍ତର କରାଯାଉନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଦୃଷ୍ଟିବାଧିତ ବଂଶୀଧର ପ୍ରଧାନଙ୍କ କହିବା ମୁତାବକ, ଘର ଭଙ୍ଗାଯିବାର ୬ ମାସ ମଧ୍ୟରେ ଆମକୁ ଗଙ୍ଗନଗର ପ୍ରକଳ୍ପରେ ଘର ଯୋଗାଇ ଦିଆଯିବ ବୋଲି ଲିଖିତ ଭାବେ ଅବଗତ କରାଗଲା। ସରକାର ନିର୍ଧାରିତ କରିଥିବା ୧ଲକ୍ଷ ୨୦ ହଜାର ଟଙ୍କାର ଅର୍ଥରାଶି ପଇଠ କରିବାକୁ କୁହାଗଲା। ମୁଁ ମୋ ସାଧ୍ୟ ମୁତାବକ ୨୧ ହଜାର ୫ଶହ ଟଙ୍କା ପଇଠ କଲି। ବାକି ଅର୍ଥ ବ୍ୟାଙ୍କରୁ ଋଣ କରାଇଦେବା ପାଇଁ ପ୍ରଶାସନ ଯୋଗସୂତ୍ର ସ୍ଥାପନ କରିବା ନେଇ ସ୍ଥିର ହେଲା। ମାତ୍ର ୨ ବର୍ଷ ପରେ ମଧ୍ୟ ଆମକୁ ଘର ଦିଆଗଲା ନାହିଁ। ଏଇ ଅଭିଯୋଗ ନେଇ ଯେତେବେଳେ ଆମେ ୬ ପରିବାର ବିଡିଏ ଓ ବିଏମ୍ସି କାର୍ଯ୍ୟାଳୟକୁ ଧାଇଁଲୁ, ଆମ କଥା ଶୁଣିବା ପରିବର୍ତେ ୮ଦିନ, ୧୫ଦିନ, ମାସେ ମଧ୍ୟରେ ଘର ମିଳିଯିବ କହି କେବଳ ଆଶ୍ବାସନା ଦେଇ ଫେରାଇ ଦିଆଗଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୧୧ ମସିହାରେ ରେ’ ଯୋଜନାରେ ଯାହାର ନାମ ତାଲିକାକୁ ଉଠିଥିଲା ସେମାନେ ହିଁ ଏହି ଘର ପାଇବାକୁ ମନୋନୀତ ହୋଇଥିଲେ। ତେବେ ଏମିତି ବି ଦେଖାଦେଇଛି ଯେଉଁମାନେ କେବେ ଏ ବସ୍ତିରେ ନଥିଲେ, ସେମାନଙ୍କୁ ଘର ଯୋଗାଇ ଦିଆଗଲା। ଅଥଚ ସେଇ ବସ୍ତିରେ ଥିବା ଦୃଷ୍ଟିହୀନ ଅମର ପ୍ରଧାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ। ଅମରଙ୍କ କହିବା ମୁତାବକ, ମୋ ଦେହ ଖରାପ ଥିବାରୁ ମୁଁ ୨୦୧୧ ରେ’ ସର୍ବେକ୍ଷଣ ବେଳେ ଏଠି ନଥିଲି। ତେଣୁ ପରବର୍ତୀ ସର୍ବେକ୍ଷଣରେ ମୋ ନାଁ ତାଲିକାକୁ ଉଠିଲା। ମୋ ସାଙ୍ଗରେ ଅନ୍ୟ ୪ଜଣଙ୍କ ନାମ ତାଲିକାକୁ ଉଠିଥିଲା। ୪ଜଣ ସାଧାରଣ ଲୋକ ହୋଇ ଥଇଥାନ ପ୍ରକଳ୍ପରେ ଘର ପାଇବାକୁ ମନୋନୀତ ହେଲେ, ଅଥଚ ମୁଁ ଦୃଷ୍ଟିହୀନ ହୋଇ ଏଥିପାଇଁ ମନୋନୀତ ହୋଇପାରିଲି ନାହିଁ। ମତେ ଉଦ୍ଦେଶ୍ୟମୂଳକ ଭାବେ ଏହି ଯୋଜନାରୁ କାଟି ଦିଆଯାଉଛି ବୋଲି ସେ କହିଛନ୍ତି। ବଂଶୀଧର ଓ ଅମରଙ୍କ ସମେତ ନରୋତ୍ତମ ଦାସ, ପ୍ରଶାନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ଦାସଙ୍କ ଭଳି ଦୃଷ୍ଟିହୀନ ବ୍ୟକ୍ତିମାନେ ମଧ୍ୟ ଏହି ଯୋଜନାରେ ୨ ବର୍ଷ ହେଲା ଘରଟିଏ ପାଇ ପାରୁନାହାନ୍ତି। ନରୋତ୍ତମ ଦାସଙ୍କ କହିବା ମୁତାବକ, ବସ୍ତିରେ ଉଚ୍ଛବ ଦାସ ବୋଲି କେହି ରହୁନଥିଲେ। ଆମେ ତାଙ୍କ ନାଁ ମଧ୍ୟ କେବେ ବସ୍ତିରେ ଶୁଣିନାହୁଁ। ଅଥଚ ତାଙ୍କୁ ଘର ଦିଆଯାଇଛି। ସେହିପରି ଅନ୍ୟ କିଛି ବ୍ୟକ୍ତି ମଧ୍ୟ ବସ୍ତି ବାସିନ୍ଦା ନହୋଇ ତାଙ୍କୁ ଘର ଯୋଗାଇ ଦିଆଯାଇଛି। ମାତ୍ର ୨୦୦୭ରୁ ବସ୍ତିରେ ରହି ଆସୁଥିବା ପରିବାରକୁ ଅଣଦେଖା କରାଯାଇଛି।
ବିଏମ୍ସିର ଅଧିକାରୀମାନେ କହୁଛନ୍ତି, ବିଲ୍ଡିଂରେ ପାଣି ସଂଯୋଗ କରାଯାଇନାହିଁ ବୋଲି ଘର ହସ୍ତାନ୍ତର କରାଯାଉନାହିଁ। କିନ୍ତୁ ଆମେ ସେଠାକୁ ଯାଇ ପାଣି ସଂଯୋଗ ହୋଇସାରିଥିବା ଦେଖିଛୁ। ତେଣୁ ଅଧିକାରୀମାନେ ଆମକୁ ମିଛ କହିବା, ଆମେ ଗଲେ ମଧ୍ୟ ଆମକୁ ଦେଖା ନକରିବାକୁ ବାହାନା ଖୋଜିବା ବହୁତ କଷ୍ଟ ଦେଉଛି ବୋଲି ସେ କହିଛନ୍ତି। ୨୦୧୭ ମସିହାରୁ ବସ୍ତି ଉଚ୍ଛେଦ ହେବା ପରେ ସେଇ ଭଙ୍ଗା ଘରେ ଜରିପାଲ ଟାଙ୍ଗି ଏବେ ଅନେକ ପରିବାର କୁନିକୁନି ଛୁଆମାନଙ୍କୁ ନେଇ ପଡ଼ି ରହିଛନ୍ତି। ରାତି ପାହିଲେ, ଓଜନ ମେସିନ୍ଟିଏ ନେଇ ପ୍ଲାଟ୍ଫର୍ମକୁ ଯାଇ ରୋଜଗାର କଲେ ସେଇଥିରେ ତାଙ୍କ ପରିବାର ଚଳୁଛି। ପ୍ରଶାସନର ବାବୁମାନେ ଏସବୁ ଜାଣି ମଧ୍ୟ ସେମାନଙ୍କୁ ଆଡ଼ ଆଖିରେ ଚାହିଁନାହାନ୍ତି। ବରଂ ୨ ବର୍ଷ ହେଲା ଭୁଆଁ ବୁଲେଇ ଚାଲିଛନ୍ତି। ଏଇ ଅଭିଯୋଗ ନେଇ ସେମାନେ ବିଧାୟକ, ଜିଲ୍ଲାପାଳ, ବିଏମ୍ସି କମିସନରଙ୍କଠୁ ନେଇ ବିଏମ୍ସି ଓ ବିଡିଏର ବଡ଼ବାବୁମାନଙ୍କୁ ଯାଇ ନେହୁରା ହୋଇଛନ୍ତି।