ସରକାରୀ କ୍ବାର୍ଟର୍ସରେ ବନ୍ଧୁକ କାରଖାନା ମାମଲା: ୩ ଦିନିଆ ରିମାଣ୍ଡ ଆବେଦନ କଲା ପୁଲିସ

ଖଣ୍ଡଗିରି: ସ୍ଥାନୀୟ ଓୟୁଏଟି କଲୋନିସ୍ଥିତ ଏକ କ୍ବାର୍ଟର୍ସରୁ ଠାବ କରାଯାଇଥିବା ବନ୍ଧୁକ କାରଖାନା ମାମଲାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ନିର୍ବାଚନ କାମରେ ବ୍ୟସ୍ତ ଥିବାରୁ ପୁଲିସ ଏହି ମାମଲାର ଅଧିକ ତଦନ୍ତକୁ ପଛରେ ପକାଇଥିଲା। ନିର୍ବାଚନ ସରିବା ପରେ ପୁଣି ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଅଭିଯୁକ୍ତ ନୃସିଂହ ନାଏକକୁ ପୁଲିସ ରିମାଣ୍ଡରେ ଆଣିବା ପାଇଁ ଉଦ୍ୟମ କରିଛି। ଆଜି ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତର ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି। ଆସନ୍ତାକାଲି ଏହାର ଶୁଣାଣି ହେବ ବୋଲି ପୁଲିସ ସୂଚନା ଦେଇଛି। ୧୪ ତାରିଖ ରାତିରେ ନୃସିଂହର ସରକାରୀ କ୍ବାର୍ଟର୍ସର ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା। ବୋମା ଭିଡ଼ୁଥିବାବେଳେ ଏହି ଅଘଟଣ ଘଟିଥିଲା। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିଲା। କିନ୍ତୁ ଏହି ବିସ୍ଫୋରଣ ନୃସିଂହର କଳା କାରନାମାର ରହସ୍ୟ ଉନ୍ମୋଚନ କରିଥିଲା। ଜଣେ ସରକାରୀ କର୍ମଚାରୀ ହୋଇ ଖୋଦ୍ ରାଜଧାନୀର ସରକାରୀ କ୍ବାର୍ଟର୍ସରେ ଦୀର୍ଘ ଦିନ ଧରି ସେ ଏପରି ମାରଣାସ୍ତ୍ର ନିର୍ମାଣ କରୁଥିବାର ପ୍ରମାଣ ମିଳିଥିଲା। ବୋମା ବିସ୍ଫୋରଣ ପରେ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ନୃସିଂହରେ ଘରେ ଯାଞ୍ଚ କରିବା ପରେ ଉଭୟ ବୋମା ଓ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିଲା। ପୁଲିସ ‌ତା ନିକଟରୁ ୩ଟି ଅର୍ଧନିର୍ମିତ ରିଭଲ୍‌ଭର୍ ଜବତ କରିଥିଲା। ସେହିଭଳି ବିଭିନ୍ନ ସାଇଜ୍‌ର ୩ ଶହରୁ ଅଧିକ ଗୁଳି, ବାରୁଦ, ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଥିଲା। ଧରାପଡ଼ିବା ପରେ ନୃସିଂହ ପୁଲିସକୁ ସବୁ ସତ କହି ନଥିଲା। କାରଣ ସ୍ଥାନୀୟ ସରକନ୍ତରା ଗାଁର ମୂଳବାସିନ୍ଦା ନୃସିଂହ ପୃଷ୍ଠଭୂମି ଆପରାଧିକ ମାମଲାରେ ସମ୍ପୃକ୍ତ। ୧୦ ବର୍ଷ ପୂର୍ବେ ତା’ର ସାନ ଭାଇ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲା। ଗାଁରେ ଗଣ୍ଡଗୋଳ କରି ନୃସିଂହ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇ ଗାଁ ଛାଡ଼ିଥିଲା। ସେହିଦିନଠାରୁ ସେ ଏଭଳି କାରବାରରେ ଲିପ୍ତ। ନିଜେ ବୋମା ଓ ବନ୍ଧୁକ ତିଆରି କରି ସେ ରାଜଧାନୀ ସମତେ ଖୋର୍ଧା, କଟକ, ଜଗତସିଂହପୁର ଓ ପୁରୀରେ ବିକ୍ରି କରିଥିବା ପୁଲିସକୁ ସୁରାକ୍ ମିଳିଛି। ଜବତ ହୋଇଥିବା ୩ ରିଭଲ୍‌ଭର୍‌ ମଧ୍ୟ କାହା ବରାଦରେ ଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ମୋଟାମୋଟି ସେ ରାଜଧାନୀର ବହୁ ଲୁଟେରା ଓ ଅସାମାଜିକ ତତ୍ତ୍ବଙ୍କୁ ଏସବୁ ଯୋଗାଇ ଚାଲିଛି। ତେଣୁ ରିମାଣ୍ଡରେ ଆଣି ପୁଲିସ ସେହିମାନଙ୍କୁ ଠାବ କରିବ ବୋଲି ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର