ୟୁନିଟ୍‌-୮ କଲ୍ୟାଣ ମଣ୍ଡପ ଜାଗାରେ ହେବ ବହୁତଳ ସରକାରୀ କ୍ବାର୍ଟର୍ସ

ଭୁବନେଶ୍ବର : ୟୁନିଟ-୮ କଲ୍ୟାଣ ମଣ୍ଡପ ଭଙ୍ଗା ହେବାର ତିନି ବର୍ଷ ପରେ ଏହାକୁ ନେଇ ରାଜ୍ୟ ସରକାର ନୂଆ ଯୋଜନା କରିଛନ୍ତି। ଏଠାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବହୁତଳ ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍‌ସି ମୁଖ୍ୟାଳୟ ପାଇଁ ବିଏମ୍‌ସିକୁ ସତ୍ୟନଗରରେ ଜାଗା ଆବଣ୍ଟନ ହୋଇଥିବାରୁ ବିଏମ୍‌ସିକୁ ଏହି ଜାଗା ସାଧାରଣ ପ୍ରଶାସନ ବିଭାଗକୁ ଫେରାଇବାକୁ କୁହାଯାଇଛି।

ନିକଟରେ ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ ୟୁନିଟ-୮ କଲ୍ୟାଣ ମଣ୍ଡପ ଜମିକୁ ବିଏମ୍‌ସି ଫେରାଇଲେ ସେଠାରେ ଟାଇପ୍-୬ ସରକାରୀ କ୍ବାର୍ଟର୍ସ ନିର୍ମାଣ ହେବ। ଏହା ବହୁତଳ ବିଶିଷ୍ଟ ହେବ। ଆପାର୍ଟମେଣ୍ଟ ଡିଜାଇନ୍‌ରେ ଏହାକୁ ନିର୍ମାଣ କରାଯିବ। ଏଠାରେ ଅତ୍ୟାଧୁନିକ ଲିଫ୍ଟ, ଲନ୍, ଗାର୍ଡେନ୍ ଆଦି ରହିବ। ପୂର୍ତ୍ତ ବିଭାଗ ତୁରନ୍ତ ଏନେଇ ଡିପିଆର୍ ପ୍ରସ୍ତୁତ କରିବାକୁ କୁହାଯାଇଛି।

ସେହିପରି ୟୁନିଟ-୮ରେ ଥିବା ବ୍ୟାଚଲର୍ ବାରାକ୍‌‌ ଜମିକୁ ନେଇ ହାଇକୋର୍ଟରେ ଥିବା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବାକୁ ଥିବାରୁ ଏନେଇ ବି ଯୋଜନା ହୋଇଛି। ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଏହି ଜମିରୁ ଅଧା ଜମି ବିଡିଏକୁ ହସ୍ତାନ୍ତର କରାଯିବ। ଏଠାରେ ବିଡିଏ ଶସ୍ତାରେ ଗୃହ ଯୋଗାଇବା ପ୍ରକଳ୍ପ କରିବ। ବାକି ଜମିରେ ସାଧାରଣ ପ୍ରଶାସନ ବିଭାଗ ସରକାରୀ କ୍ବାର୍ଟର୍ସ କରିବ। ଏଠାରେ ଟାଇପ୍-୩ ଏବଂ ଟାଇପ୍-୪ କ୍ବାର୍ଟର୍ସ କରିବାକୁ ଯୋଜନା ଅଛି।

ସମ୍ବନ୍ଧିତ ଖବର