ପ୍ରତିଶ୍ରୁତି ରଖିଲାନି ଜାଭିୟର୍‌ ବିଶ୍ୱବିଦ୍ୟାଳୟ : ଫାଟକରେ ତାଲା ପକାଇଲେ ଅଭିଭାବକ

ଜଟଣୀ : ଜଟଣୀ ନିକଟ ନିଜିଗଡ଼ କୁରୁକି ସ୍ଥିତ ଜାଭିୟର୍‌ ବିଶ୍ୱ ବିଦ୍ୟାଳୟ କର୍ତ୍ତୃୃପକ୍ଷଙ୍କ ମନମାନି ଚରମ ସୀମାରେ। ପୂର୍ବ ଘୋଷଣା ଓ ପ୍ରତିଶ୍ରୁତି ପାଳନରେ ଅକ୍ଷମତା ପ୍ରକାଶ କରି ଠକିବାକୁ ପଛାଇ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ ଗୋଷ୍ଠୀ। ୨୦ଲକ୍ଷରୁ ଅଧିକ ଟଙ୍କା ପୈଠ କରି ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବାକୁ ଏଠାରେ ନାମ ଲେଖାଇ ଶେଷରେ ଠକାମିର ଶିକାର ହେବାକୁ ପଡ଼ିଛି ବୋଲି ସେମାନେ ସଙ୍ଗିନ ଅଭିଯୋଗ ଆଣିିଛନ୍ତି।

ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଏକ୍ସଆଇଏମ୍‌ବି ଏବଂ ଏକ୍ସୟୁବି ନାମରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ। ଏ ସମ୍ପର୍କରେ ସେମାନେ ପ୍ରତିବାଦ କରିବାରୁ ଆକ୍ରୋଶମୂଳକ ଭାବେ ସେମାନଙ୍କ ମାର୍କ କାଟିଦେବା ସହ ୬୫ଜଣ ଛାତ୍ରଛାତ୍ରୀଙ୍କ କଣ୍ଡକ୍ଟ ସାର୍ଟିଫିକେଟ୍‌ରେ ଅନ୍‌ସାଟିସଫାକ୍ଟ୍ରି ଲେଖି ଦେଇଛନ୍ତି। ଏପରିକି ପରୀକ୍ଷା ସରିବା କ୍ଷଣି ରାତି ୧୨ଟାରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ବାଧ୍ୟ କରି ବିଦା କରି ଦେଇଥିଲେ। ଏ ସମ୍ପର୍କରେ ବାରମ୍ବାର ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍‌ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏପରିକି ଆଲୋଚନା ପାଇଁ ଅନେକ ସମୟରେ ଡକାଇ କର୍ତ୍ତୃପକ୍ଷ ଦେଖା ନକରି ପଳାଇଯିିବା ଭଳି ମଧ୍ୟ ଅଭିଯୋଗ ହୋଇଛି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଆଜି ବହୁ ଅଭିଭାବକ ନାରୀ ନେତ୍ରୀ ନମିତା ପାଳଙ୍କ ନେତୃତ୍ୱରେ ସାଢ଼େ ୧୧ଟାରୁ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ଧାରଣାରତ ଉଭୟ ମହିଳା ଓ ପୁରୁଷ ଅଭିଭାବକଙ୍କୁ ଧମକ ଚମକ ଦେବା ସହ ଗାଳିଗୁଲଜ କରିଥିଲେ। ଅପରପକ୍ଷେ, ବିଶ୍ୱବିଦ୍ୟାଳୟ ପକ୍ଷରୁ କେହି ଆଲୋଚନାକୁ ଆସି ନଥିଲେ। ଖବର ଲେଖାହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିବା ବେଳେ ପାଚେରି ଡେଇଁ ଖସି ପଳାଉଥିବା ବିଶ୍ୱବିଦ୍ୟାଳୟର କେତେକ ପଦାଧିକାରୀ ଆନ୍ଦୋଳନକାରୀଙ୍କ ହାବୁଡ଼ରେ ପଡ଼ି ହଟାହଟା ହୋଇଥିଲେ। କର୍ତ୍ତୃପକ୍ଷଙ୍କର ଏଭଳି ଜିଦ୍‌ଖୋର ମନୋଭାବ ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ତେଣୁ ତାହା ଉଗ୍ର ରୂପ ନେବା ଆଗରୁ ରାଜ୍ୟ ସରକାର ହସ୍ତକ୍ଷେପ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଅପରପକ୍ଷେ, ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ହତା ଭିତରକୁ କେହି ଛାଡ଼ିନଥିଲେ କି କେହିି ଫୋନ୍‌ ଉଠାଇନଥିଲେ ।

ସମ୍ବନ୍ଧିତ ଖବର