ଧରାପଡ଼ିଲେ ୪ ବନ୍ଧୁକ ବେପାରୀ

୫ ବନ୍ଧୁକ ଓ ୧୪ ରାଉଣ୍ତ ଗୁଳି ଜବତ କାର‌୍‌, ବାଇକ୍‌ ଓ ଅଟୋ ଜବତ

ଖଣ୍ତଗିରି: କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛନ୍ତି ୪ ବନ୍ଧୁକ ବେପାରୀ। ସେମାନଙ୍କଠାରୁ ୫ଟି ବନ୍ଧୁକ(୩ଟି ମାଉଜର ଓ ୨ଟି ରିଭଲଭର‌୍‌) ଓ ୧୪ ରାଉଣ୍ତ ଗୁଳି ଜବତ କରାଯାଇଛି। ଖଣ୍ତଗିରି, ନୟାପଲ୍ଲୀ ଓ କ୍ୟାପିଟାଲ ଥାନା ପୁଲିସ ସହ ସ୍ପେସାଲ ସ୍କ୍ବାଡ୍‌ ମିଶି ଗୋଟିଏ ଥରରେ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ତଗିରି ଥାନା ପୁଲିସ ଗିରଫ କରିଥିବା ବେପାରୀ ଦ୍ବୟ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା କୁଆପଦା ଗାଁର ସ˚ଜୟ କୁମାର ଜେନା ଓରଫ୍‌ କାଳୁ(୨୫), କଣାସ ଥାନା ଅଁଳାଯୋଡ଼ି ଗାଁର ରାମଚନ୍ଦ୍ର ବାରିକ(୩୦)। ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ହେଲା ସାଲିଆସାହି ତାରିଣୀ ନଗରରେ ରହୁଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଡମସାହିର ଗଉରା ସିଠ(୩୦) ଓ କ୍ୟାପିଟାଲ ଥାନା ପୁଲିସ ହାତରେ ଧରାପଡ଼ିଥିବା ବେପାରୀ ହେଲା ଖୋର୍ଧା ଟାଙ୍ଗୀ ଥାନା ପଳାସପୁର ପାଟଣାର ଜ୍ଞାନରଞ୍ଜନ ସି˚ହ(୩୫) ଓରଫ୍‌ ଜିଲୁ। ମଙ୍ଗଳବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଳ୍‌ ହାଜତକୁ ପଠାଇ ଦିଆଯାଇଛି। ଏକାଥରକେ ଏତେ ବେପାରୀ ଓ ଏତେ ପରିମାଣର ଆଗ୍ନେୟାସ୍ତ୍ର ଜବତ କମିସନରେଟ୍‌ ପୁଲିସ ପାଇଁ ବଡ଼ ସଫଳତା ହୋଇଥିଲେ ବି ରାଜଧାନୀ ଆଉ ସୁରକ୍ଷିତ ନିରାପଦ ସ୍ଥାନ ନୁହେଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ତେବେ ସାମ୍ବାଦିକ ସମ୍ମିଳନୀରେ ସିପି ସତ୍ୟଜିତ୍‌ ମହାନ୍ତି ଦେଇଥିବା ସୂଚନାନୁସାରେ ଏଭଳି ଚଢ଼ଉ ଜାରି ରହିବ ଓ ବନ୍ଧୁକ ବେପାରୀମାନଙ୍କୁ ଗିରଫ କରାଯିବ। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ବନ୍ଧୁକ କିଣିଥିବା ଅପରାଧୀମାନଙ୍କ ବାବଦରେ ସମସ୍ତ ତଥ୍ୟ ଗୋପନ ରଖାଯାଇଛି।

ବନ୍ଧୁକ ବେପାର ସହ ଦେହ ବ୍ୟବସାୟ
ଖଣ୍ତଗିରି ଥାନା ପୁଲିସ ହାତରେ ଗିରଫ ହୋଇଥିବା ରାମ ବାରିକ ଜଣେ ଦେହଜୀବୀ ବେପାରୀ ବୋଲି ଜଣାପଡ଼ିଛି। ରାଜଧାନୀକୁ ବଙ୍ଗୀୟ ଯୁବତୀ ଚାଲାଣରେ ମଧୢ ତା’ର ହାତ ଥିବା ପୁଲିସ ଜାଣିବାକୁ ପାଇଛି। ଡେଲାଙ୍ଗ କୁଆପଦା ଗାଁରେ ଘଟିଥିବା ଏକ ରାଜନୈତିକ ହତ୍ୟାକାଣ୍ତରେ ଜେଲ୍‌ ଯାଇ ଜାମିନ୍‌ରେ ଆସିଥିବା ସ˚ଜୟ ସହଯୋଗରେ ସେ ବନ୍ଧୁକ କାରବାର ଚଳାଇଥିଲା ବୋଲି ପୁଲିସ ସୂଚନା ପାଇଛି। ତେବେ ଏହି ସମସ୍ତ ଅଭିଯୁକ୍ତ ଅନ୍ୟ କେଉଁ କେଉଁ ଅପରାଧିକ ମାମଲାରେ ଜଡ଼ିତ, ତାହା ଉପରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସିପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ରାଜଧାନୀରେ ବିକ୍ରି ହୋଇଛି ମାଳମାଳ ମାଉଜର
ଖଣ୍ତଗିରି ଥାନା ପୁଲିସ ହାତରେ ଧରାପଡ଼ିଥିବା ସଞ୍ଜୟ ଓ ରାମ ମାଉଜର ବେପାରୀଭାବେ ଜଣାଶୁଣା। ସୋମବାର ଏହି ଦୁଇ ଜଣ ଜୟଦେବ ବାଟିକା ନିକଟରେ ଦୁଇ ଜଣ ଗରାଖଙ୍କୁ ମାଉଜର ବିକିବା ପାଇଁ ଏକ କାର‌୍‌(ଓଆର‌୍‌୦୨ଏକ୍‌ସ-୭୨୭୬) ଯୋଗେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଛକି ବସିଥିବା ଖଣ୍ତଗିରି ଥାନା ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲେ। ସଞ୍ଜୟ ହଠାତ୍‌ ମାଉଜର‌୍‌ ବାହାର କରି ଖଣ୍ତଗିରି ଥାନା ଆଇଆଇସି ହିମା˚ଶୁ ଭୂଷଣ ସ୍ବାଇଁଙ୍କୁ ଦେଖାଇ ଖସି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ସଫଳ ହୋଇ ନଥିଲା। ସେମାନେ ମାଉଜର ପିଛା ୪୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍‌ ହୋଇଥିଲା ବୋଲି କହିଥିଲେ। ବଡ଼ କଥା ହେଉଛି ଏମାନେ ରାଜଧାନୀରେ ପାଖାପାଖି ୨୦ରୁ ଅଧିକ ମାଉଜର୍‌ କାରବାର କରିଥିବା ପୁଲିସକୁ ସୂଚନା ମିଳିଛି। ନୂଆପଲ୍ଲୀ ଥାନା ପୁଲିସ ହାତରେ ଧରାପଡ଼ିଥିବା ଗଉରା ଜଣେ ଅଟୋ ଚାଳକ ହୋଇଥିଲେ ବି ପ୍ରକୃତରେ ତା’ର ମୁଖ୍ୟ କାରବାର ଥିଲା ଦେଶୀ ବନ୍ଧୁକ ବେପାର। ପୁଲିସ ତା’ଠାରୁ ୨ଟି ୬ ରାଉଣ୍ତ ବିଶିଷ୍ଟ ରିଭଲଭର‌୍‌ ଓ ୬ ରାଉଣ୍ତ ଗୁଳି ଜବତ କରିଥିଲା। ସେହିଭଳି କ୍ୟାପିଟାଲ ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍‌ ମିଳିତଭାବେ ଜିଲୁକୁ ଗିରଫ କରିଥିଲେ। କ୍ୟାପିଟାଲ ହାଟ ନିକଟରେ ସେ ନମ୍ବର ବିହୀନ ଆପାଚି ବାଇକ୍‌ ଧରି ଗୋଟିଏ ୭.୬୫ ଏମ୍‌ଏମ୍‌ ମାଉଜର ବିକିବାକୁ ବସିଥିବାବେଳେ ପୁଲିସ ହାତରେ ଧରାପଡ଼ିଯାଇଥିଲା।

ସମ୍ବନ୍ଧିତ ଖବର