ଅସ୍ତିତ୍ୱ ହରାଉଛି ହବିଷିଆଳି ମନ୍ଦିର

ପୁରୁଣା ଭୁବନେଶ୍ୱର: ଏଠି ଗୋଟିଏ ମନ୍ଦିର ଥିଲା। ବିଧବା ମହିଳାମାନେ କାର୍ତ୍ତିକମାସରେ ଏଠାରେ ପୂଜାର୍ଚନା କରୁଥିଲେ। ମୁରୁଜ ପକାଉଥିଲେ। ପ୍ରାର୍ଥନା କରୁଥିଲେ। ଭୋଗ ଲଗାଉଥିଲେ। ଆଶୀର୍ବାଦ କାମନା କରୁଥିଲେ। ମାତ୍ର ଏପରି ଏକ ମନ୍ଦିର ଏବେ ତାର ଅସ୍ତିତ୍ୱ ହରାଇବାକୁ ବସିଛି। ଗୁଳ୍ମ, ଲତା ଓ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟରେ ଲୁଚି ଯିବାକୁ ବସିଛି। ରକ୍ଷଣାବେକ୍ଷଣ ଅଭାବରୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏକାମ୍ର କ୍ଷେତ୍ରରେ ଥିବା ୨ଟି ହବିଷିଆଳି ମନ୍ଦିରର ଏପରି ଅବସ୍ଥା ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼। ନିତ୍ୟକର୍ମ ସାରି ବିଧବା ବୃଦ୍ଧାମାନେ ହବିଷ କରୁଛନ୍ତି। ତେବେ ଏକାମ୍ର କ୍ଷେତ୍ରରେ ଥିବା ୨ଟି ହବିଷିଆଳି ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଦୁଇଟିର ଅଧା ଅଂଶ ନଷ୍ଟ ହୋଇଯିବା ସହ ଗୁଳ୍ମ୍ମଲତା ଓ ଇଲେକ୍ଟଟ୍ରାନ୍ସଫର୍ମର୍‌ ଦ୍ୱାରା ଲୁଚିଯାଇଛି। ପବିତ୍ର କାର୍ତ୍ତିକ ମାସରେ ସେଠାରେ ଦୀପ ଜଳିବା ତ ଦୂରର କଥା ସେଠାକୁ ଯିବାକୁ ଲୋକେ ଭୟ କରୁଛନ୍ତି। ଅନ୍ୟପକ୍ଷରେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିର ସଂପର୍କରେ ସପୂର୍ଣ୍ଣ ଅଜ୍ଞ।

ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ୧୦୦ ମିଟର ଦୂରରେ ରାସ୍ତା ପାର୍ଶ୍ୱରେ ରହିଛି ଏହି ହବିଷିଆଳି ମନ୍ଦିର। ସ୍ଥାନୀୟ ହାଟସାହି ମଧ୍ୟ ଦେଇ କପିଳେଶ୍ୱର ଆଡ଼କୁ ଯିବା ବେଳେ ଦକ୍ଷିଣ ପାର୍ଶ୍ୱରେ ପଡ଼େ ଏହି ମନ୍ଦିର। ଏହାର କାରୁକାର୍ଯ୍ୟ ସହସ୍ର ବର୍ଷ ପୁରୁଣା ପରି ଜଣାଯାଏ। ଏହି ମନ୍ଦିରରେ ରହିଛି ଦୁଇଟି କ୍ଷୁଦ୍ର ଶିବଲିଙ୍ଗ। ମନ୍ଦିର ଇତିହାସ ସଂପର୍କରେ ଅଧିକ କିଛି ଜଣାପଡ଼ି ନଥିଲେ ହେଁ ସ୍ଥାନୀୟ ବ୍ୟକ୍ତି ଏହାକୁ ହବିଷିଆଳି ମନ୍ଦିର ବୋଲି କୁହନ୍ତି। ୫୦ ବର୍ଷ ପୂର୍ବେ ଆଖପାଖ ଅଞ୍ଚଳର ବୃଦ୍ଧାମାନେ କାର୍ତିକ ମାସରେ ଏଠାରେ ପୂଜା କରିଥାନ୍ତି। ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳର ବୟସ୍କ ବ୍ୟକ୍ତି ଅରକ୍ଷିତ ସାହୁଙ୍କ କହିବା ଅନୁଯାୟୀ ଏହି ମନ୍ଦିରକୁ ଶତାଧିକ ହବିଷିଆଳି ଆସିଥାନ୍ତି। ଏଠାରେ ଥିବା ଚଉରା ମୂଳେ ମୁରୁଜ ପକାନ୍ତି। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ତିଆରି କରି ପୂଜା କରିବା ଓ ଏହି ମନ୍ଦିରରେ ଥିବା ଶିବ ଲିଙ୍ଗକୁ ପୂଜା କରିବା ସେ ପିଳାବେଳୁ ଦେଖିଛି। ୧୯୭୬ରେ ରାସ୍ତା ଚଉଡ଼ା କରିବା ପାଇଁ ଯୋଜନା କରାଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହା ସମ୍ଭବ ହୋଇପାରି ନଥିଲା ବୋଲି ଶ୍ରୀ ସାହୁ କହିଛନ୍ତି। ଏବେ ଏହି ମନ୍ଦିରଟି ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଦୁଇଟିର ଅଧା ଅଂଶ ନଷ୍ଟ ହୋଇଗଲାଣି। ଏଥି ସହ ଗୁଳ୍ମଲତା ଓ ଇଲେକ୍ଟି ଟ୍ରାନ୍ସଫର୍ମର ଦ୍ୱାରା ତାହା ସଂପୂର୍ଣ ଲୁଚିଯାଇଛି। ତେବେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ଏହି ମନ୍ଦିର ସଂପର୍କରେ କୌଣସି ଖବର ନଥିବା କୁହାଯାଇଛି। ତୁରନ୍ତ ଏହି ମନ୍ଦିରକୁ ଉଦ୍ଧାର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର