‘ହାଲ୍‌କା’କୁ ଆଉ ଏକ ଗ୍ରାଣ୍ଡ୍‌ ପ୍ରିକ୍ସ ଆଓ୍ଵାର୍ଡ

ଅଗଷ୍ଟ ୩୧ରେ ମୁକ୍ତିଲାଭ କରିବ ‘ହାଲ୍‌କା’

ଭୁବନେଶ୍ୱର: ଓଡ଼ିଆ ନିର୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦେଶିତ ଶିଶୁ ଭିତ୍ତିକ ଚଳଚ୍ଚିତ୍ର ‘ହାଲ୍‌କା’ ପୁଣି ଏକ ଗ୍ରାଣ୍ଡ୍‌ ପ୍ରିକ୍ସ ପୁରସ୍କାର ଲାଭ କରିଛି। ପ୍ରଥମେ ମଣ୍ଟ୍ରିଲ୍‌ର ଏଫ୍‌ଆଇଏଫ୍‌ଇଏମ୍‌ରେ ହାଲ୍‌କାକୁ ପ୍ରଥମ ଗ୍ରାଣ୍ଡ୍‌ ପ୍ରିକ୍ସ ମିଳିଥିବା ବେଳେ ପୋଲାଣ୍ଡର କିନୋଲୁବରେ ଦ୍ୱିତୀୟ ଗ୍ରାଣ୍ଡ୍‌ପ୍ରିକ୍ସ ଆଓ୍ଵାର୍ଡ ମିଳିଛି। ଦିଲ୍ଲୀର ଏକ ବସ୍ତିର ୮ବର୍ଷର ଶିଶୁର ଚିନ୍ତାଧାରା ଏବଂ ତା ଭିତରେ ଲୁଚି ରହିଥିବା ଅନେକ ଅନ୍ତର୍ନିହିତ ରହସ୍ୟର ପରିପ୍ରକାଶ ଘଟିଛି ‘ହାଲ୍‌କା’ରେ। ପ୍ରଯୋଜକ ଅକ୍ଷୟ କୁମାର ପରିଜା, ନୀଳମାଧବ ପଣ୍ଡା ଏବଂ ଶିବ୍‌ ନାଦାର ଫାଉଣ୍ଡେସନ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଶଙ୍କର, ଏହସାନ ଓ ଲୟ ସଂଗୀତ ନିର୍ଦେଶନା ଦେଇଛନ୍ତି। ନିଜର ନିଆରା ଦୃଷ୍ଟିକୋଣକୁ ନେଇ ନୀଳମାଧବ ପଣ୍ଡା ପୂର୍ବରୁ ‘ଆଇ ଆମ୍‌ କାଲାମ’ ଭଳି ଶିଶୁଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚାକୁ ଆସିଥିବା ବେଳେ ଶିଶୁ ଭିତ୍ତିକ ସଂଗୀତ କେନ୍ଦ୍ରିକ ଚଳଚ୍ଚିତ୍ର ‘ହାଲ୍‌କା’ ମଧ୍ୟ ଦର୍ଶକଙ୍କୁ ସେଇ ରୋମାଞ୍ଚ ଦେବ ବୋଲି ନିର୍ଦେଶକ ନୀଳମାଧବ ପଣ୍ଡା କହିଛନ୍ତି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ଅକ୍ଷୟ କୁମାର ପରିଜା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର