ଗୁଣନିଧି ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧୋତ୍ସବ

ସେ ଥିଲେ ଆଗଧାଡ଼ିର ମଣିଷ

ପୁରୁଣା ଭୁବନେଶ୍ୱର: ଗୁଣ ବାବୁ ଥିଲେ ଆଗ ଧାଡ଼ିର ମଣିଷ। ପରିଣତ ବୟସରେ ସେ ନଗରପାଳ ଥିବା ବେଳେ ଗଳିକନ୍ଦିର ସମସ୍ୟା ବୁଝିବା ସହିତ ସେସବୁର ସମାଧାନ କରୁଥିଲେ ବୋଲି ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅୟୋଜିତ ପୂର୍ବତନ ନଗରପାଳ ତଥା ସମାଜସେବୀ ସ୍ୱର୍ଗତ ଗୁଣନିଧି ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଥିଲେ। ପ୍ରତିଷ୍ଠାନ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସତ୍‌ସଙ୍ଗରେ ଯେପରି ମହାପୁରୁଷଙ୍କ ଗୁଣ କୀର୍ତନ କରାଯାଏ, ସେହିପରି ଶ୍ରାଦ୍ଧୋଉତ୍ସବରେ ମଧ୍ୟ ତାଙ୍କର ଗୁଣଗାନ କରାଯାଏ। ଏହି ଶ୍ରାଦ୍ଧୋତ୍ସବ ଏକ ସତସଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନୁଷ୍ଠାନର ସଭାପତି ରଘୁନାଥ ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ, ଗୁଣ ବାବୁ ଥିଲେ ସ୍ମାର୍ଟ ସିଟିର ଆଦ୍ୟ ଉଦ୍ୟୋକ୍ତା। ଭୁବନେଶ୍ୱରର ସମସ୍ୟାକୁ ସମାଧାନ କରିବା ପାଇଁ ସେ ଯେଉଁ ପଦେକ୍ଷେପ ନେଇଛନ୍ତି ତାହା ଚିର ସ୍ମରଣୀୟ। ଏଥିରେ ମୁଖ୍ୟବକ୍ତା ଭାବେ ଭାଷାବିତ୍‌ ଡ଼ ତମସାରାଣୀ ଦାସ ମହାପାତ୍ର ଯୋଗଦେଇ କହିଥିଲେ ଯେ, ଗୁଣବାବୁ ଥିଲେ ସ୍ପଷ୍ଟବାଦୀ। ସମ୍ମାନିତ ଅତିଥି ଭାବେ ବିଏମ୍‌ସିର ପୂର୍ବତନ ମେୟର ମହିର ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ଡ଼ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଶୁତୋଷ ଦାଶ ଆବାହନୀ ଶ୍ଳୋକ ଗାନ କରିଥିଲେ। ସମ୍ପାଦକ ହରେକୃଷ୍ଣ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଊଷାରାଣୀ ମହାନ୍ତିଙ୍କୁ ଗୁଣନିଧି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଅଷ୍ଠାନର ମୁଖପତ୍ର ‘ଉତ୍କଳୀୟ ସଂସ୍କୃତି’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ଯୁଗ୍ମ ସଂପାଦିକା ତନୟା ଦାସ ଗୋସ୍ୱାମୀ ମାନପତ୍ର ପାଠ କରିଥିବା ବେଳେ ଡ. ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜକିଶୋର ମିଶ୍ର, ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ଇଂ ନିରାକାର ମହାଳିକ, ଡ. ସୁରେନ୍ଦ୍ର ମହାରଣା, ଡ. ବିବେକାନନ୍ଦ ପାଣିଗ୍ରାହୀ, ଡ. ବିଜୟଲକ୍ଷ୍ମୀ ମହାନ୍ତି, ଡ. ଶୁକନ୍ତଳା ବଳିଆରସିଂ, ଡ. ରାମଚନ୍ଦ୍ର ମିଶ୍ର, ଡ. ଧରଣୀଧର ନାୟକ, ଡ. ଲ୍ୟାବଣ୍ୟଚନ୍ଦ୍ର ସାହୁ, ଭାଗୀରଥି ମହାପାତ୍ର, ଭାଗୀରଥି ମହାସୁଆର, ରବୀନ୍ଦ୍ର ମହାପାତ୍ର, ଅରୁଣ କୁମାର ନାୟକ, ତନୟା ଦାସଗୋସ୍ୱାମୀ, ଡ଼ ସୁଚେତା ରାଉତ, ବୀଣାପାଣି ସାହୁ, ନୀଳମଣି ମିଶ୍ର, ଶଶାଙ୍କ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର