ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ: ଆଖି ଖୋସି ଦେଉଛି ପୁରୁଣା ଦିନର ସାମଗ୍ରୀ

ଭୁବନେଶ୍ବର: ମିଳୁଛି ପ୍ରାକୃତିକ ଜିନିଷରୁ ତିଆରି ଭିନ୍ନ ଭିନ୍ନ ପ୍ରକାରର ଘରସଜ୍ଜା ସାମଗ୍ରୀ। ହଜିଯାଉଥିବା ହସ୍ତଶିଳ୍ପକୁ ରାଜଧାନୀବାସୀଙ୍କୁ ଯୋଗାଇ ଦେବା, ପୁରୁଣା ଦିନର ସେସବୁ ସାମଗ୍ରୀକୁ ଦେଖିବାର ଅବସର ସହ ଘର ସଜେଇବାକୁ ଖୋଲିଛି ପସରା। ୧୩ ତାରିଖରୁ ରାଜ୍ୟ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଜରିଆରେ ଚାଲୁରହିଥିବା ‘ପ୍ରାକୃତିକ ତନ୍ତୁ ଓ ଲପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ’ ଏପରି ଅବକାଶ ଆଣିଛି। ଏଭଳି ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଓଡ଼ିଶାରେ ପ୍ରଥମ ଥର ପଡ଼ିଥିବା ବେଳେ ବହୁ ନିଆରା ଓ ପୁରୁଣା ହସ୍ତଶିଳ୍ପର ଭରପୂର ସମ୍ଭାର ଖୋଲିଛି।

ଆକର୍ଷଣ ସାଜିଛି ରୁଟ୍‌ କ୍ରାଫ୍ଟ
ଗଛର ଚେର, ଜଙ୍ଗଲରେ ପଡ଼ି ରହୁଥିବା ଅଦରକାରୀ କାଠ ଆଦିକୁ ନେଇ ତିଆରି ହୋଇଛି ସୁନ୍ଦର ଘରସଜ୍ଜା ସାମଗ୍ରୀ। ଜଙ୍ଗଲରେ ପଡ଼ି ରହୁଥିବା ଅଦରକାରୀ କାଠରୁ ତିଆରି ଏମ୍‌ଟି ବାଉଲ୍‌ ବା ଖାଲି ପାତ୍ର ସବୁ ଘରର ଟି-ପଏ ଉପରେ ସଜାଇହେବ। ବିଭିନ୍ନ ଆକୃତିର ଏହି ପାତ୍ର ସବୁରେ ଡ୍ରାଏ ଫ୍ରୁଟ୍‌, ପେନ୍‌, ମେକ୍‌-ଅପ୍‌ ସାମଗ୍ରୀ, ପେନ୍‌ ଡ୍ରାଇଭ୍‌ ବା ଇୟର ଫୋନ୍‌ ଆଦି ରଖି ହେବ। ଛୋଟ ଗଛ ମଧ୍ୟ ଲଗାଇ ହେବ। ଜଙ୍ଗଲରେ ମିଳୁଥିବା ବିଭିନ୍ନ ଗଛର ଚେରକୁ ନେଇ ନିର୍ମିତ ଏହି କୃତ୍ରିମ ଗଛ ଉପରେ ଚ‌େଢ଼ଇ ବସା ଓ ବିଭିନ୍ନ ପ୍ରକାରର ପକ୍ଷୀ ଦୃଷ୍ଟି ଆକର୍ଷଣ କରୁଛି। ଅଦରକାରୀ କା‌ଠ ବା ଗଛର ଚେରରୁ ଏସବୁ ପ୍ରସ୍ତୁତ କରାଯାଉଛି। ପ୍ରଥମେ ଠିକ୍‌ କାଠ ବା ଚେରର ଚୟନ, ପରେ ଛାଲ ଛଡ଼ାଇବା, ପଲିସ୍‌ କରିବା, ସ୍ପିରିଟ ଦେଇ ସଫା କରିବା ଆଦି ବିଭିନ୍ନ ପ୍ରକ୍ରିୟାରେ ଏହି ସବୁ କାଠକୁ ନୂତନ ରୂପ ଦିଆଯିବା ସହ ଦୀର୍ଘସ୍ଥାୟୀ କରାଯାଉଛି। ତେବେ ଗଛ ଉପରେ ଚଢ଼େଇ ଆକୃତିର ୫ଟି ପ୍ରତିକୃତି ପ୍ରସ୍ତୁତି ପାଇଁ କେବଳ କାରିଗରଙ୍କୁ ୪ ମାସ ସମୟ ଲାଗିଯାଉଛି ବୋଲି ଫୁଲବାଣୀର ଫିରିଙ୍ଗିଆରୁ ଆସିଥିବା ବିଶ୍ବକର୍ମା ମହାରଣା କହିଛନ୍ତି। ଏହି ସବୁ ସାମଗ୍ରୀ ଘରକୁ ସାମ୍ଭ୍ରାନ୍ତ ଶ୍ରେଣୀୟ ଲୁକ୍‌ ଦେଉଥିବା ବେଳେ ଏଗୁଡ଼ିକ ପୋକ ଲାଗେନି କି ନଷ୍ଟ ହୁଏନି। କେବଳ ମାଟି ଉପ‌ରେ ରଖିଲେ ଏଥିରେ ଉଇ ଲାଗିଯିବାର ଆଶଙ୍କା ରହିଛି। ତାଙ୍କର ଏହି ଷ୍ଟଲ‌୍‌ରେ ଏମ୍‌ଟି ବାଉଲ୍‌ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ଗଛ ୧୫ ହଜାରରୁ ଆରମ୍ଭ କରି ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ପଥରରେ ସମ୍ଭାର
ଦିନ ଥିଲା ଯେତେବେଳେ ପଥର ନିର୍ମିତ ଶିଳ, ଘୋରଣା, ପେଷଣା ଓ ବାଟି ଆଦି ଝିଅ ବାହାଘର ବେଳେ ଖୋଜା ପଡ଼ୁଥିଲା। ଏହି କାରିଗରଙ୍କ ଆଦର ଓ ଚାହିଦା ଢେର ଥିଲା। କିନ୍ତୁ ସମୟ କ୍ରମେ ଗ୍ରାଇଣ୍ଡର ଯୁଗରେ ଏହାର ଚାହିଦା କମିଥିବା ବେଳେ ରାଜ୍ୟରେ ଏହା ଏବେ କେବଳ ଘର ସଜ୍ଜାରେ ଓ ବିବାହ ରୀତିନୀତି ପୂରଣରେ କାମରେ ଲାଗୁଛି। କିନ୍ତୁ ଏହି ପ୍ରଦର୍ଶନୀରେ ‌ପଡ଼ିଥିବା ମୁଗୁନି ପଥର ତିଆରି ଏସବୁ ସାମଗ୍ରୀ ଉପରେ ଗ୍ରାହକଙ୍କ ଆଦର ଦେଖିବାକୁ ମିଳିଥିଲା। ପ୍ରଦର୍ଶନୀରେ ୧୯ ନମ୍ବର ଷ୍ଟଲରେ ଦୀନବନ୍ଧୁ ମହାନ୍ତିଙ୍କ ପାଖରେ ରହିଛି କଳା ମୁଗୁନି ପଥର, ରାଜସ୍ଥାନ ପଥର, ଗ୍ରାନାଇଟ୍‌, ମାର୍ବଲ ଓ ଖଡ଼ି ପଥର ଆଦିରେ ପ୍ରସ୍ତୁତ ଶିଳ ପୁଆ, ଚନ୍ଦନ ପେଡ଼ି, ଶିଳ, ଚକି, ବେଲଣା ପେଡ଼ା, ଦୀପ, ଧୂପଦାନୀ, ହେମଦସ୍ତା, ଥାଳି, ବାଟି, କପ୍‌ ପ୍ଲେଟ, କଳସ, ଗ୍ଲାସ ଓ ଶିବ ଲିଙ୍ଗ ଆଦି ରହିଛି। ଏସବୁ ଜିନିଷ ରାଜ୍ୟର ବିଭିନ୍ନ ଅଞ୍ଚଳ ସହ କୋଲକାତା, ବନାରସ, ଆସାମ, ତାଡ଼କେଶ୍ବର ଓ ନବଦୀପ ଆଦି ଅଞ୍ଚଳକୁ ରପ୍ତାନୀ ହେଉଛି।

ପ୍ରଦର୍ଶନୀ ଫାଙ୍କା
ପ୍ରଥମ ଥର ପାଇଁ ଓଡ଼ିଶାରେ ପଡ଼ିଥିବା ଏହି ସ୍ବତନ୍ତ୍ର ପ୍ରଦର୍ଶନୀ ଆଜି ଦ୍ବିତୀୟ ଦିନରେ ବି ଗ୍ରାହକଙ୍କୁ ଟାଣିପାରିନାହିଁ। ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ କହିଛନ୍ତି, ହଠାତ୍‌ ନିର୍ବାଚନ ତାରିଖ ଘୋଷଣା ହୋଇଯିବା ଫଳରେ ପ୍ରଦର୍ଶନୀ ପାଇଁ ଅନୁମତି ମିଳିବା ବିଳମ୍ବ ହୋଇଥିଲା। ପୁଣି ଆଦର୍ଶ ନିର୍ବାଚନ ଆ‌ଚରଣ ବିଧି ଲାଗୁ ହୋଇଯିବା ଫଳରେ ଆମେ ବିଜ୍ଞାପନ ଦେବା ସମ୍ଭବ ହୋଇ ନ ଥିଲା। ଫଳରେ ପ୍ରଦର୍ଶନୀ ବିଷୟରେ ଠିକ୍‌ ଭାବେ ପ୍ରଚାର ପ୍ରସାର ହୋଇପାରିନାହିଁ। ପ୍ରଦର୍ଶନୀର ପ୍ରସାର ପ୍ରଚାର ପାଇଁ ବିଭାଗ ପକ୍ଷରୁ ସହରରେ ବସ୍‌ ଚାଲିବ ଏବଂ ଲୋକଙ୍କୁ ମାଗଣାରେ ପ୍ରଦର୍ଶନୀ ବୁଲିବା ପାଇଁ ଆଦିବାସୀ ପଡ଼ିଆ ପର୍ଯ୍ୟନ୍ତ ନେଇ ଆସିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର