ଗ୍ରାଉଣ୍ଡ୍‌ ଜିରୋ: ବିଶୁଦ୍ଧ ପାଣି ଏଠି ସାତ ସପନ

ନଜର ଆଢ଼ୁଆଳରେ ତେଲୁଗୁ ବସ୍ତି

ଭୁବନେଶ୍ୱର(ସସ୍ମିତା ମଲ୍ଲ): ବିଶୁଦ୍ଧ ପିଇବା ପାଣି ସାତ ସପନ। ଅଳିଆ ଆବର୍ଜନାରେ ପରିବେଶ ପୂତିଗନ୍ଧମୟ। ଘର ଚାରିପଟେ ଜମି ରହୁଛି ନର୍ଦ୍ଦମା ପାଣି। ଏହା କୌଣସି ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ; ରାଜଧାନୀର ଆଧୁନିକ ଚେହେରା ଭିତରେ ଏମିତି ଏକ ଅଞ୍ଚଳ ନଜର ଆଢ଼ୁଆଳରେ ରହିଛି। ସହର ଭିତରେ ଥିଲେ ବି ସହରୀ ସଭ୍ୟତାର ସାମାନ୍ୟ ଛାପ ଏଠାରେ ପଡ଼ି ନାହିଁ। ଏହା ହେଉଛି ବିଏମ୍‌ସିର ଓ୍ଵାର୍ଡ ନମ୍ବର-୩୦ର ବାଣୀବିହାର ଷ୍ଟେସନ୍‌ ନିକଟସ୍ଥ ତେଲୁଗୁ ବସ୍ତି। ରାଜଧାନୀର ମଧ୍ୟ ଭାଗରେ ଥାଇ ବି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ବସ୍ତିବାସିନ୍ଦା। ବିଏମ୍‌ସିର ଏହା ଏକ ସ୍ୱୀକୃତିପ୍ରାପ୍ତ ବସ୍ତି ହୋଇଥିଲେ ବି ମୌଳିକ ସୁବିଧା ଏଠାରେ ଦିଆଯାଉ ନାହିଁ। ଏଠାରେ ପାଖାପାଖି ୫୦୦ ପରିବାର ରୁହନ୍ତି ଓ ଲୋକ ସଂଖ୍ୟା ୩୦୦୦ରୁ ଅଧିକ। ବସ୍ତିବାସିନ୍ଦା ବିଶୁଦ୍ଧ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ପୁତିଗନ୍ଧମୟ ପରିବେଶରେ ଜୀବନ କାଟୁଛନ୍ତି। ସ୍ୱଚ୍ଛତା ଏଠାରେ ମୂଲ୍ୟହୀନ ହୋଇପଡ଼ିଛି। ସ୍ୱଚ୍ଛ ଭାରତ ଅଭିଯାନ ନେଇ ବ୍ୟାପକ ପ୍ରଚାର, ପ୍ରସାର ଚାଲିଥିଲେ ବି ତାହାର ପ୍ରଭାବ ଏଠାରେ ପଡ଼ି ନାହିଁ। ବସ୍ତି ନିକଟସ୍ଥ ରାସ୍ତାରେ କୁଢ କୁଢ ଅଳିଆ ଗଦା। ଅଳିଆ ଏମିତି ପକାଯାଇଛି ଯେ ଯିବା ଆସିବା ସମୟରେ ତାହା ଉପରେ ଚଢ଼ି ଯିବାକୁ ପଡ଼େ। ପୁଣି ପିଇବା ପାଣି ମିଳୁଥିବା ସ୍ଥାନ ଗୁଡ଼ିକରେ ଅନେକ ଦିନରୁ ପାଣି ଜମି ରହିଛି। ସେହି ପାଣି ପଚି ସେଥିରୁ ଦୁର୍ଗନ୍ଧ ବାହାରୁଛି। ପିଇବା ପାଣିର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ସେହି ପାଣି ପିଉଛନ୍ତି। ଅପରିଷ୍କାର ସ୍ଥାନରେ ରହିବା ଓ ଦୂଷିତ ପାଣି ପିଇବା ଦ୍ୱାରା ଅନେକ ପ୍ରକାରର ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ପାଣି ସମସ୍ୟାଠାରୁ ଆହୁରି ବଳିଯାଇଛି ଡ୍ରେନେଜ ବ୍ୟବସ୍ଥା। କୌଣସି ସ୍ଥାୟୀ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବସ୍ତି ଲୋକଙ୍କ ଘର ଆଗରେ ନର୍ଦ୍ଦମା ପାଣି ଜମା ହୋଇ ରହୁଛି। ବସ୍ତିର ବହୁ ଘରକୁ ପାଣି ପାଇପ୍‌ ସଂଯୋଗ ହୋଇଛି। କିନ୍ତୁ ପାଣି ନିଷ୍କାସନର ବ୍ୟବସ୍ଥା ନାହିଁ। ଫଳରେ ବ୍ୟବହୃତ ପାଣି ବସ୍ତି ବାହାରକୁ ଯାଇପାରୁନି। କେଉଁଠି ଏହି ପାଣି ଘରେ ପଶିଲାଣି ତ ଆଉ କେଉଁଠି ପିଇବା ପାଣି ଉତ୍ସର ମୂଳରେ ଜମା ହୋଇରହିଲାଣି। ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ବସ୍ତି ଚାରିପଟେ ଅଳିଆ ଆର୍ବଜନା ପଡ଼ି ରହୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ ପରି ସଂକ୍ରାମକ ରୋଗରେ ଲୋକମାନେ ଆକ୍ରନ୍ତ ହେଉଛନ୍ତି। କାହାକୁ ଜ୍ୱର ହେଲାଣି ତ କାହାକୁ ହଇଜା। ରୋଗ ଯେପରି ଏମାନଙ୍କ ପିଛା ଛାଡ଼ୁନି। ତେଲୁଗୁ ବସ୍ତିର ସମସ୍ୟା ସମାଧାନ ପାଇଁ ଅନେକ ଥର ପ୍ରତିଶ୍ରୁତି ମିଳିଛି। ନିର୍ବାଚନ ବେଳେ ପ୍ରାର୍ଥୀମାନେ ଆସନ୍ତି। ଭୋଟ୍‌ ଦେଲେ ସମସ୍ୟା ସମାଧାନ କରିବାର ଆକାଶଛୁଆଁ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ପରେ ଏହି ପ୍ରତିଶ୍ରୁତିର କିଛି ମୂଲ୍ୟ ରହେନି। ବସ୍ତିବାସିନ୍ଦା ପୁଣି ନିଜ ଭାଗ୍ୟକୁ ଆଦରି ସମସ୍ୟା ସହିତ ଯୁଝି ହୁଅନ୍ତି।

ଅନେକ ସମୟରେ ନର୍ଦ୍ଦମା ପାଣି ଘରେ ପଶି ଯାଉଛି। ଦିନ ବେଳା ମଧ୍ୟ ମଶା, ଡାଆଁସ ବୁଲୁଛନ୍ତି। ଆମ ଘର ଆଗରେ ନର୍ଦ୍ଦମା ଯାଇଥିବାରୁ ସବୁବେଳେ ମଶା ଓ ମାଛି ଘରେ ପଶି ରହୁଛନ୍ତି। ଏହି ପଚା ଗନ୍ଧରେ ନାକ ଫାଟି ପଡ଼ୁଛି।
ସୁବାଷ ଚନ୍ଦ୍ର ସାହୁ

୫୦ ବର୍ଷ ହେଲା ମୁଁ ଏଠି ରହିଲିଣି। ଯେଉଁ ସରକାର ଆସିଲେ ବି ଏହାର ସ୍ଥାୟୀ ସମାଧାନ କେହି କରିପାରୁ ନାହାନ୍ତି। ଛୋଟ ପିଲାମାନେ ରୋଗରେ ପଡ଼ୁଛନ୍ତି। ଦିନକୁ ଦିନ ସ୍ଥିତି ଖରାପ ହେଉଛି। ଟଙ୍କା ପଇସା ନଥିବା ସମୟରେ ରୋଗରେ ଟଙ୍କା ଖର୍ଚ୍ଚ କରିବା ବହୁତ ବାଧୁଛି।
ଜି.କାଞ୍ଚନ

ପଇସା ନାହିଁ ବୋଲି ଏହି ବସ୍ତିରେ ରହୁଛୁ। କିନ୍ତୁ ଏମିତି ଅପରିଷ୍କାର ବସ୍ତିରେ ରହିବା ପାଇଁ ଜମାରୁ ଇଚ୍ଛା ନାହିଁ। ଠିକ୍‌ ସମୟରେ ପାଣି ଆସୁନି। ଗାଧେଇବା ପାଇଁ ସରକାର ଘରେ ଘରେ ପାଇପ ବ୍ୟବସ୍ଥା କରି ଦେଇଛନ୍ତି। ଆମେ ଏଠାରେ ନିତ୍ୟକର୍ମ ସାରିଲେ ପାଣି କୁଆଡ଼େ ଯିବ, ସେକଥା ଚିନ୍ତା କରୁନାହାନ୍ତି। ବସ୍ତି ଚାରିପଟ ନର୍ଦ୍ଦମା ପାଣି ଘେରି ରହିଛି। ବର୍ଷା ଦିନ କଥା ଛାଡନ୍ତୁ ଖରା ଦିନରେ ବି ପାଣି ଘର ଭିତରେ ପଶି ଯାଉଛି।
ଜି. ସୁଭଦ୍ରା

ଘର ଆଗରେ ଡ୍ରେନ୍‌ ଥିବାରୁ ଗନ୍ଧରେ ଘରୁ ବାହାରି ହେଉନି। ଅନେକ ସମୟରେ ଆମକୁ କବାଟ ଦେଇ ଘରେ ରହିବାକୁ ପଡ଼ୁଛି।
କେ.ପୂର୍ଣ୍ଣିଆ ରାଓ

ସମ୍ବନ୍ଧିତ ଖବର