ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା ପାଇଁ ୨୧ ମଞ୍ଚରେ ଲୋକ ସଂସ୍କୃତିର ଝଲକ

‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ପୁନେରେ ସମ୍ବର୍ଧିତ ହେବା ପରେ ଆଜି ଭୁବନେଶ୍ୱର ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ବିଜେଡିର ହଜାର ହଜାର କର୍ମୀ ଏକାଠି ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆୟୋଜନକୁ ଦମଦାର୍‌ କରିଦେଇଥିଲେ ରାଜ୍ୟର ଲୋକନୃତ୍ୟ ଦଳଗୁଡ଼ିକ। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ଚାରି ପଟେ ସୁସଜ୍ଜିତ ଭାବେ ସେମାନେ ଠିଆ ହୋଇ ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ବାଦ୍ୟ, ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରୁଥିଲେ। ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ରାସ୍ତାର ବାମ ପଟରେ ତିଆରି ହୋଇଥିଲା ୨୧ଟି ମଞ୍ଚ। ବିଜେଡିର ଦଳୀୟ ରଙ୍ଗ ସବୁଜ ଓ ଧଳା କପଡ଼ାରେ ମଞ୍ଚଗୁଡ଼ିକ ନିର୍ମାଣ କରାଯାଇଥିଲା। ପ୍ରତି ୫୦/୧୦୦ ମିଟର ବ୍ୟବଧାନରେ ଥିବା ମଞ୍ଚରେ ଗୋଟିଏ ଗୋଟିଏ ଲୋକନୃତ୍ୟ ଦଳ ପରିବେଷଣ କରୁଥିଲେ। ଏହା ମଧ୍ୟରେ ଘୋଡ଼ାନାଚ, ସମ୍ବଲପୁରୀ, ଝମର, ଘୁମୁରା, ଛଉ, ଦୁଲଦୁଲି, ସାହିଯାତ ଆଦି ଦେଖିବାକୁ ମିଳିଥିଲା।

ସବୁଜ ଟ୍ରାଭେଲର୍‌ରେ ଗଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ଆଜି ପୂର୍ବ ଥର ତୁଳନାରେ କିଛି ପୃଥକ୍‌ ଆୟୋଜନ କରାଯାଇଥିଲା। ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀଙ୍କୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକ ଟ୍ରାଭେଲର୍‌ରେ ବସି ଯାଇଥିଲେ। ଏହି ଟ୍ରାଭେଲର୍‌କୁ ବିଜେଡି ପତାକା ସବୁଜ ରଙ୍ଗରେ ସଜା ଯାଇଥିଲା। ଟ୍ରାଭେଲର୍‌ର ଆଗ ସିଟ୍‌ରେ ଟାେଓ୍ଵଲ୍‌ ପକାଯାଇଥିଲା। ଏଥିରେ କେବଳ ମୁଖ୍ୟମନ୍ତ୍ରୀ ବସିଥିଲେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ କାର୍‌ ଛାଡ଼ି ଅନ୍ୟ ଏକ ଗାଡ଼ିରେ ବସିବା ଦେଖିବାକୁ ମିଳିଥିଲା। ବିମାନବନ୍ଦର ଛକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ବସିି ଯିବା ପରେ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ମଞ୍ଚକୁ ଯାଇଥିଲେ। ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପାଇଁ ଉପସ୍ଥିତ ହଜାର ହଜାର ସମର୍ଥକଙ୍କୁ ହାତ ହଲାଇ ଧନ୍ୟବାଦ ଦେଇଥିଲେ। ମଞ୍ଚରେ ୧୦ମିନିଟ ରହିବା ପରେ ପୁଣି ଟ୍ରାଭେଲର୍‌ରେ ବସି ନବୀନ ନିବାସକୁ ଯାଇଥିଲେ।

ବିମାନ ଯାତ୍ରୀ ହନ୍ତସନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ଆଜି ବିଜେଡି ପକ୍ଷରୁ ହୋଇଥିବା ଆୟୋଜନ ଶହ ଶହ ବିମାନ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ବିମାନବନ୍ଦରକୁ ସଂଯୋଗ କରୁଥିବା ପ୍ରମୁଖ ଛକ ଓ ରାସ୍ତା ଉପରେ ମଞ୍ଚ କରିବା ଦ୍ୱାରା ଏହି ରାସ୍ତାରେ କୌଣସି ଗାଡ଼ି ଛଡ଼ା ଯାଇନଥିଲା। ଫଳରେ ଟି-୧ ଟର୍ମିନାଲକୁ ଆସୁଥିବା ଯାତ୍ରୀମାନେ ଭାରି ହନ୍ତସନ୍ତ ହୋଇଥିଲେ। କେତେକ ଯାତ୍ରୀ ୟୁନିଟ-୬ ଛକରୁ ଲଗେଜ୍‌ ବୋହି ବୋହି ବିମାନବନ୍ଦରକୁ ଆସିଥିବା ବେଳେ କେତେକ ଟି-୨ ଟର୍ମିନାଲରୁ ବ୍ୟାଗ ବୋହି ବୋହି ଆସିଥିଲେ। ବିମାନବନ୍ଦରରେ ପହଞ୍ଚିବା ବିଳମ୍ବ ହେବାରୁ କେତେକ ଯାତ୍ରୀ ଆଜି ବିମାନ ମିସ୍‌ କରି ଯାଇଥିଲେ। ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ଘଣ୍ଟାଏ ପାଇଁ ବିମାନବନ୍ଦରରୁ କୌଣସି ଗାଡ଼ି ବାହାରି ପାରିନଥିଲା। ପୂରା ରାସ୍ତା ଲୋକାରଣ୍ୟ ହୋଇଯିବାରୁ ଯାତ୍ରୀମାନେ ବିମାନରୁ ଓହ୍ଲାଇ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଯାଉଥିବା ଦେଖିବାକୁ ମିଳିଥିଲା।

ଆଗେ ଆସିଲା ଚିଲିକା, ଏକାମ୍ର ଶୋଭାଯାତ୍ରା

ଅପରାହ୍ନ ୩ଟା ପରେ ମୁଖ୍ୟମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପୂର୍ବାହ୍ନ ପ୍ରାୟ ୧୦ଟା ବେଳୁ ବିଧାୟକମାନଙ୍କ ବାସଭବନ ନିକଟରେ କର୍ମୀମାନେ ପହଞ୍ଚି ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୧୧ଟା ବେଳକୁ ବିମାନବନ୍ଦରକୁ ଯାଇଥିବା ରାସ୍ତାଗୁଡ଼ିକରେ ପୁଲିସ୍‌ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ଲୋକନୃତ୍ୟ ଦଳଗୁଡ଼ିକ ପହଞ୍ଚିବା ଆରମ୍ଭ କଲେ। ଅପରାହ୍ନ ୧ଟାରେ ପ୍ରଥମେ ଦୁଇ ପଟୁ ଦୁଇଟି ଶୋଭାଯାତ୍ରା ଆସିଥିଲା। ବିଜେଡି ରାଜ୍ୟ କାର୍ଯ୍ୟାଳୟ ଛକରୁ ବିମାନବନ୍ଦର ଆଡ଼କୁ ଚିଲିକା ନିର୍ବାଚନମଣ୍ଡଳୀର ଏବଂ ନବୀନ ନିବାସ ପଟୁ ବିମାନବନ୍ଦର ଆଡ଼କୁ ଏକାମ୍ର ନିର୍ବାଚନମଣ୍ଡଳୀର ଶୋଭାଯାତ୍ରା ଆସିଲା। ଏହି ଦୁଇଟି ନିର୍ବାଚନମଣ୍ଡଳୀର ଶୋଭାଯାତ୍ରା ପହଞ୍ଚିବା ପରେ ୩ଟା ପର୍ଯ୍ୟନ୍ତ ଅନ୍ୟ ଶୋଭାଯାତ୍ରାଗୁଡ଼ିକ ଆସିବା ଲାଗି ରହିଲା।

ସ୍ୱାଗତ ପାଇଁ ସୁରକ୍ଷା ବ୍ୟବସ୍ଥା ଢିଲା

ମୁଖ୍ୟମନ୍ତ୍ରୀ ବିମାନରୁ ଓହ୍ଲାଉ ଓହ୍ଲାଉ ସ୍ୱାଗତ କରିବା ପାଇଁ ଅଧିକାଂଶ ମନ୍ତ୍ରୀ, ସାଂସଦ, ବିଧାୟକ ଆଜି ବିମାନବନ୍ଦରରେ ପାର୍କିଂ ଅଞ୍ଚଳକୁ ଚାଲି ଯାଇଥିଲେ। ସମସ୍ତେ ହାତରେ ଧଳା ଲିଲି କିମ୍ବା ଧଳା ଗୋଲାପ ଫୁଲ ତୋଡ଼ା ଧରି ଯାଇଥିଲେ। ଏପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆଜି ଟି-୨ ଟର୍ମିନାଲର ସୁରକ୍ଷା ବ୍ୟବସ୍ଥା ଏକରକମ ମୁକୁଳା କରି ଦିଆଯାଇଥିଲା। ବିମାନରେ ଯାତ୍ରା କରିବା ପାଇଁ ବିନା ଚେକିଂରେ ମନ୍ତ୍ରୀ, ସାଂସଦମାନେ ପ୍ରବେଶ କରିପାରିବାର ବ୍ୟବସ୍ଥା ଥିଲେ ହେଁ ବିଧାୟକ ଓ ମନ୍ତ୍ରୀ, ସାଂସଦଙ୍କ କର୍ମୀମାନେ ବି ବିନା ଚେକିଂରେ ବିମାନବନ୍ଦର ଭିତରକୁ ପଶିଥିଲେ। ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ସିଆଇଏସ୍‌ଏଫ୍‌ର ହୋଇଥିଲେ ହେଁ ସେମାନେ କେବଳ ନିରବଦ୍ରଷ୍ଟା ସାଜୁଥିଲେ।

ଅନୁଭବ ଦଉଡ଼ିଲେ, ପ୍ରଶଂସକ ଗୋଡ଼ାଇଲେ

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମଞ୍ଚ ନିକଟରେ ପହଞ୍ଚିବା ପରେ ବିଜେଡି କର୍ମୀମାନେ ସେମାନେ ଆସିଥିବା ଗାଡ଼ି ପାଖକୁ ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପରେ ସିନେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଗାଡ଼ି ନିକଟକୁ ଯିବା ସମୟରେ ସମର୍ଥକମାନେ ତାଙ୍କ ସହ ସେଲ୍ଫି ଉଠାଇଥିଲେ। ହଠାତ୍‌ ଶହ ଶହ ପ୍ରଶଂସକ ଘେରି ଯିବାରୁ ଅନୁଭବ ଅକଳରେ ପଡ଼ି ରାସ୍ତାରେ ଦଉଡ଼ିବା ଆରମ୍ଭ କରିଥିଲେ। ତେବେ ତାଙ୍କ ପଛେ ପଛେ କେତେକ ପ୍ରଶଂସକ ମଧ୍ୟ ଫଟୋ ଉଠାଇବା ପାଇଁ ଦଉଡ଼ୁଥିବା ଦେଖିବାକୁ ମିଳିଥିଲା।

୪୦ ହଜାର ଲସି, ୫୦ ହଜାର ପାଣି ପାଉଚ୍‌

୩୦ ହଜାରରୁ ଅଧିକ ଲୋକଙ୍କୁ ଏକାଠି କରାଯାଇଥିଲା ନବୀନଙ୍କୁ ସ୍ୱାଗତ କରିବା ପାଇଁ। ଆୟୋଜକମାନେ ସର୍ବନିମ୍ନ ଆବଶ୍ୟକତାକୁ ଧ୍ୟାନ ଦେଇଥିଲେ। ଯେହେତୁ ଦିପହରରେ ଲୋକମାନେ ରୁଣ୍ଡ ହେବେ, ତେଣୁ ପିଇବା ପାଣିର ପ୍ରଚୁର ଆବଶ୍ୟକତା ରହିଥିଲା। ତାହାକୁ ଦୃଷ୍ଟିରେ ରଖି ପିଇବା ପାଣି ଓ ଲସିର ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ବିମାନବନ୍ଦରରୁ ନବୀନ ନିବାସ ରାସ୍ତାର ଡାହାଣ ପାର୍ଶ୍ୱରେ ୯ଟି ସୁଦୃଶ୍ୟ ଷ୍ଟଲ୍‌ କରାଯାଇଥିଲା। ସେଠାରେ ୟୁନିଫର୍ମ ପିନ୍ଧି ଯୁବକମାନେ ବସି ପାଣି ଓ ଲସି ଦେଉଥିଲେ। ୪୦ ହଜାର ଓମ୍‌ଫେଡ୍‌ ଲସି ପାଉଚ୍‌ ଓ ୫୦ ହଜାର ପାଣି ପାଉଚ୍‌ ବିଭିନ୍ନ ଷ୍ଟଲ୍‌ରେ ରଖାଯାଇଥିଲା। ୨ଟା ପରେ ସବୁ ଷ୍ଟଲ୍‌ରେ ଲସି ଓ ପାଣି ନେବାକୁ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଶେଷ ଆଡ଼କୁ ନିଅଣ୍ଟ ପଡ଼ିଲା।

ସମ୍ବନ୍ଧିତ ଖବର