ଚନ୍ଦ୍ରଶେଖରପୁର : ମହାମାରୀ କରୋନା ସହ ଲଢ଼େଇ କରିବା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଛି। କେହି ଘରୁ ନ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ହେଲେ ଖୋଦ୍ ସରକାରୀ କର୍ମଚାରୀମାନେ ଏସବୁ ନିୟମକୁ ମାନୁନଥିବା ଦେଖାଯାଇଛି। ଫଳରେ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି ଘଟଣା ଆଜି ଭୁବନେଶ୍ବର ଉତ୍ତର ଜୋନ୍ ରେଳବିଭାଗରେ ଦେଖିବାକୁ ମିଳିଛି। ବାଣୀବିହାର ଠାରୁ ପଟିଆ ମଧ୍ୟରେ ପୃଥକ ପୃଥକ ୪ଟି ସ୍ଥାନରେ ରେଳବାଇ କର୍ମଚାରୀ ଓ ଠିକା ଶ୍ରମିକ ଏକତ୍ରିତ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ବାଣୀବିହାର ଓଭର ବ୍ରିଜ୍ ନିକଟ, ପୋଷ୍ଟାଲ କଲୋନି ପୁରୁଣା ରେଳ ଫାଟକ ନିକଟ, ଭିଏସ୍ଏସ୍ ନଗର ରେଳ ଫାଟକ ନିକଟ ଏବଂ ପଟିଆ କାଳିକ୍ଷମା ବ୍ରିଜ୍ ନିକଟରେ ୫୦ରୁ ଅଧିକ ଶ୍ରମିକ ଏକାଠି ହୋଇ ରେଳଧାରଣା କଡ଼ ଘାସ ସଫା କରିବା ଓ ଧାରଣା ମରାମତି କରିବା କାର୍ଯ୍ୟ କରିଛନ୍ତି। ରେଳବାଇ ଠିକାଦାର ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଫଳରେ ସ୍ଥାନୀୟ ଲୋକ ଓ ଠିକାଦାରଙ୍କ ମଧ୍ୟରେ ବଚସା ହୋଇଥିଲା। ମାତ୍ର ରେଳବିଭାଗ ପକ୍ଷରୁ ସେମାନଙ୍କୁ ଛୁଟି ଦିଆଯିବା କିମ୍ବା ଅଳ୍ପ ସଂଖ୍ୟକ ଶ୍ରମିକ ନେଇ କାର୍ଯ୍ୟ କରିବା ପାଇଁ କୌଣସି ପ୍ରକାର ଚିଠି ହୋଇନାହିଁ ବୋଲି ଠିକାଦାର କହିଥିଲେ। ଠିକାଦାରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରମିକମାନେ ନିଜ ସଂଗଠନ ନେତାଙ୍କ ନିକଟରେ ଦାବି କରିଛନ୍ତି।
ନିୟମ ମାନୁନାହାନ୍ତି ସରକାରୀ କର୍ମଚାରୀ
/sambad/media/post_attachments/wp-content/uploads/2020/03/Rail-Track.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)