ସାତ୍ରିୟା ନୃତ୍ୟରେ ‘ଅନ୍ଧମୁନି ଅଭିଶାପ’ର ଗାଥା

ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବର ଦ୍ୱିତୀୟ ସଂଧ୍ୟା

ଭୁବନେଶ୍ୱର : ବନ ବିହାର ତଥା ଶିକାରରେ ଯାଇଥିବା ରାଜା ଦଶରଥ ହଠାତ୍‌ ଦୂରରୁ କିଛି ଶବ୍ଦ ଶୁଣନ୍ତି। ନିଜ ଶବ୍ଦଭେଦି ବାଣ ବିଦ୍ୟା ପ୍ରୟୋଗ କରି ପଶୁ ଶିକାର କରିବାକୁ ଚେଷ୍ଟା ବି କରନ୍ତି। କିନ୍ତୁ ବାଣ ଯାଇ ଲାଗେ ଶ୍ରବଣ କୁମାରଙ୍କ ଶରୀରରେ। ଭୁଲ୍‌ବଶତଃ କରିଥିବା ଦୋଷକୁ ଶ୍ରବଣ କୁମାରଙ୍କ ଦୃଷ୍ଟିହୀନ ପିତାମାତାଙ୍କ ଆଗରେ ସ୍ୱୀକାର ବି କରନ୍ତି। କିନ୍ତୁ ଅନ୍ଧମୁନି ନିଜ ସନ୍ତାନଙ୍କୁ ହରାଇବା ଶୋକ ସହି ନ ପାରି ରାଜାଙ୍କୁ ଅଭିଶାପ ଦିଅନ୍ତି। ଏଭଳି ଏକ ପୌରାଣିକ କଥାବସ୍ତୁ ‘ଅନ୍ଧମୁନି ଅଭିଶାପ’ ଆଜି ‘ସାତ୍ରିୟା ନୃତ୍ୟ’ ମାଧ୍ୟମରେ ମଞ୍ଚସ୍ଥ ହୋଇଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ। ଗୌହାଟୀର ସଙ୍ଗୀତସତ୍ର ଅନୁଷ୍ଠାନ ପକ୍ଷରୁ ଗୁରୁ ରଞ୍ଜୁମୋନି ସାଇକିଆ ଓ ଗୁରୁ ରିଜୁମୋନି ସାଇକିଆଙ୍କ ନେତୃତ୍ୱରେ ସାଥୀ କଳାକାରମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ସେମାନେ ମଞ୍ଚରେ ପରିବେଷଣ କରିଥିଲେ ‘ଗୋବର୍ଦ୍ଧନ ଧାରଣ’ ନୃତ୍ୟାଭିନୟ। ଅବସର ଥିଲା ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ଆୟୋଜିତ ୧୧ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବର ଦ୍ୱିତୀୟ ସଂଧ୍ୟାର।

ଏହି ଅବସରରେ ପଦ୍ମଶ୍ରୀ ଓସ୍ତାଦ ଓ୍ଵାସିଫୁଦିନ୍‌ ଡାଗରଙ୍କୁ ‘ଧ୍ରୁପଦ ସଙ୍ଗୀତ’ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିଲା। ସମ୍ମାନ ବାବଦକୁ ୩୦ ହଜାର ଟଙ୍କା ନଗଦ ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ପୁଣି ଏଥିରେ ଗୁରୁ ରତିକାନ୍ତ ମହାପାତ୍ରଙ୍କୁ ବି ସମ୍ମାନିତ କରାଯାଇଥିଲା। ଆଜିର ସଂଧ୍ୟାକୁ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ପୂର୍ବତନ ପ୍ରଶାସକ ସୁବାସ ପାଣି ଓ ଧୀରେନ୍ଦ୍ର କୁମାର ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ଏଥିରେ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର